ବାଲେଶ୍ବରରେ ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା ଓ ଅନୁସନ୍ଧାନ କେନ୍ଦ୍ର

ବାଲେଶ୍ବର: ଆଗାମୀ ଦିନରେ କାଳବୈଶାଖୀ ଓ ବଜ୍ରପାତ ସମ୍ପର୍କିତ ସତର୍କ ସୂଚନା ଆଗୁଆ ପାଇବା ଲାଗି ଉତ୍ତର ଓଡ଼ିଶାର ବାଲେଶ୍ବରରେ ଏକ ବଜ୍ରପାତ ଗବେଷଣା ଓ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ଯୋଜନା ରହିଛି। ଏହି କେନ୍ଦ୍ର ପ୍ରତିଷ୍ଠାରେ ବାଲେଶ୍ବର ହେବ ଦେଶରେ ପ୍ରଥମ। ବି‌ଶେଷ କରି ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ; ଏପରିକି ଝାଡ଼ଖଣ୍ଡରେ ପ୍ରତିବର୍ଷ ବଜ୍ରପାତଜନିତ ମୃତ୍ୟୁ ଅଧିକ ହୋଇଥାଏ। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ବାଲେଶ୍ବରରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ନି‌ର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।

ଆଜି ବାଲେଶ୍ବର ସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍‌ ରୌପ୍ୟଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ଡକ୍ଟର ମହାପାତ୍ର ବ୍ୟାସ ଗୌରବ ସମ୍ମାନ-୨୦୨୨ ଗ୍ରହଣ କରିଥିଲେ। ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାଲେଶ୍ବରରେ ଆଇଏମ୍‌ଡି ଦ୍ବାରା ହେବାକୁ ଥିବା ସମସ୍ତ ପ୍ରକଳ୍ପଗୁଡ଼ିକ ଉପରେ ସୂଚନା ଦେଇଥିଲେ। ଭୂ-ବିଜ୍ଞାନ ମନ୍ତ୍ରଣାଳୟ, ଆଇଏମ୍‌ଡି, ଇସ୍ରୋ ଓ ଡିଆର୍‌ଡିଓ ମିଳିତ ଭାବେ ଏଥିରେ କାମ କରିବେ। ଏହି କେନ୍ଦ୍ରରେ ଅତ୍ୟାଧୁନିକ ପାଣିପାଗ ମାପକ ଯନ୍ତ୍ର ରଖାଯିବ। ଫଳରେ ବଜ୍ରପାତ ନେଇ ବହୁ ପୂର୍ବରୁ ଲୋକମାନଙ୍କୁ ସତର୍କସୂଚନା ଜାରି କରାଯାଇପାରିବ ବୋଲି ସେ କହିଥିଲେ। ଏହାଛଡ଼ା ଆଗାମୀ ପାଣିପାଗକୁ ନେଇ ଡ. ମହାପାତ୍ର କହିଥିଲେ ଓଡ଼ିଶାରେ ଉପକୂଳରେ ଏବେ ମୌସୁମୀ ବର୍ଷା ହେବା ଆରମ୍ଭ କରିଛି। ଗତ ଜୁନ୍‌ମାସର ଦ୍ବିତୀୟ ସପ୍ତାହ ପରେ ମଧ୍ୟ ପୂର୍ବ ବର୍ଷମାନଙ୍କ ତୁଳନାରେ ଭଲ ବର୍ଷା ହୋଇଛି। ତେଣୁ ଆଗକୁ ମଧ୍ୟ ଭଲ ବର୍ଷା ହେବ। ଆସନ୍ତା ୧୪ ତାରିଖ ମଧ୍ୟ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି।

ସେହିପରି ବାଲେଶ୍ବରରେ ଏକ ଡପଲାର୍ ରାଡାର୍‌ କେନ୍ଦ୍ର ସହ କିଛି ଅନୁସନ୍ଧାନ ଗବେଷଣା କେନ୍ଦ୍ର ଉତ୍ତର ଓଡ଼ିଶାରେ ଆଗାମୀ ଦିନରେ ପ୍ରତିଷ୍ଠା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। ତେବେ ଆଜି ତାଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଫକୀରମୋହନ ଗୌରବ ସମ୍ମାନ ପ୍ରଦାନ କରାଯିବାକୁ ନେଇ ସେ ନିଜକୁ ଗୌରବାନ୍ବିତ ମନେ କରିଥିବା କହିଥିବା ବେଳେ ଏହା ପାଣିପାଗ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମକର୍ତ୍ତା ଓ ବୈଜ୍ଞାନିକମାନଙ୍କୁ ଆହୁରି ଆଗକୁ ବଢ଼ିବାରେ ପ୍ରୋତ୍ସାହିତ କରିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର