ପରିବେଶ ସଚେତନତା ବାର୍ତ୍ତା ନେଇ ସାଇକେଲରେ ରାଷ୍ଟ୍ରପତି ଭବନ ଯାତ୍ରା

ବାଲେଶ୍ବର: ଭାରତର ରାଷ୍ଟ୍ରପତି ତଥା ନିଜ ମାଟିର କନ୍ୟା ଦୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ସାଇକେଲରେ ରାଷ୍ଟ୍ରପତି ଭବନ ଯାତ୍ରା କରିଛନ୍ତି। ଜନ୍ମମାଟିର ଏଭଳି ଜଣେ ସୁଯୋଗ୍ୟ କନ୍ୟାକୁ ଅତି ପାଖରୁ ଦେଖିବା ପାଇଁ ସେ ବହୁଦିନରୁ ସ୍ବପ୍ନ ଦେଖିଥିଲେ। ହେଲେ ଆଜି ସେ ସ୍ବପ୍ନକୁ ପୂରଣ କରିବା ପାଇଁ ସେ ଦିଲ୍ଲୀ ଯାତ୍ରା କରିଛନ୍ତି। ନିଜ ଭିତରେ ଅଦମ୍ୟ ସାହସ ଓ ଆତ୍ମବଳ ନେଇ ସେ କାହା କଥାକୁ ନ ମାନି ପରିବେଶ ଓ ପ୍ରକୃତି ମା’ର ସୁରକ୍ଷା ପାଇଁ ସେ ସଚେତନତ‌ାର ବାର୍ତ୍ତା ବାଣ୍ଟି ଶ୍ରୀମତୀ ମୁର୍ମୁଙ୍କୁ ଦେଖା କରିବାକୁ ବାହାରିପଡ଼ିଛନ୍ତି। ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ମେଣ୍ଢାଖାଇ ଅଂଚଳର ସଞ୍ଜୟ କୁମାର ପଣ୍ଡା(୩୬)।

ସଞ୍ଜୟ ପରିବାର ସହିତ ଭଦ୍ରକ ୩୦ ନମ୍ବର ୱାର୍ଡର ଉତ୍ତରବାହିନୀ ଅଞ୍ଚଳରେ ରହୁଛନ୍ତି। ପେଷାରେ ଜଣେ ଗାଡ଼ି ଡ୍ରାଇଭର। ହେଲେ ପରିବେଶ ସୁରକ୍ଷା ପାଇଁ ସଞ୍ଜୟ ସବୁବେଳେ ଉଦ୍ୟମ କରିଆସିଛନ୍ତି। ସଞ୍ଜୟଙ୍କୁ ଦିଲ୍ଲୀ ଯାତ୍ରା କରିବାକୁ ୨୫ ଦିନ ଲାଗିବ। ୧୭ ଶହ କିମି ରାସ୍ତା ଯାତ୍ରା କରିବେ ସଞ୍ଜୟ। ସମାଜ ପାଇଁ ପରିବେଶର ସୁରକ୍ଷା ନିହାତି ଜରୁରୀ ହୋଇପଡ଼ିଛି। ଏହାକୁ ଅନୁଭବ କରି ‘ଗୋଟିଏ ମଣିଷ ଗୋଟିଏ ଗଛ’ ସଚେତନତାର ବାର୍ତ୍ତା ସାଇକେଲ ଆଗରେ ଲେଖି ସଞ୍ଜୟ ଭଦ୍ରକରୁ ବାହାରି ସେ ଆଜି ସକାଳେ ବାଲେଶ୍ବରରେ ପହଞ୍ଚିଥିଲେ। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ଭେଟିବା ପାଇଁ ଆସିଥିବା ବେଳେ ଆଜି ଛୁଟି ଥିବାରୁ ସାକ୍ଷାତ କରିନପାରି ମୟୂରଭଞ୍ଜ ଅଭିମୁଖେ ବାହାରି ଯାଇଥିଲେ। ବାରିପଦା ହୋଇ ରାଙ୍ଗରଙ୍ଗପୁର, ଜାମସେଦପୁର, ଟାଟା, ରାଂଚି ହୋଇ ଦିଲ୍ଲୀ ଯାତ୍ରା କରିବେ ବୋଲି ସେ କହିଛନ୍ତି। ସାଇକେଲ ଯାତ୍ରା ସମୟରେ ସେ କାହାରି ଉପରେ ନିର୍ଭର ନକରି ସମସ୍ତ ସରଞ୍ଜାମ ସାଙ୍ଗରେ ନେଇଛନ୍ତି। ସଞ୍ଜୟଙ୍କ କହିବା କଥା, ମୋ ମାଟିର କନ୍ୟାକୁ ଭେଟିବି ନିଶ୍ଚିତ। ତାଙ୍କୁ ଭେଟି ପ୍ରଥମେ ଶୁଭେଚ୍ଛା ବାର୍ତ୍ତା ଦେବା ସହିତ ପରିବେଶ ସୁରକ୍ଷା ସଂପର୍କରେ ଆଲୋଚନା କରିବି। ଯେପର୍ଯ୍ୟନ୍ତ ତାଙ୍କ ସହିତ ମୋର ଭେଟ ହୋଇନାହିଁ, ସେଠାରୁ ଫେରିବି ନାହିଁ ବୋଲି ସଂଜୟ କହିଛନ୍ତି।

ସମ୍ବନ୍ଧିତ ଖବର