୯ ମାସରେ ଓଲଟପାଲଟ

ପଦ୍ମ ହାତରୁ ଖସିଲା ବାଲେଶ୍ୱରର ୨୬ ନମ୍ବର ଜୋନ୍‌
ବିଜେଡି ଖାତାକୁ ଗଲା ଗଞ୍ଜାମର ୫୮ ନମ୍ବର ଜୋନ୍‌
ବିଜେଡିର ଭୋଟ ପ୍ରତିଶତ ବୃଦ୍ଧି, ବିଜେପିକୁ ଝଟ୍‌କା

ଭୁବନେଶ୍ୱର : ଗତବର୍ଷ ପଞ୍ଚାୟତ ନିର୍ବାଚନରେ ବିଜେପି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ୨୬ ନମ୍ବର ଜୋନ୍‌ ଦଖଲ କରିଥିଲା। ଶହେ କି ଦୁଇଶହ ନୁହେଁ, ପାଖାପାଖି ସାଢ଼େ ତିିନି ହଜାର ଅଧିକ ଭୋଟ ପାଇ ଜିତିଥିଲେ ବିଜେପି ପ୍ରାର୍ଥୀ। ଦୁଇ ନମ୍ବରରକୁ ଖସି ଯାଇଥିଲା ବିଜେଡି।

ମାତ୍ର ୯ମାସ ପରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ଗତକାଲି ଏହି ଆସନରେ ହୋଇଥିବା ଉପନିର୍ବାଚନର ଆଜି ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେପି ଶୋଚନୀୟ ବିପର୍ଯ୍ୟୟର ଶିକାର ହୋଇଛି। ପୂର୍ବାପେକ୍ଷା କମ୍‌ ଭୋଟର ମତଦାନ ପ୍ରକ୍ରିୟାରେ ଭାଗ ନେଇଥିଲେ ହେଁ ବିଜେଡି ପ୍ରାର୍ଥୀ କମଳ ଲୋଚନ ସାହୁ ୪ ହଜାର ୧୧୭ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିକୁ ପରାସ୍ତ କରିଛନ୍ତି।

ରାଜ୍ୟ ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ, ବିଜେଡି ୧୩ ହଜାର ୪୯୯ ଭୋଟ ପାଇଥିବା ବେଳେ ବିଜେପି ୯ ହଜାର ୩୮୨ ଓ କଂଗ୍ରେସ ୩୧୮୭ ଖଣ୍ଡ ଭୋଟ ପାଇଛି। ଅର୍ଥାତ୍‌ ଭୋଟର ମନ ବଦଳାଇଛନ୍ତି ଓ ସେମାନଙ୍କ ମଧ୍ୟରୁ ପାଖାପାଖି ୫୨ ପ୍ରତିଶତ ବିଜେଡି ସପକ୍ଷରେ ରହିବାକୁ ପସନ୍ଦ କରିଛନ୍ତି। ବାକି ପ୍ରାୟ ୩୬ ପ୍ରତିଶତ ବିଜେପି ଓ ୧୨ ପ୍ରତିଶତ କଂଗ୍ରେସ ପକ୍ଷ ନେଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏଠାରେ ୩୪ ପ୍ରତିଶତ (୧୦ ହଜାର ୨୫୧), କଂଗ୍ରେସ ପାଖାପାଖି ୧୧ ପ୍ରତିଶତ (୩୧୭୫) ଓ ବିଜେପି ପ୍ରାର୍ଥୀ ୪୫ ପ୍ରତିଶତ (୧୩ହଜାର ୬୨୬) ଭୋଟ ପାଇଥିଲେ।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ୫୮ ନମ୍ବର ଜିଲ୍ଲା ପରିଷଦ ଆସନଟି ବି ଆଜି ବିଜେଡି ଖାତାକୁ ଯାଇଛି। ଏଠାରେ ବିଜେଡି ପ୍ରାର୍ଥୀ ପ୍ରମୋଦ ପାତ୍ର ୭ହଜାର ୯୩୭ଟି ଭୋଟ ବ୍ୟବଧାନରେ ବିଜେପିର ଅନିତା ଆଚାର୍ଯ୍ୟଙ୍କୁ ପରାସ୍ତ କରିଛନ୍ତି। ପ୍ରମୋଦ ୧୩ ହଜାର ୩୮୩ଟି ଭୋଟ ପାଇଥିବା ବେଳେ ବିଜେପି ୫୪୪୬ ଭୋଟ ପାଇଛି। କଂଗ୍ରେସ ପ୍ରାର୍ଥୀ ମହେଶ୍ୱର ସ୍ୱାଇଁ ମାତ୍ର ୧୨୩୩ ଭୋଟ୍‌ ପାଇଛନ୍ତି। ଏହି ଜୋନ୍‌ରେ ଗୋଟିଏ ପଞ୍ଚାୟତରେ ନିର୍ବାଚନ ହୋଇନଥିବା ପରିପ୍ରେକ୍ଷୀରେ ଫଳାଫଳ ସ୍ଥଗିତ ରଖାଯାଇଥିଲା।

ଏଥିସହିତ ରାଜ୍ୟର କେତେକ ଅଞ୍ଚଳରେ ୮ଟି ସରପଞ୍ଚ ଓ ୯ଟି ସମିତି ସଭ୍ୟ ସହିତ କିଛି ଓ୍ଵାର୍ଡ ସଭ୍ୟ ପାଇଁ ଆଜି ଭୋଟ ଫଳାଫଳ ପ୍ରକାଶ ପାଇଛି। ଯଦିଓ ଅଧିକାଂଶ ସରପଞ୍ଚ ଓ ସମିତି ସଭ୍ୟ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଥିବା ନେଇ ଦଳ ଦାବି କରିଛି, ବିଜେପି ପାଇଁ ଆଶ୍ୱାସନାର ବିଷୟ ହେଲା, କିଛି ଓ୍ଵାର୍ଡ ଉପନିର୍ବାଚନ ଭୋଟ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ଖାତାକୁ ଯାଇଛି।

ଉଲ୍ଲେଖଯୋଗ୍ୟ, ବାଲେଶ୍ୱରର ୨୬ ନମ୍ବର ଜୋନ୍‌ରେ ପାଖାପାଖି ୩୦ ହଜାର ଭୋଟର ମତଦାନ ପ୍ରକିୟାରେ ଭାଗ ନେବା ଲାଗି ସୁଯୋଗ ଥିବା ପରିପ୍ରେକ୍ଷୀରେ ଜନମତ ଜାଣିବା ପାଇଁ ଏହାକୁ ଏକ ଉତ୍କଷ୍ଟ ନମୁନା ବୋଲି ରାଜନୈତିକ ମହଲ ବିଚାର କରୁଥିଲେ। ଖାସ୍‌ ଏହି କାରଣରୁ ଉପନିର୍ବାଚନଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ରବୀନ୍ଦ୍ର ଜେନା ଓ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଥିଲା।

ହେଲେ ଆଜି ପ୍ରକାଶିତ ଫଳାଫଳ ସୂଚାଇଛି, ସାଂସଦ ଶ୍ରୀ ଜେନା ଓ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ତାଙ୍କ ପତିଆରା ରଖିବାରେ ସକ୍ଷମ ହୋଇଛନ୍ତି। କେବଳ ସେତିକି ନୁହେଁ, ଏସବୁ ନିର୍ବାଚନ ଏକଥା ବି ସଙ୍କେତ ଦେଉଛି ଯେ ଗତ ପଞ୍ଚାୟତ ନିର୍ବାଚନରେ ଲୋକେ ଯେପରି ବିଜେଡିକୁ ମୁହଁ ମୋଡ଼ିଥିଲେ, ଏବେ ସେ ସ୍ଥିତିରେ ପରିବର୍ତ୍ତନ ହେଲାଣି। ଅର୍ଥାତ୍‌ ଭୋଟର ପୁଣି ଥରେ ବିଜେଡି ଆଡ଼କୁ ମୁହାଁଇବା ଆରମ୍ଭ କରିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ପଞ୍ଚାୟତ ନିର୍ବାଚନ ପରେ ବିଜେପି ତାର ସ୍ଥିତି ଦୃଢ଼ ହେଉଥିବା ସଂପର୍କରେ ବାରମ୍ବାର ଦାବି କରିଆସୁଛି। ହେଲେ ଏହାର ବାସ୍ତବତା ନେଇ ବିଭିନ୍ନ ମହଲରେ ଯେଉଁ ସନ୍ଦେହ ଉଙ୍କି ମାରୁଛି, ତାହାକୁ ଅମୂଳକ ବୋଲି କୁହାଯାଇପାରିବ ନାହିଁ। କାରଣ ପୂର୍ବରୁ ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳର ଯେଉଁ ସ୍ଥାନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସଭା କରି ଶକ୍ତି ପ୍ରଦର୍ଶନ କରିଥିଲେ, ତାର କିଛି ଦିନ ପରେ ସେଠାରେ ଏକ ଓ୍ଵାର୍ଡ ନିର୍ବାଚନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ନିକଟରେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭା କରିଥିଲେ। ଏହାର ଅତି ନିକଟରେ ହୋଇଥିବା ପୌର ଉପନିର୍ବାଚନରେ ବିଜେପିକୁ ଅତି ଶୋଚନୀୟ ସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା।

ଏହାଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ଥିଲା ଆଜିର ଭୋଟ। କାରଣ ଏହି ଆସନଟି ଏମିତିରେ ହିଁ ବିଜେପି ହାତରେ ଥିଲା। ତା ସତ୍ତ୍ୱେ ବିଜେପି ନେତୃତ୍ୱ ଆସନଟିକୁ ନିଜ ହାତରେ ରଖିବାରେ ସମର୍ଥ ହୋଇପାରିନାହାନ୍ତି।

ସେହିଭଳି ଏହି ନିର୍ବାଚନ ଫଳାଫଳ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ପାଇଁ ମଧ୍ୟ ଏକ ଆହ୍ଵାନ ଥିଲା। ସେ ଏହି ନିର୍ବାଚନକୁ ସମ୍ମାନ ବୋଲି ଗ୍ରହଣ କରି ପୋଷ୍ଟରଓ୍ଵାରରେ ମାତିଥିଲେ। ମାତ୍ର ସବୁ ଚେଷ୍ଟା କରି ମଧ୍ୟ ସେ ଆସନକୁ ଦଖଲ କରିବା ଦୂରେ ଥାଉ, ପୂର୍ବ ଭଳି ଦଳୀୟ ପ୍ରାର୍ଥୀ ୩ ନମ୍ବରରେ ସ୍ଥାନରେ ରହିଛି। ଏପରିକି ଏଠାରେ କଂଗ୍ରେସର ଭୋଟ ହାର ମଧ୍ୟ ବୃଦ୍ଧି ପାଇନାହିଁ।

ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ତଳେ ପ୍ରକାଶ ପାଇଥିବା ପୌର ଉପନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇନଥିଲା। ପଟ୍ଟାମୁଣ୍ଡାଇ ସମେତ ପାରାଦୀପ ଓ ଅନୁଗୁଳର ତିନିଟି ଓ୍ଵାର୍ଡରେ ହୋଇଥିବା ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହୋଇଥିଲେ ଓ କୌଣସି ଗୋଟିଏ ବି ଆସନ ବିଜେଡି ହାତରୁ ଛଡ଼ାଇ ପାରିନଥିଲା।

ସମ୍ବନ୍ଧିତ ଖବର