୧୬ ଦିନରେ ବଲଦା ଖଣି ଆନ୍ଦୋଳନ : ବୁଡ଼ିଲାଣି ୩୦୦ କୋଟି

ବନ୍ଦ ହେଲାଣି ‘ୟାଜ‌ଦାନି’ ସମେତ ଏକାଧିକ ଷ୍ଟିଲ୍‌ ପ୍ଲାଣ୍ଟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଲଦା ଲୁହାପଥର ଖଣି ସମ୍ମୁଖରେ ପରିବହନ କାମ ଦାବିରେ କିଛି ଲୋକ ଧାରଣା ଦେଇଛନ୍ତି। ଏଥିପାଇଁ ଦୀର୍ଘ ୧୬ଦିନ ହେଲା ଖଣିରୁ ଲୁହାପଥର ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହାର ସିଧାସଳଖ ପ୍ରଭାବ ରାଜକୋଷ ସମେତ ଏକାଧିକ ଷ୍ଟିଲ୍‌ ପ୍ଲାଣ୍ଟ ଉପରେ ପଡ଼ିଛି। ରାଜ୍ୟ ରାଜକୋଷ ପାଖାପାଖି ୩୦୦ କୋଟି ଟଙ୍କା କ୍ଷତି ସହିଥିବା ବେଳେ ୟାଜ୍‌ଦାନି ଷ୍ଟିଲ୍‌ ଆଣ୍ଡ ପାୱାର ଭଳି ଏକାଧିକ ପ୍ଲାଣ୍ଟ କଞ୍ଚାମାଲ ଅଭାବରୁ ଏବେ ବନ୍ଦ ହେବାକୁ ବସିଲାଣି।

କେନ୍ଦୁଝର ଜିଲ୍ଲାର ଲୁହାପଥର ଖଣିକୁ ଦୃଷ୍ଟିରେ ରଖି ଏକଦା ଜିଲ୍ଲାକୁ ମିତ୍ତଲ, ଉତ୍ତମ ଗାଲଭା ଭଳି ଏକାଧିକ ବଡ଼ବଡ଼ ଷ୍ଟିଲ୍ କମ୍ପାନି ଆସିଥିଲେ। ଏଠାରେ ନିଜର ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲେ ରାଜ୍ୟର ରାଜସ୍ବ ବୃଦ୍ଧି ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜିଲ୍ଲାର ହଜାର ହଜାର ଯୁବଗୋଷ୍ଠୀ ନିଯୁକ୍ତି ପାଇଥାନ୍ତେ। ମାତ୍ର ଏସବୁ କମ୍ପାନି ନିଜ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପୂର୍ବରୁ ଲୋକଙ୍କ ଅଯୌକ୍ତିକ ଆନ୍ଦୋଳନ ଏବଂ ପ୍ରଶାସନର ଅସହଯୋଗ ପାଇଁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଏବେ ବଲଦା ଖଣି ସମ୍ମୁଖରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରଶାସନ ପକ୍ଷରୁ ଆନ୍ଦୋଳନକୁ ବନ୍ଦ କରି ଶିଳ୍ପ ଅନୁକୂଳ ପରିବେଶ ତିଆରି କରିବା ଦିଗରେ ଯେଭଳି ଉଦ୍ୟମ କରାଯିବା କଥା ତାହା କରାଯାଉ ନାହିଁ। ଏଥିପାଇଁ ୧୬ ଦିନ ଧରି ଖଣି କାର୍ଯ୍ୟ ଠପ୍‌ ‌ହୋଇଯାଇଛି। ରାଜ୍ୟ ସରକାର ପ୍ରଚୁର ରାଜସ୍ବ ହରାଉଥିବାବେଳେ ଶହଶହ ସ୍ପଞ୍ଜ ଆଇରନ ପ୍ଲାଣ୍ଟ, ପିଲେଟ ପ୍ଲାଣ୍ଟ ଏବଂ ଷ୍ଟିଲ୍‌ ପ୍ଲାଣ୍ଟର ଉତ୍ପାଦନ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି।

ବଲଦା ଖଣିରୁ ସରକାରଙ୍କ ଦ୍ବାରା ସ୍ଥିତିକୃତ ପରିମାଣ ଲୁହାପଥର ଉତ୍ତୋଳନ କଲେ ଦୈନିକ ୧୮ କୋଟି ୭୫ ଲକ୍ଷ ଟଙ୍କାର ରାଜସ୍ବ ରାଜ୍ୟ ରାଜକୋଷକୁ ଯାଇଥାଏ। ଯଦି ଏହି ହିସାବକୁ ନିଆଯାଏ, ତେବେ ୧୬ ଦିନ ମଧ୍ୟରେ ସରକାର ପ୍ରାୟ ୩୦୦ କୋଟି ଟଙ୍କାର ରାଜସ୍ବ ହରାଇଲେଣି। ଖଣିଜ ଉତ୍ତୋଳନ ଓ ପରିବହନ ବନ୍ଦ ଯୋଗୁଁ ଶତାଧିକ ଷ୍ଟିଲ୍‌ ପ୍ଲାଣ୍ଟ ବନ୍ଦ ଅବସ୍ଥାକୁ ଆସିଲାଣି। କଳିଙ୍ଗନଗରସ୍ଥିତ ୟାଜଦାନି ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡରେ ନିୟମିତ ସ୍ପଞ୍ଜ ଆଇରନ ଓ ପିଲେଟ ଉତ୍ପାଦନ ହୋଇଥାଏ। ଏଠାରେ ଦୈନିକ ପ୍ରାୟ ୫ଶହ ଟନ୍‌ ଲୁହାପଥର ଆବଶ୍ୟକ ହେଉଥିବାବେଳେ ୫୫୦ଜଣ କର୍ମଚାରୀ କାର୍ଯ୍ୟ କରିଥାନ୍ତି। ବଲଦା ଖଣିର ଲୁହପଥର ଉପରେ ଏହି ପ୍ଲାଣ୍ଟ ନିର୍ଭରଶୀଳ। ଖଣି କାରବାର ବନ୍ଦ ହୋଇଯିବାରୁ ୟାଜଦାନି ପ୍ଲାଣ୍ଟରେ ମଧ୍ୟ ୧୫ ତାରିଖରୁ ଉତ୍ପାଦନ ବନ୍ଦ ରହିଛି। ଶହଶହ ଶ୍ରମିକ ହାତବାନ୍ଧି ବସିଛନ୍ତି।

ଖାଲି ୟାଜଦାନି ନୁହେଁ; ଏଭଳି ଏକାଧିକ ଷ୍ଟିଲ୍‌ ପ୍ଲାଣ୍ଟ ମଧ୍ୟରୁ କିଏ ଉତ୍ପାଦନ ୨୫ ପ୍ରତିଶତକୁ ଖସାଇଲାଣି ତ କାହାର ସପ୍ତାହକୁ ଦୁଇଦିନ ଉତ୍ପାଦନ କରିବା ପରିସ୍ଥିତି ଉପୁଜିଲାଣି। ଏ ସଂପର୍କରେ ୟାଜ‌ଦାନି ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡର ସିନିଅର ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ମହାପାତ୍ରଙ୍କୁ ପଚାରିବାରୁ ଆମେ କଞ୍ଚାମାଲ ପାଇଁ ବଲଦା ଖଣି ଉପରେ ନିର୍ଭରଶୀଳ। ମାତ୍ର ସେଠାରେ ଆନ୍ଦୋଳନ ପାଇଁ କଞ୍ଚାମାଲ ପରିବହନ ହୋଇପାରୁନି। ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ରହିଛି। ଏଭଳି ଅବସ୍ଥା ଲାଗି ରହିଲେ ଆଗାମୀ ଦିନରେ କର୍ମଚାରୀଙ୍କୁ ଦରମା ଦେବା ସମ୍ଭବ ହେବନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର