ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳ ପରିଦର୍ଶନ କରି ପ୍ରକଳ୍ପ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ ୫-ଟି ସଚିବ

କେନ୍ଦ୍ରାପଡ଼ାରେ ଶ୍ରୀବଳଦେବଜୀଉ, ଦଧିବାମନ ଓ ରାମଚଣ୍ଡୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ଗୁରୁବାର କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ମହାକାଳପଡା ବ୍ଲକ୍‌ସ୍ଥିତ ଅଡୋଇଠାରେ ପ୍ରସ୍ତାବିତ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ଅଞ୍ଚଳ ପରିଦର୍ଶନ କରିଥିଲେ । ସେଠାରେ ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ୍‌ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି କାମ ତୁରନ୍ତ ଆରମ୍ଭ କରିବାକୁ ସେ ଜିଲ୍ଲାପାଳ ଓ ପ୍ଲାଣ୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେଠାରେ ସେ ମାର୍ଶାଘାଇ-ଜମ୍ବୁ କେନାଲ ରାସ୍ତାର ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସେ କେନ୍ଦ୍ରାପଡାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର, ଗୋଲରା ହାଟସ୍ଥିତ ଦଧିବାମନ ଜିଉ ମନ୍ଦିର ଓ ରାମନଗର ଠାରେ ଥିବା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ବଳଦେବଜିଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରି ଏହାର ଅଧିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଦଧିବାମନଜୀଉ ଓ ରାମଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିପିଆର ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

କେନ୍ଦ୍ରପଡା ସର୍କିଟ ହାଉସରେ ଶ୍ରୀ ପାଣ୍ଡିଆନ ପ୍ରାୟ ୧୩୦ଟି ନାଗରିକ ସମାଜ (ସିଭିଲ ସୋସାଇଟି) ବିଭିନ୍ନ ସଂସ୍ଥା ଓ ସଂଘ ମାନଙ୍କ ସହ ଆଲୋଚନା କରି ଜିଲ୍ଲାର ବିକାଶ ଓ ଲୋକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲାସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ, ତାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ସ୍ତରରେ ହେବାକୁ ଥିବା ସମସ୍ୟାର ସମାଧାନ ଉପଯୁକ୍ତ ପର୍ଯ୍ୟାଲୋଚନା ପରେ ପଦକ୍ଷପ ନିଆଯିବ ବୋଲି ସେ କହିଥିଲେ।

ଶ୍ରୀ ପାଣ୍ଡିଆନ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲାର ଆରଏମ୍‌ସି ପରିସରକୁ ଗସ୍ତ କରି ସେଠାରେ ୫୦୦ ଏମ୍‌.ଟି ବିଶିଷ୍ଟ ଶୀତଳଭଣ୍ଡାରର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେ କେନ୍ଦ୍ରାପଡା ବ୍ଲକ୍‌ ଜଜାଙ୍ଗସ୍ଥିତ ସଂକଳ୍ପ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏଠାରେ ଗୋଲଡେନ୍‌ ଗ୍ରାସ ହସ୍ତଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏଠାରେ ଶ୍ରୀ ପାଣ୍ଡିଆନ କାମ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ଓ ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ। ଗୋଲଡେନ୍‌ ଗ୍ରାସରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଉପଯୁକ୍ତ ମାର୍କେଟିଂ ପାଇଁ ପଦକ୍ଷେପ ନେବାକୁ ଏବଂ ଏହି ପ୍ରକଳ୍ପରେ ଅଧିକରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରିବାକୁ ସେ ହସ୍ତଶିଳ୍ପ ବିଭାଗକୁ ପରାମର୍ଶ ଦେଇଥିଲେ।

ଏହାପରେ ଶ୍ରୀ ପାଣ୍ଡିଆନ ବଡମୂଳବସନ୍ତ ଅଞ୍ଚଳରେ ଚାଲିଥିବା ଜୟ ସଂକଟମୋଚନ ଓ ମା ଶାରଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମତ୍ସ୍ୟ ଚାଷ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ । ପ୍ରକଳ୍ପ ସହିତ ସିଧାସଳଖ ସଂଶ୍ଲିଷ୍ଟ ହୋଇ କାମକୁ ଆଗେଇ ନେବାପାଇଁ ସେ ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ୫-ଟି ସଚିବ ପଟ୍ଟାମୁଣ୍ଡାଇସ୍ଥିତ ଷ୍ଟେଟ ଇଷ୍ଟିଚୁଟ୍‌ ଅଫ ପ୍ଲମ୍ବଲିଙ୍ଗ୍‌ ଟେକ୍ନୋଲୋଜି ବୁଲି ଦେଖିଥିଲେ। ସେଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ପିଲାମାନେ ଯେପରି ପାସ୍‌ ହେବା ପରେ ପରେ ତୁରନ୍ତ ନିଯୁକ୍ତି ପାଇପାରିବେ, ସେ ସଂପର୍କରେ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ସେ ଇଣ୍ଡୋର ଷ୍ଟାଡିୟମ୍‌ ଓ ଇଣ୍ଡୋର ହଲ୍‌ କାମ ଅନୁଧ୍ୟାନ କରି ଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଗୋଲରା ହାଟ ଠାରେ ସେ ମିଶନ ଶକ୍ତି ଅଧିନସ୍ଥ ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ ଦ୍ବାରା ପରିଚାଳିତ ଆମ୍ବ୍ରୋଡୋରି ଷ୍ଟିଚିଂ ୟୁନିଟ୍‌ ପରିଦର୍ଶନ କରିଥିଲେ। ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ସାମଗ୍ରୀ ପାଇଁ ଅଧିକ ବଜାର ସୁବିଧା କରିବା ପାଇଁ ସେ ପରାମର୍ଶ ଦେବା ସହିତ ଏହି ସଂସ୍ଥା ଗୁଡିକ ଅଧିକ ସହଯୋଗ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ଡେରାବିଶ ବ୍ଲକ୍‌ରେ ଏକ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ। ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ନୂଆ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ନିଜ ପାଇଁ ବଜାର ସୃଷ୍ଟି କରିବାରୁ ସେ ପରାମର୍ଶ ଦେଇଥିଲେ। ଡେରାବିଶରେ ସେ ପ୍ରାୟ ୬୦୦ ଜିଲ୍ଲାସ୍ତରୀୟ ଓ ବ୍ଲକ୍‌ସ୍ତରୀୟ ଓ ଗ୍ରାମପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଲୋକଙ୍କ ପାଇଁ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏ କ୍ଷେତ୍ର ପାଇଁ ଅର୍ଥର କୌଣସି ଅଭାବ ରହିବା ନାହିଁ ବୋଲି ସେ କହିଥିଲେ।

ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଂପୃକ୍ତ ଅଧିକାରୀମାନେ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର