ବାଲେଶ୍ବର: ବାଲେଶ୍ବରରେ ନୂଆ କରି କାର୍ଯ୍ୟକ୍ଷମ ହୋଇଥିବା ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ଅବସ୍ଥାକୁ ଦେଖି ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ(ଏମ୍ସିଆଇ)ର ପ୍ରତିନିଧିମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଦୁଇଦିନିଆ ଗସ୍ତରେ ଆସିଥିବା ଏହି ଟିମ୍ ଆଜି ଫେରି ଯାଇଥିବା ଜଣାପଡ଼ିଛି। କୋଲକାତା ନ୍ୟାସନାଲ ମେଡିକାଲ କଲେଜର ଡା. ଅଜୟ କୁମାର ରାୟଙ୍କ ନେତୃତ୍ବରେ ଆସିଥିବା ଉକ୍ତ ଟିମ୍ରେ ବେଙ୍ଗାଲୁରୁ ରାଜାଜୀନଗର ଇଏସ୍ଆଇ ହସ୍ପିଟାଲର ପ୍ରଫେସର ଏଲ୍. କଲାବତୀ ଓ କର୍ଣ୍ଣାଟକ ବିଜୟନଗର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ବେଲାରିର ଡା. ୱାଇ ବିଶ୍ବନାଥ ସାମିଲ ଅଛନ୍ତି। ଗତକାଲି ଏହି ଟିମ୍ ରେମୁଣାସ୍ଥିତ ମେଡିକାଲ କଲେଜରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ଉପସ୍ଥାନ ଖାତା ଯାଞ୍ଚ୍ କରିବା ସହ ହଷ୍ଟେଲ ଓ କ୍ୟାମ୍ପସ ନିରୀକ୍ଷଣ କରିଥିବାବେଳେ ଆଜି ଦ୍ବିତୀୟ ଦିନରେ ମେଡିକାଲ ହସ୍ପିଟାଲର ବିଭିନ୍ନ ୱାର୍ଡର ସ୍ଥିତି, ଆନୁସଙ୍ଗିକ ବ୍ୟବସ୍ଥା ଓ ଏମ୍ସିଆଇର ଗାଇଡଲାଇନ୍ଗୁଡ଼ିକୁ ବୁଲି ଯାଞ୍ଚ୍ କରିଥିଲେ।
ଆଜି ସକାଳେ ଟିମ୍ ପ୍ରଥମେ ମା’ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର(ଏମ୍ସିଏଚ୍)କୁ ଯାଇଥିଲେ। ସେଠାରେ ଅେସ୍ତ୍ରାପଚାର କକ୍ଷ(ଓଟି) ଓ ସେଥିରେ ଅପରେସନ୍ ସରଞ୍ଜାମଗୁଡ଼ିକୁ ଦେଖିବା ସହ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିଥିଲେ। ଏହାପରେ ସର୍ଜରି ୱାର୍ଡ, ଯକ୍ଷ୍ମା ୱାର୍ଡ, ଆଇସିୟୁ, ଏକ୍ସ-ରେ ଓ ବହିର୍ବିଭାଗ ଆଦି ବୁଲି ନିରୀକ୍ଷଣ କରିଥିଲେ। ସବୁ ୱାର୍ଡରେ ଶଯ୍ୟା ଅଭାବରୁ ରୋଗୀଙ୍କୁ ଚଟାଣରେ ଶୁଆଇ ଚିକିତ୍ସା କରାଯାଉଥିବା ଟିମ୍ର ନଜରରେ ପଡ଼ିଥିଲା। ବିଶେଷ କରି ହସ୍ପିଟାଲ ଓ ୱାର୍ଡଗୁଡ଼ିକରେ ସ୍ବଚ୍ଛତା ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଉ ନଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ରୋଗୀମାନେ ଟିମ୍ ଆଗରେ ଅଭିଯୋଗ କରିଥିଲେ। ଏ ନେଇ ଟିମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଉଦ୍ବେଗ ପ୍ରକାଶ ମଧ୍ୟ କରିଥିଲେ। ପରେ ସେମାନେ ବହିର୍ହିଭାଗ ଓ କାଜୁଆଲଟିକୁ ଯାଇ ସେଠାରେ ଚାଲିଥିବା ଚିକିତ୍ସା ସୁବିଧାକୁ ନିରୀକ୍ଷଣ କରିଥିଲେ। ତେବେ, ବିଭିନ୍ନ ବିଭାଗରେ ଡାକ୍ତର ଓ ପ୍ରଫେସରମାନେ ଡ୍ୟୁଟି ନ କରି ଅନୁପସ୍ଥିତ ରହୁଥିବାରୁ ଏହାକୁ ଗୁରୁତର ସହ ନେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ଟିମ୍ ସମସ୍ତ ତଥ୍ୟ ସଂଗ୍ରହ କରିବା ସହିତ ଭିଡିଓ ଫୁଟେଜ୍ ଓ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛି। ମାତ୍ର ମେଡିକାଲ ଓ କଲେଜ ସ˚ପର୍କରେ ସେମାନଙ୍କର ପ୍ରତିକ୍ରିୟା ଦେବାପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ଏହାର ସମସ୍ତ ରିେପାର୍ଟ ସେମାନେ ମେଡିକାଲ କାଉନ୍ସିଲକୁ ପ୍ରଦାନ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଏମ୍ସିଆଇ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଏହିପରି ନିରୀକ୍ଷଣ କରାଯାଇ ମେହିକାଲ କଲେଜ ଓ ହସ୍ପିଟାଲରେ ରହିଥିବା ସମସ୍ତ ତ୍ରୁଟି ଓ ସମସ୍ୟାର ସୁଧାର ଅଣାଯିବ। ଏମ୍ସିଆଇ ଟିମ୍ ଆଜି ପରିଦର୍ଶନ ସାରିବା ପରେ ଫେରି ଯାଇଥିବା ଜଣାପଡ଼ିଛି।