ରାଜନେତାଙ୍କ ଅନ୍ତୁଡ଼ିଶାଳ ବାଲେଶ୍ୱର ପୌରପାଳିକା: କାଉନ୍‌ସିଲରରୁ ବିଧାୟକ ହୋଇଛନ୍ତି ୩ ନେତା

ବାଲେଶ୍ବର : ଆସନ୍ତା ୨୪ରେ ପୌର ଭୋଟ୍‌। ତେବେ, ପୌରପାଳିକାରେ ଏମିତି କିଛି ନେତୃତ୍ବ ଅଛନ୍ତି, ଯେଉଁମାନେ କି ବିଗତ ଦିନରେ ସାଧାରଣ କାଉନସିଲର୍‌ରୁ ପରବର୍ତ୍ତୀ ସମୟରେ ବିଧାୟକ ଆସନ ଅଳଙ୍କୃତ କରି ରାଜନୀତିରେ ନିଜର ପାରଦର୍ଶିତା ପ୍ରମାଣିତ କରିଛନ୍ତି। ସେମାନେ ହେଲେ; ବାଲେଶ୍ବର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସ୍ବର୍ଗତ ସୁକୁମାର ନାୟକ, ବାଲେଶ୍ବର ସଦରର ପୂର୍ବତନ ବିଧାୟକ ଗୋପନାରାୟଣ ଦାସ ଓ ବର୍ତ୍ତମାନର ସଦର ବିଧାୟକ ସ୍ବରୂପ କୁମାର ଦାସ। ବିଧାନସଭାକୁ ଯିବାପୂର୍ବରୁ ଏହି ୩ ଜଣଙ୍କର ରାଜନୈତିକ ପଦାର୍ପଣ ହୋଇଥିଲା ବାଲେଶ୍ବର ପୌରପାଳିକାର କାଉନସିଲର୍‌ ଭାବେ।

ଆଜିକୁ ୧୪୬ ବର୍ଷ ପୂର୍ବରୁ ୧୮୬୨ ମସିହାରେ ବାଲେଶ୍ବର ପୌରପାଳିକା ଗଠନ ହୋଇଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରିୟନାଥ ସରକାର ଥିଲେ ପୌରପାଳିକାର ପ୍ରଥମ ଚେୟାରମ୍ୟାନ୍‌। ୧୯୬୮ ମସିହା ପୌର ନିର୍ବାଚନରେ ବାଲେଶ୍ବର ପୌରପାଳିକାରୁ କଂଗ୍ରେସ ଟିକଟରୁ କାଉନ୍‌ସିଲର ଭାବେ ନିର୍ବାଚିତ ହୋଇଥିଲେ ସୁକୁମାର ନାୟକ। ୧୯୭୦ ମସିହାରେ ତାଙ୍କୁ ପୌରପାଳିକାର ଅଧ୍ୟକ୍ଷ କରାଗଲା। ପରେ ଲଗାତାର ୫ ଥର ସେ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମଥର ପାଇଁ ୧୯୮୪ ମସିହାରେ ପୌରାଧ୍ୟକ୍ଷ ପଦ ପାଇଁ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ ସେ ବିଜୟୀ ହେବାସହ ୧୯୮୫ରୁ ୧୯୯୦ ମସିହା ପର୍ଯ୍ୟନ୍ତ କଂଗ୍ରେସ ଟିକଟରୁ ନୀଳଗିରି ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। ସେତେବେଳେ ସ୍ବର୍ଗତ ନାୟକ ଏକାସାଙ୍ଗରେ ବାଲେଶ୍ବର ପୌରାଧ୍ୟକ୍ଷ ସହ ବିଧାୟକ ଦାୟିତ୍ବ ମଧ୍ୟ ତୁଲାଇଥିଲେ।

୧୯୭୬ ମସିହା ପୌର ନିର୍ବାଚନରେ ଗୋପନାରାୟଣ ଦାସ ବାଲେଶ୍ବର ପୌରପାଳିକାକୁ କାଉନସିଲର୍‌ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୦ ମସିହା ପଞ୍ଚାୟତ ନିର୍ବାଚନରେ ସେ ବାଲେଶ୍ବର ସଦର ବ୍ଲକର ଅଧ୍ୟକ୍ଷ ନିର୍ବାଚିତ ହେବା ସହ ୧୯୮୫ ମସିହା ସାଧାରଣ ନିର୍ବାଚନରେ ସଦର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଭାବେ ବିଜୟୀ ହୋଇଥିଲେ। ୧୯୯୨ ମସିହାରେ ପୌରାଧ୍ୟକ୍ଷ ପାଇଁ ଅନୁଷ୍ଠିତ ପ୍ରତ୍ୟକ୍ଷ ନିର୍ବାଚନରେ ତାଙ୍କୁ କଂଗ୍ରେସରୁ ପ୍ରାର୍ଥୀ କରାଯାଇଥିଲା। ପରେ ୧୯୯୫ ମସିହାରେ ଶ୍ରୀ ଦାସ ପୁନର୍ବାର କଂଗ୍ରେସ ଟିକଟରୁ ବିଧାୟକ ପ୍ରାର୍ଥୀ ହୋଇ ସଦର ବିଧାନସଭା ଆସନରୁ ଲଢ଼ିଥିଲେ। ସେହିପରି ୨୦୧୩ ମସିହା ପୌର ନିର୍ବାଚନରେ କାଉନସିଲର୍‌ ଭାବେ ନିର୍ବାଚିତ ହୋଇଥିବା ସ୍ବରୂପ କୁମାର ଦାସ ବର୍ତ୍ତମାନ ବାଲେଶ୍ବର ସଦର ବିଧାୟକ ଅଛନ୍ତି। ୨୦୨୦ ମସିହା ଉପନିର୍ବାଚନରେ ସ୍ବରୂପ ବିଜେଡି ଟିକଟରୁ ବିପୁଳ ଭୋଟ୍‌ରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଧାୟକ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର