ବାଲେଶ୍ବର: ନିର୍ଯାତନା, ଶୋଷଣ, ଦୁଷ୍କର୍ମ ଆଉ କ’ଣ କ’ଣ ସହିବ ନାରୀ? ସେଦିନ ବ୍ୟାସକବି ଫକିର ମୋହନ ସେନାପତୀଙ୍କ ‘ରେବତୀ’ ଗପର ଝିଅଟିଏ ଆଜି ବି ବଞ୍ଚିଛି। ଏଇ ସମାଜରେ ପ୍ରତିଦିନ, ପ୍ରତିମୁହୂର୍ତ୍ତରେ ଜଳି ଜଳି ମରୁଛି। କେବେ ଯୌତୁକ ନିଆଁରେ ତ କେବେ କେଉଁ ପରୁଷ ପଞ୍ଝାରେ। ବିଶେଷ କରି ପାଠ ପଢୁଆ ଝିଅମାନେ ଘରୁ ବାହାରକୁ ପାଦ କାଢ଼ୁଛନ୍ତି ନିଜ ଭବିଷ୍ୟତ ଗଠନ କରିବାକୁ। ହେଲେ ଅଧାରେ ରହିଯାଉଛି ସେମାନଙ୍କ ସ୍ବପ୍ନ।

Advertisment

କାନରେ ବାର୍‌ ବାର୍‌ ବାଜୁଛି ବ୍ୟାସକବିଙ୍କ ସେ ଧାଡ଼ି ‘‘ଲୋ ରେବ..ଲୋ ଗାତ...ଲୋ ଚୁଲି’’। ତତ୍‌କାଳୀନ ସମାଜ ଅଣଉନ୍ନତ ‌ହୋଇଥିବାରୁ ନାରୀ ଶିକ୍ଷାର ଗୁରୁତ୍ବ ନଥିଲା। ଝିଅଟିଏ ପାଠ ପଢ଼ିଲେ ନିଜ ପାଇଁ ଓ ନିଜ ପରିବାର ପାଇଁ ବିପଦ ବୋଲି ଚିନ୍ତା କରାଯାଉଥିଲା। ହେଲେ ଆଜିର ଏ ଉନ୍ନତ, ପାଠୁଆ ସମାଜରେ ବି ଘଟୁଛି ସେଇ ସମାନ ଘଟଣା। ଆଜି ବି ଝିଅଟିଏ ପାଠ ପଢ଼ିବାକୁ ପାଦ କାଢ଼ି ନିଜ ପାଇଁ ଓ ତା’ ପରିବାର ପାଇଁ ଅସୁବିଧାର କାରଣ ପାଲଟୁଛି। କ’ଣ ବଦଳିଛି ସମାଜ? ହେଇଛି କି କିଛି ବିକାଶ?

ସରକାର ଓ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଅବହେଳା ହେତୁ ଆଖି ଆଗରେ ଚାଲିଗଲା ଜଣେ ମଧାବୀ ଛାତ୍ରୀର ଜୀବନ। ଧିକ୍‌ ଆମ ବିକାଶଶୀଳତାକୁ, ଧିକ୍‌ ଆମ ନ୍ୟାୟ ବ୍ୟବସ୍ଥାକୁ, ଧିକ୍‌ ଆମ ମଣିଷପଣିଆକୁ। ଇତିଶ୍ରୀ, ବେବନା, ମାଧବୀ, ମମତା ପୂର୍ବରୁ କେତେ ରେବତୀ ଯାଇଛନ୍ତି। ଆଜି ଆଉ ଜଣେ ରେବତୀ ଜଳିଗଲା ନିର୍ଯାତନା ନିଆଁରେ। ହେଲେ ସମାଜ, ବ୍ୟବସ୍ଥା ଆଗରୁ ଯେମିତି ଥିଲା ‌ଏବେ ବି ସେମତି ରହିଯାଇଛି। ଦେଖିବାକୁ ବାକି ରହିଲା; ଆଉ କେତେ ବର୍ଷ ପରେ ବିନା ସଙ୍କୋଚରେ ବାହାରକୁ ପାଦ କାଢ଼ିବ ରେବତୀ...