ବାଲେଶ୍ୱର : ଦକ୍ଷିଣ-ପୂର୍ବ ଖଡ଼ଗପୁର ଡିଭିଜନ୍‌ ଅଧୀନରେ ଥିବା ବାଲେଶ୍ୱର ରେଳ ଷ୍ଟେସନ୍‌ ଖୁବଶୀଘ୍ର ମଡେଲ୍‌ ରେଳ ଷ୍ଟେସନରେ ପରିଣତ ହେବ। ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପର ଗୁରୁବାର ଦିନ ଶିଳାନ୍ୟାସ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ଖଡ଼ଗପୁର ଡିଭିଜନ୍‌ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଏସ୍‌ଏମ୍‌ ମାହେଶ୍ୱରୀ, ଖଡ଼ଗପୁର ମଣ୍ଡଳ ରେଳ ପ୍ରବନ୍ଧକ ମନୋରଞ୍ଜନ ପ୍ରଧାନଙ୍କ ସମେତ ରେଳ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ତେବେ ଶିଳାନ୍ୟାସ ସମୟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ନାରାବାଜି ଚାଲିଥିଲା। ପ୍ରକଳ୍ପର ଶ୍ରେୟ ନେବାକୁ ଯାଇ ବିଜେଡି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ସ୍ଲୋଗାନ୍‌ ଦେଇଥିବା ବେଳେ ବିଜେପି କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତମାତା କି ଜୟନାରା ଦେଇଥିଲେ। ଯାହାଫଳରେ ସଭାକାର୍ଯ୍ୟ ସାମାନ୍ୟ ବିଳମ୍ବିତ ହୋଇଥିଲା।

Advertisment

ବାଲେଶ୍ୱର ରେଳ ଷ୍ଟେସନ୍‌ ହେଉଛି ଗ୍ରେଡ୍ ଏ’ ଷ୍ଟେସନ୍। ଏହି ଷ୍ଟେସନ୍‌ରୁ ପ୍ରତ୍ୟହ ୧୮ ହଜାରରୁ ଅଧିକ ଯାତ୍ରୀ ଯାତାୟାତ କରିଥାନ୍ତି। ଏହା ଓଡ଼ିଶାର ଏକ ପ୍ରମୁଖ ଷ୍ଟେସନ୍‌, ଯେଉଁଠାରେ ହାୱାଡ଼ାରୁ ଚେନ୍ନାଇକୁ ଯାଉଥିବା ସମସ୍ତ ଟ୍ରେନ୍‌ର ରହଣି ଅଛି। ଭୁବନେଶ୍ୱର-ରାଜଧାନୀ ଏକ୍ସପ୍ରେସ୍‌, ଭୁବନେଶ୍ୱର-ନୂଆଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସ୍‌, ହାୱାଡ଼ା-ଯଶବନ୍ତପୁର ହମ୍‌ସଫର ଏକ୍ସପ୍ରେସ୍‌, ପୁରୀ-ହାୱାଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌ ପରି ଅନେକ ଦୂରଗାମୀ ଓ ଦ୍ରୁତଗାମୀ ଟ୍ରେନ୍‌ ଏଠାରୁ ଯାତ୍ରୀ ପରିବହନ କରିଥାନ୍ତି। ବାଲେଶ୍ୱର ରେଳ ଷ୍ଟେସନ୍‌ର ରୂପରେଖ ଆସନ୍ତା ଦିନରେ ସଂପୂର୍ଣ୍ଣ ବଦଳିଯିବ। ମଡେଲ୍‌ ରେଳ ‌ଷ୍ଟେସନ୍‌ ଭାବେ ବିକଶିତ ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୨ ବର୍ଷ ମଧ୍ୟରେ ସମସ୍ତ କାମ ଶେଷ କରିବାକୁ ସିଦ୍ଧାନ୍ତ ହୋଇଛି।

ରେଳ ଷ୍ଟେସନ୍‌ ପରିସରରୁ ଜବରଦଖଲ ଉଚ୍ଛେଦ ସହିତ ମାଲଗୋଦାମ୍‌କୁ ଷ୍ଟେସନ୍‌ ପରିସରରୁ ସ୍ଥାନାନ୍ତର କରାଯାଇ ସେଠାରେ ନୂଆ ବିଲଡିଂ ନିର୍ମାଣ କରାଯିବ। ବସ୍‌ଷ୍ଟାଣ୍ଡରୁ ଫ୍ଲାଏ ଓଭର ନିର୍ମାଣ ହୋଇ ଷ୍ଟେସନ୍‌କୁ ସଂଯୋଗ ହେବ। ଯାତ୍ରୀ ବସ୍‌ଷ୍ଟାଣ୍ଡରୁ ଓହ୍ଲାଇ ସିଧାସଳଖ ଷ୍ଟେସନ୍‌ରେ ପହଞ୍ଚିପାରିବେ। ଏହା ସହିତ ଏହି ଅଞ୍ଚଳରେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ମଧ୍ୟ ଗଢ଼ିଉଠିବ। ନୂଆ ଷ୍ଟେସନ୍‌ରେ ପ୍ଲାଟ୍‌ଫର୍ମ ସଂପ୍ରସାରଣ, ଯାତ୍ରୀଙ୍କ ପାଇଁ ଲିଫ୍ଟ, ଅଟୋ ଚେୟାର, ସପିଂ ମଲ୍‌, ୱାଇଫାଇ, ରେସ୍ତୋରାଁ, ବେସ୍ କିଚେନ୍, ପାର୍ସଲ୍ ଷ୍ଟୋର୍‌ ଆଦି ଅତ୍ୟାଧୁନିକ ସୁବିଧା ରହିବ। ଏଥିସହିତ କ୍ଲୋକ୍‌ରୁମ୍ ଏଆର୍‌ଏମ୍‌, ଫାଷ୍ଟଏଡ୍‌ ବକ୍ସ, ଜିଆର୍‌ପି ପୋଷ୍ଟ, ବିଶ୍ରାମକକ୍ଷ, ଆରଏମ୍ଏସ୍, ଆରପିଏଫ୍ ପୋଷ୍ଟ, ଦେୟ ଓ ଦେୟମୁକ୍ତ ଶୌଚାଳୟ, ଅତ୍ୟାବଶ୍ୟକ ଘର, ଉଭୟ ପାର୍ଶ୍ବରେ ବୁକିଂ କାଉଣ୍ଟର ରହିବ। ଷ୍ଟେସନ୍‌ ବିଲଡିଂ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୩ କୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୭ କୋଟି ଖର୍ଚ୍ଚ କରାଯିବାକୁ ଯୋଜନା ହୋଇଛି।