ବାଲେଶ୍ବର ଜିଲ୍ଲାପାଳଙ୍କ ସୁରକ୍ଷାକର୍ମୀ ଓ ଗାଡ଼ିଚାଳକଙ୍କୁ କରୋନା

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୮, ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ବାଲେଶ୍ବର: ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ଦୁଇ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ଦୁଇ କର୍ମଚାରୀଙ୍କ ମଧ୍ୟରୁ ଜଣେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଜଣେ ତାଙ୍କ ଗାଡ଼ିର ଡ୍ରାଇଭର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କଠାରେ ଲକ୍ଷଣ ଜଣା ପଡ଼ି ନଥିବାରୁ ହୋମ ଆଇସୋଲେସନ୍‌ରେ ରଖାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ସୂଚନା ଦେଇଛନ୍ତି।

ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ ଜଣ ପିଅନ ଓ ଜଣେ ଷ୍ଟେନୋ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ କାର୍ଯ୍ୟାଳୟର କର୍ମଚାରୀମା‌ନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ସେମାନଙ୍କର ସମୂହ ନମୁନା ପରୀକ୍ଷା ପାଇଁ ଦାବି କରାଯାଇଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଜରୁରୀ କାମ ନଥିଲେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହାକୁ କଡ଼ାକଡ଼ି ଭାବେ ପାଳନ ହେଉଛି। ମାତ୍ର ଏ ଭିତରେ ଆକ୍ରାନ୍ତ ହୋଇଥିବା କର୍ମଚାରୀମାନେ କେବେ କାହା ସଂସ୍ପର୍ଶରେ ଆସିଲେ ସେନେଇ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜିଲ୍ଲାପାଳଙ୍କ ପାଖାପାଖି ରହୁଥିବା ୫ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେ କିପରି ଅଛନ୍ତି ଏବଂ କ୍ବାରାଣ୍ଟିନ୍‌ରେ ରହିଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଏନେଇ ଜିଲ୍ଲାପାଳଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସେ ଫୋନ୍‌ ଉଠାଇନଥିଲେ। ଏପରିକି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କୌଣସି ସୂଚନା ପାଇନଥିବା କହିଥିଲେ। ଅନ୍ୟପକ୍ଷରେ ବାଲେଶ୍ବରରୁ ଆଜି ଆଉ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଆଜି ମିଶାଇ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧିପାଇଛି। ସେହିପରି ଆଜି ୫୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ୧୪୮୮ରେ ପହଞ୍ଚିଛି। ତେବେ ଏ ପର୍ଯ୍ୟନ୍ତ ୧୦୪୯ ଜଣ ସୁସ୍ଥ ହୋଇଥିବା ବେଳେ ୪୨୮ ସକ୍ରିୟ ମାମଲା ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର