ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଗୁଳିକାଣ୍ଡ: ଗୁଳି ମାରି ୮ କିଲୋମିଟର ଯାଏ ଗୋଡ଼ାଇଲେ ଦୁର୍ବୃତ୍ତ

ଲୁଟ୍‌ ଉଦ୍ୟମ ବିଫଳ, ଜଣେ ଗୁରୁତର

ବାଲେଶ୍ବର: ଜାତୀୟ ରାଜପଥରେ ୨ ଜଣ ବାଇକ୍‌ ଆରୋହୀଙ୍କ ଉପରକୁ ଗୁଳିଚାଳନା ସହ ସେମାନଙ୍କ ନିକଟରେ ଥିବା ଟଙ୍କା ଲୁଟ୍‌ କରିବାକୁ ୮ କିଲୋମିଟର ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଗଲେ। ଶେଷ‌େର ଜୀବନ ରକ୍ଷା କରିବାକୁ ଶେରଗଡ଼ ଟୋଲଗେଟ୍‌ ନିକଟରେ ବାଇକ୍‌ ଆରୋହୀ ୨ ଜଣ ବାଇକ୍‌ ରଖି‌ ନିକଟରେ ଥିବା ଏକ ଯାତ୍ରାପାର୍ଟି କାର୍ଯ୍ୟାଳୟକୁ ପଶି ଯାଇଥିଲେ। ଫଳରେ ଲୁଟେରାଙ୍କ ଉଦ୍ୟମ ବିଫଳ ହୋଇଥିଲା ସତ କିନ୍ତୁ ସମସ୍ତଙ୍କ ଆଖି ସାମ୍‌ନାରେ ଦୁର୍ବୃତ୍ତମାନେ ‌ଭଦ୍ରକ ଅଭିମୁଖେ ଫେରାର ହୋଇଯାଇଥିଲେ। ସୋମବାର ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲାର ସଦର ଥାନାଠାରୁ ଖନ୍ତାପଡ଼ା ଥାନା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଏପରି ଆତଙ୍କିତ ଘଟଣା।

ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ୨ ଜଣ ବ୍ୟକ୍ତି ବାଲେଶ୍ବରରୁ ୨ ଲକ୍ଷ ଟଙ୍କା ଧରି ବାଇକ ଯୋଗେ ଭଦ୍ରକ ଅଭି‌ମୁଖେ ଯାଉଥିଲେ। ଖାନ୍‌ନଗର ନିକଟରେ ୨ଜଣ ଯୁବକ ଆଉଏକ ବାଇକ୍‌ରେ ଆସି ତାଙ୍କୁ ଅଟକାଇବା ସହ ଗୁଳିଚାଳନା କରିଥିଲେ, ଯାହାଫଳରେ ଜଣଙ୍କ ଅଣ୍ଟାରେ ଗୁଳି ବାଜିଥିଲା। ପ୍ରାଣବିକଳରେ ସେମାନେ ଦ୍ରୁତ ଗତିରେ ଗାଡ଼ି ଚଳାଇ ପ୍ରାୟ ୮ କିଲୋମିଟର ଯିବା ପରେ ସେରଗଡ଼ ଟୋଲଗେଟ୍‌ ପଡ଼ିଥିଲା। ସେଠାରେ ଗାଡ଼ି ରଖିଦେଇ ଦୁହେଁ ନିକଟରେ ଥିବା ଏକ ଯାତ୍ରାପାର୍ଟି କାର୍ଯ୍ୟାଳୟ ଭିତରକୁ ଦୌଡ଼ି ପଳାଇଥିଲେ। ତେବେ ଦୁର୍ବୃତ୍ତ ଦୁଇଜଣଙ୍କ ଲୁଟ୍‌ ଉଦ୍ୟମ ବିଫଳ ହୋଇଥିଲେ ମଧ୍ୟ ସେଠାରେ ସେରଗଡ଼ ଫାଣ୍ଡି ପୁଲିସ ଏବଂ ଟୋଲଗେଟ୍‌ କର୍ମଚାରୀ ଉପସ୍ଥିତ ଥିଲେ ହେଁ କେହି ଦୁର୍ବୃତ୍ତ ଦୁଇଜଣଙ୍କୁ ଅଟକାଇ ପାରି ନଥିଲେ। ଗୁଳିମାଡ଼ରେ ଗୁରୁତର ଦୁଇଜଣଙ୍କ ମଧ୍ୟରୁ ଜଣେ କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ। ‌ତେବେ ରାଜକିଶୋରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨ ସପ୍ତାହ ପୂର୍ବରୁ ଖାନ୍‌ନଗର ନିକଟରେ ସ୍ଥାନୀୟ ଏକ ସୋରୁମ୍‌ର ମ୍ୟାନେଜର ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ। ତାଙ୍କ ଠାରୁ ୩ ଲକ୍ଷରୁ ଅଧିକ ଟଙ୍କା ଦୁର୍ବୃତ୍ତମାନେ ଲୁଟିନେଇଥିଲେ। ପୁଲିସ ଏଯାଏ ସେମାନଙ୍କ ଟେର୍‌ ପାଇପାରିନଥିବା ବେଳେ ଲଗାତାର ଜିଲ୍ଲାରେ ଲୁଟେରାଙ୍କର ଏଭଳି ଆତଙ୍କରାଜ ସମସ୍ତଙ୍କୁ ଭୟଭୀତ କରିଦେଇଛି।

ସମ୍ବନ୍ଧିତ ଖବର