କଟକ: ବହୁଚର୍ଚ୍ଚିତ ବାଲେଶ୍ୱର ଯୌନ କେଳେଙ୍କାରୀ ମାମଲା ଭିନ୍ନ ମୋଡ଼ ନେଇଛି। ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଶାନ୍ତ ନାୟକଙ୍କ ବିରୋଧରେ ନିଆଯାଇଥିବା କଗ୍ନିଜାନ୍ସକୁ ରଦ୍ଦ କରିବା ପାଇଁ ରୁଜୁ ମାମଲାକୁ ଅନ୍ୟ ଖଣ୍ଡପୀଠକୁ ନେବା ପାଇଁ ପୀଡ଼ିତାଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଅନ୍ୟପଟେ ପୀଡିତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି.କେ.ନାୟକ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ନାୟକଙ୍କ ବିରୋଧରେ କଗ୍ନିଜାନ୍ସ ରଦ୍ଦ ପାଇଁ ରୁଜୁ ମାମଲାରେ ପୀଡିତା ପକ୍ଷଭୁକ୍ତ ହୋଇ ଖଣ୍ଡପୀଠଙ୍କ ଠାରୁ ନ୍ୟାୟ ପାଇବାର ଆଶା ନାହିିଁ ଦର୍ଶାଇ ମାମଲାକୁ ଅନ୍ୟ ଖଣ୍ଡପୀଠରେ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ପୀଡିତାଙ୍କ ସେହି ମିସ୍‌ କେସ୍‌କୁ ଜଷ୍ଟିସ ବି କେ ନାୟକ ନାକଚ କରିବା ସହିିତ ପୀଡିତାଙ୍କ ବିରୋଧରେ ଅପରାଧିକ ଅଦାଲତ ଅବମାନନା ମାମଲା ରୁଜୁ ପାଇଁ ହାଇକୋର୍ଟ ରେଜିଷ୍ଟ୍ରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତା ମିଛ ସତ୍ୟପାଠ ଦେଇ ଆଇନଜୀବୀ ଏବଂ ବିଚାରପତିଙ୍କ ବିରୋଧରେ ଆଣୁଥିବା ଅଭିଯୋଗର କୌଣସି ପ୍ରମାଣ ମିଳୁନାହିଁ ବୋଲି ମଧ୍ୟ ରାୟରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ନାୟକ ଏହି ଘଟଣାର ମୂଳ ମାମଲାକୁ ଅନ୍ୟ ଖଣ୍ଡପୀଠରେ ଶୁଣାଣି ପାଇଁ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ୨୦୦୬ରୁ ଏହି ମାମଲା ଶୁଣାଣି ପାଇଁ ୯ ଜଣ ବିଚାରପତିଙ୍କ ନିକଟକୁ ଯାଇ ସାରିଲାଣି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଏହି ବହୁ ଚର୍ଚ୍ଚିତ ଯୌନ କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତ କରି ସିଜେଏମ ଅଦାଲତରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିବାବେଳେ ବରିଷ୍ଠ ଆଇଏଏସ ଅଫିସର ଶ୍ରୀ ନାୟକଙ୍କ ବିରୋଧରେ କୌଣସି ପ୍ରମାଣ ପାଇନଥିଲା। ଏହାପରେ ତଦନ୍ତ ଚାଲୁରଖି ଶେଷରେ ସିବିଆଇ ଫାଇନାଲ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟକୁ ଚାଲେଞ୍ଜ କରି ପ୍ରଶାନ୍ତ ଦାଶ ନାମକ ଜଣେ ବ୍ୟକ୍ତି ସିବିଆଇ ନିମ୍ନ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। କୋର୍ଟ ଶ୍ରୀ ଦାଶଙ୍କ ମାମଲା ଉପରେ ଶୁଣାଣି କରି ୨୦୦୬ ମସିହାରେ ଏହା ଉପରେ କଗ୍ନିଜାନ୍ସ ଗ୍ରହଣ କରିଥିଲେ। ଶ୍ରୀ ନାୟକ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ରୁଜୁ କରି କଗ୍ନିଜାନ୍ସକୁ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ। ଏହି ମାମଲାରେ ପୀଡିତା ପକ୍ଷଭୁକ୍ତ ହେବା ପାଇଁ କୋର୍ଟରେ ଆବେଦନ କରିବା ସହ ଏକ ମିସ କେସ ଦାୟର କରିଥିଲେ। ମାମଲାର ଶୁଣାଣି ସମୟରେ ପୀଡିତା ବିଚାରପତିଙ୍କ ବିରୋଧରେ ଏକ ଅଭିଯୋଗ ଫର୍ଦ୍ଦ ଦାଖଲ କରି ଏଠାରୁ ନ୍ୟାୟ ମିଳିବ ନାହିଁ ବୋଲି ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି ଗତ ଡିସେମ୍ବର ମାସରେ ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଥିଲା। ପ୍ରଶାନ୍ତ ଦାଶଙ୍କ ପକ୍ଷରୁ ଆଇନଜୀବୀ ମଧୁସୂଦନ ପଣ୍ଡା, ପ୍ରଶାନ୍ତ ନାୟକଙ୍କ ପକ୍ଷରୁ ଆଇନଜୀବୀ ଦୀପାଳି ମହାପାତ୍ର, ସିବିଆଇ ପକ୍ଷରୁ ଏଏସଜି ଅନୁପ କୁମାର ବୋଷ ମାମଲା ପରିଚାଳନା କରୁଥିଲେ। ୧୯୯୯, ଜୁଲାଇ ୯ ତାରିଖରେ ଏହି ଚର୍ଚ୍ଚିତ ଘଟଣା ଭୁବନେଶ୍ୱର କ୍ରିଷ୍ଣା ଟାୱାରରେ ଘଟିଥିଲା। ଏହି ଘଟଣା ସଂପର୍କରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ତତ୍‌କାଳୀନ ସରକାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚି ଥିଲା। ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରି ମାମଲାକୁ ବନ୍ଦ କରିଥିଲେ। କିନ୍ତୁ ଏ ସଂକ୍ରାନ୍ତରେ ପୁଣି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ପ୍ରଶାନ୍ତ ଦାଶଙ୍କ ପକ୍ଷରୁ ରୁଜୁ ହେବା ପରେ ଅଦାଲତ ତାହାର ଶୁଣାଣି କରି ଘଟଣା ସଂପର୍କରେ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।