କଟକ ବାଲିଯାତ୍ରା ଉଦ୍‌ଘାଟିତ

କଟକ : ଐତିହାସିକ କଟକ ବାଲିଯାତ୍ରା ଆଜି ଉଦ୍‌ଘାଟିତ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ପ୍ରାଥମିକ ଭାବେ ଆସନ୍ତା ୧୦ ତାରିଖ ଶୁକ୍ରବାର ଦିନ ଶେଷ ହେବାକୁ ଥିବା ବେଳେ ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଗୋଟିଏ ଦିନ ବୃଦ୍ଧି କରାଗଲା ବୋଲି ଘୋଷଣା କରିଛନ୍ତି। ଅର୍ଥାତ ବାଲିଯାତ୍ରା ଆସନ୍ତା ୧୧ ତାରିଖ, ଶନିବାର ଦିନ ଶେଷ ହେବ। କିନ୍ତୁ ତା’ ପରଦିନ ରବିବାର ଥିବାରୁ ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ବ୍ୟବସାୟୀ ମହଲରେ ଦାବି ହେଉଛି।

କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ବିପଣନ ବାଲିଯାତ୍ରାର ମୂଳ ଲକ୍ଷ୍ୟ ନୁହେଁ। ବାଲିଯାତ୍ରା ଓଡ଼ିଶାର କଳା, ସଂସ୍କୃତି, ପ୍ରାଚୀନ ନୈବାଣିଜ୍ୟର ଗୌରବଗାଥା ବହନ କରୁଛି। ଏହା ଆମ ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ଉତ୍ତରପିଢ଼ିକୁ ପ୍ରେରଣା ପ୍ରଦାନ କରୁଛି। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଅନେକ ଥର ଦାବି ଉପସ୍ଥାପନ ହୋଇଥିଲେ ବି ତାହା ଗ୍ରହଣ କରାଯାଉ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ।

କଟକର ଜିଲ୍ଳାପାଳ ସୁଶାନ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ କ୍ରୀଡା,  ଯୁବ ବ୍ୟାପାର ଓ ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସାଂସଦ ଭର୍ତ୍ତୃହରି ମହତାବ, ନରେନ୍ଦ୍ର କୁମାର ସ୍ୱାଇଁ, ଡାକ୍ତର କୁଳମଣି ସାମଲ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ବିଧାୟକ ପ୍ରଭାତ ତ୍ରିପାଠୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡାକ୍ତର ପ୍ରମୋଦ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, କଟକ ମେୟର ମିନାକ୍ଷୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ତହସିଲଦାର ସଂଜୀବିତା ରାୟ ବିବରଣୀ ପାଠ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସିଏମସି କମିସନର ବିକାଶ ମହାପାତ୍ର। ଏହି ଅବସରରେ ବାଲିଯାତ୍ରା ସ୍ମରଣିକା ଏବଂ ବ୍ୟବସାୟୀ ସଂଘ ପକ୍ଷରୁ ‘ବାଲିଯାତ୍ରା-୨୦୧୭’ ଉନ୍ମୋଚନ ହୋଇଥିଲା।

ଚଳିତ ବର୍ଷ ବାଲିଯାତ୍ରାରେ ୩୬ଟି ସରକାରୀ ଓ ୮୭୬ ବେସରକାରୀ ଷ୍ଟଲ୍‌ ଖୋଲିଛି। ଓରମାସ ଭିତରେ ୪ଶହ ଷ୍ଟଲ୍‌ ଖୋଲିଛି। ପଲ୍ଲିଶ୍ରୀ ମେଳା, ଗାନ୍ଧିଶୀଳ୍ପ ବଜାର, ଭିନ୍ନକ୍ଷମ, କିନ୍ନରଙ୍କ ପ୍ରସ୍ତୁତ ସାମଗ୍ରୀ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ପାଲଟିଛି। ସୁରକ୍ଷା ବ୍ୟବସ୍ଥାରେ ୫୪ ପ୍ଲାଟୁନ୍‌ ଫୋର୍ସ, ୩୦୦ରୁ ଅଧିକ ଅଧିକାରୀ ଏବଂ ୧୮୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ପଡିଆରେ ମୁତୟନ ଅଛନ୍ତି।

ଅନ୍ୟପଟେ ବାଲିଯାତ୍ରାର ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଅନୁପସ୍ଥିତ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଅନୁପସ୍ଥିତ ଥିବା ବେଳେ ସାଂସଦ ଅନୁଭବ ମହାନ୍ତି, ବୈଜୟନ୍ତ ପଣ୍ଡା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଦେବାଶିଷ ସାମନ୍ତରାୟ, ପ୍ରକାଶ ବେହେରା ବି ଅନୁପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର