ଆଜିଠାରୁ ବାଲିଯାତ୍ରା

କଟକ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଚଳିତବର୍ଷ ପ୍ରଥମ ଥର ପାଇଁ ଦଶ ଦିନ ଚାଲିବ। ବାଲିଯାତ୍ରା ସର୍ବାଧିକ ୮ଦିନ ଆୟୋଜନର ରେକର୍ଡ ଥିଲେ ବି ଚଳିତବର୍ଷଠୁ ପ୍ରତିବର୍ଷ ଦଶ ଦିନ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛି।

ଆସନ୍ତାକାଲି ସଂଧ୍ୟାରେ ବୈଷ୍ଣବ ପାଣି ମଂଚରୁ ବାଲିଯାତ୍ରା କଟକ ଉତ୍ସବ-୨୦୧୮ ଉଦ୍‌ଘାଟନ ହେବ। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମିଳିତ ଭାବେ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୨ ତାରିଖରେ ବାଲିଯାତ୍ରା ଶେଷ ହେବ। ତେବେ ଏହି ଦଶ ଦିନର ବାଲିଯାତ୍ରା ସହିତ ଚଳିତବର୍ଷ ଅନେକ କିଛି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଡ଼ି ହେଇଯାଇଛି। ଆସନ୍ତା ୨୮ତାରିଖ ହକି ପୁରୁଷ ବିଶ୍ବକପ୍ ଉପଲକ୍ଷେ ବାରବାଟୀ ଷ୍ଟାଡିୟମ୍‌ରେ ଏ.ଆର୍. ରହେମାନ୍ ନାଇଟ୍ ସୋ’ ହେବାର କାର୍ଯ୍ୟକ୍ରମ ରହିଛି। କେବଳ ସେତିକି ନୁହେଁ, ଚଳିତବର୍ଷ ପ୍ରଥମର ଥର ପାଇଁ ବୈଷ୍ଣବ ପାଣି ମଂଚରୁ ପ୍ରତିଦିନ ସଂଧ୍ୟାରେ ପାରମ୍ପରିକ ଲୋକନୃତ୍ୟ ସହିତ ପ୍ରତିଷ୍ଠିତ କଣ୍ଠିଶିଳ୍ପୀଙ୍କ ଦ୍ବାରା ଆକର୍ଷଣୀୟ ସଂଗୀତି ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକ ଉପଭୋଗ କରିବେ।

ଅନ୍ୟପକ୍ଷରେ ଗୁରୁବାର ସୁଦ୍ଧା ତହସିଲ୍‌ ପକ୍ଷରୁ ସମୁଦାୟ ୧୦୮୬ଟି ପ୍ଲଟ୍ ଆବଣ୍ଟିତ ହୋଇଥିବା ବେଳେ ଏ ବାବଦରେ ମୋଟ୍ ୧ କୋଟି ୧୧ଲକ୍ଷ ୩ହଜାର ୬୪୦ଟଙ୍କା ରାଜସ୍ବ ଆୟ ହୋଇଛି। ଓରମାସ୍‌ ପକ୍ଷରୁ ବି ତଳ ପଡ଼ିଆରେ ୩୮୦ଟି ସ୍ବତନ୍ତ୍ର ଷ୍ଟଲ୍ ହୋଇଛି। କିନ୍ତୁ ପ୍ରଶାସନର ବାରମ୍ବାର ନିୟମ ବଦଳ ଯୋଗୁଁ ଦୋଳି କିମ୍ବା ବଡ଼ ଷ୍ଟଲ୍ କାମ ଶେଷ ହୋଇପାରିନାହିଁ। ଶେଷ ମୁହୂର୍ତ୍ତରେ ପ୍ଲଟ୍ ମିଳିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କ୍ଷୋଭର ସହ ବ୍ୟବସାୟୀ କହିଛନ୍ତି। ଏଭଳି ସ୍ଥିତିରେ ସଂପୂର୍ଣ୍ଣ ଭାବେ ସମସ୍ତ ଷ୍ଟଲ୍ ଓ ଦୋଳି ଚାଲୁ ହେଲା ବେଳକୁ ୨୪ କିମ୍ବା ୨୫ତାରିଖ ହେଇଯିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର