ବାଲେଶ୍ବର/ରେମୁଣା: ଉତ୍ତର ଓଡ଼ିଶାରେ ବାଲି ଓ ପଥର ମାଫିଆଙ୍କ ଆତଙ୍କରାଜ୍‌ ସୀମା ଟପିଲାଣି। ସ୍ବାର୍ଥରେ ସାମାନ୍ୟତମ ବାଧା ଉପୁଜିଲେ ରକ୍ତମୁଖା ହେଉଛନ୍ତି। ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରୁଛନ୍ତି। ଯାହାର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳରେ। ଏଠାରେ ବାଲେଶ୍ବର ଜିଲ୍ଲା କନିଷ୍ଠ ଖଣି ଅଧିକାରୀଙ୍କ ସହ ଡିଏସ୍‌ଏ ଓ ଡ୍ରାଇଭର୍‌ଙ୍କୁ ବାଲି ମାଫିଆ ନିସ୍ତୁକ ପିଟିଛନ୍ତି। 

Advertisment

ଆଜି ମଧ୍ୟାହ୍ନରେ ବାଲେଶ୍ବର ରେମୁଣା ଥାନା ଅଧୀନ ବୁଢ଼ାବଳଙ୍ଗ ନଦୀର କାଠସଙ୍ଗଡ଼ା ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଖବର ମିଳିଥିଲା। ଫଳରେ ବାଲେଶ୍ବର ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ତାପସ ବେହେରା ଓ ଡିଏସ୍‌ଏ ଦେବାଶିଷ ମହାନ୍ତି ସେଠାକୁ ଚଢ଼ଉ ପାଇଁ ଯାଇଥିଲେ। ଏହି ସମୟରେ ହଠାତ୍‌ ୭ରୁ ୮ଜଣ ବାଲି ମାଫିଆ ଗାଡ଼ିକୁ ଘେରି ଯାଇଥିଲେ। କନିଷ୍ଠ ଖଣି ଅଧିକାରୀ ଶ୍ରୀ ବେହେରାଙ୍କୁ ଗାଡ଼ି ଭିତରୁ ଟାଣିଆଣି ମାଡ଼ ମାରିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେହିପରି ଡିଏସ୍‌ଏ ଶ୍ରୀ ମହାନ୍ତି ଓ ଗାଡ଼ି ଚାଳକ ମନୋରଞ୍ଜନ ଦାସ ମଧ୍ୟ ମାଡ଼ ଖାଇ ଆହତ ହୋଇଥିଲେ। ଏପରି ବର୍ବରୋଚିତ କାଣ୍ଡ ଭିଆଇ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ। ଖବର ପାଇ ରେମୁଣା ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ବାରା କନିଷ୍ଠ ଖଣି ଅଧିକାରୀ ଶ୍ରୀ ବେହେରାଙ୍କ ଚିକିତ୍ସା ଚାଲିଛି। ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଡାକ୍ତରଖାନାରେ ପହଞ୍ଚି କନିଷ୍ଠ ଖଣି ଅଧିକାରୀ ଶ୍ରୀ ବେହେରାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଅନ୍ୟପଟେ ଜିଲ୍ଲା ଖଣି ଅଧିକାରୀ ସନ୍ତୋଷୀପ୍ରଭା ସେଠୀ ରେମୁଣା ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀ ଜୟକୃଷ୍ଣ ଗିରି ଏବଂ ତାଙ୍କ ସହଯୋଗୀମାନଙ୍କ ନାମରେ କେସ୍‌ ନମ୍ବର ୧୧୧/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ଏନେଇ ଉପଜିଲ୍ଲାପାଳ ଶ୍ରୀ ରାଜସିର୍କେ ଗଣମାଧ୍ୟମକୁ କହିଛନ୍ତି, ଖଣି ଅଧିକାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ନିନ୍ଦନୀୟ ଓ ଚିନ୍ତାଜନକ ଘଟଣା। ଏହାକୁ ବରଦାସ୍ତ କରାଯିବନି। ଜିଲ୍ଲା ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇଛି। ଦୋଷୀଙ୍କୁ କଡ଼ା ଦଣ୍ଡ ମିଳିବ। ଉଲ୍ଲେଖ ଥାଉକି; ୨୦୨୫ ଏପ୍ରିଲ୍ ୭ ବିଳମ୍ବିତ ରାତିରେ ୩ ଜଣ ସହକାରୀ ଖଣି ଅଧିକାରୀ ବାଲେଶ୍ବର ଖନ୍ତାପଡ଼ାଠାରେ ଏକ ବେଆଇନ ପଥର ଭର୍ତ୍ତି ଡମ୍ପର୍‌କୁ ଅଟକାଇଥିଲେ। ଏହି ସମୟରେ ୨୦ରୁ ଅଧିକ ପଥର ମାଫିଆ ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ଫଳରେ ସେମାନେ ଜୀବନବିକଳରେ  ଖନ୍ତାପଡ଼ା ଥାନା ଭିତରେ ପଶିଯାଇଥିଲେ। କେବଳ ସେତିକି ନୁହେଁ, ଅତୀତରେ ବାଲେଶ୍ବର ଉପଜିଲ୍ଲାପାଳ ମଧ୍ୟ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ।  ମୟୂରଭଞ୍ଜରେ ମଧ୍ୟ ବାଲି ଓ ପଥର ମାଫିଆମାନେ ସକ୍ରିୟ ଅଛନ୍ତି। ଜୁନ୍‌ ୨ ତାରିଖ ଦିନ କପ୍ତିପଦାର ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ସହ ତାଙ୍କ କାର୍‌ ଭାଙ୍ଗି ଦେଇଥିଲେ। ମାଫିଆମାନେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବା ପାଇଁ ସାହସ କେଉଁଠୁ ପାଉଛନ୍ତି, ସେନେଇ ପ୍ରଶ୍ନ ଉଠିଛି। କୁହାଯାଉଛି; ମାଫିଆଙ୍କ ଉପରେ କ୍ଷମତାଶାଳୀ ବ୍ୟକ୍ତିଙ୍କ ଅଭୟ ହାତ ରହୁଛି। ତେଣୁ ପୁଲିସ ଏ ଦିଗକୁ ଗୁରୁତ୍ବ ଦେଇ ତଦନ୍ତ କରୁ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।