ରାୟଗଡ଼ା: ନିୟମ ଉଲ୍ଲଂଘନ କରି ନାଗାବଳୀ, ବଂଶଧାରାରୁ ବାଲି ଉଠାଇଲେ। ବିନା ‘ୱାଇ’ ଫର୍ମରେ ଆନ୍ଧ୍ର ସମେତ ପଡ଼ୋଶୀ ଜିଲ୍ଲାକୁ ଚାଲାଣ ହେଲା ଶହ ଶହ ଟ୍ରିପ୍। କୋଟି କୋଟି ଟଙ୍କା ମୁନାଫା କମାଇଲେ ମାଫିଆ। ଶେଷରେ ଚୁକ୍ତି ଅବଧି ସରିବା ପୂର୍ବରୁ ରୟାଲ୍ଟି ନ ଦେଇ ଚମ୍ପଟ ମାରିଛନ୍ତି ଲିଜ୍ଧାରୀ। ଫଳରେ ରୟାଲ୍ଟି ବାବଦରେ ୨ କୋଟି ୪୯ ଲକ୍ଷ ୫ହଜାର ୫୧୬ ଟଙ୍କା ବକେୟା ପଡ଼ିଛି। ବକେୟା ରୟାଲ୍ଟି ପୈଠ ପାଇଁ ଖଣି ବିଭାଗ ଲିଜ୍ଧାରୀଙ୍କୁ ବାରମ୍ବାର ନୋଟିସ୍ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ରାମନାଗୁଡ଼ା ବ୍ଲକ୍ ଭାମିନି ବଂଶଧାରା ନଦୀ ବାଲିଘାଟକୁ ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ଲିଜ୍ ଆକାରରେ ନେଇଥିଲେ ମାଳତୀ ଜେନା। ବର୍ଷକୁ ୩୬୦୦ କ୍ୟୁବିକ୍ ମିଟର ହିସାବରେ ୫ ବର୍ଷରେ ୧୮ ହଜାର କ୍ୟୁବିକ୍ ମିଟର ବାଲି ଉତ୍ତୋଳନ ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ଅବଧି ସରିବା ପୂର୍ବରୁ ଲିଜ୍ଧାରୀ ବେଧଡ଼କ ବାଲି ଉଠାଇ ଗତବର୍ଷଠାରୁ ବାଲିଘାଟ ଛାଡ଼ି ପଳାଇଛନ୍ତି। ରୟାଲ୍ଟି ବାବଦକୁ ତାଙ୍କ ଉପରେ ୪୧ ଲକ୍ଷ ୩୫ ହଜାର ୩୮୪ ଟଙ୍କା ବକେୟା ରହିଛି। ସେହିପରି ବଂଶଧାରା ନଦୀ ଗୁଡ଼ାରି ସ୍ୟାଣ୍ଡ-୧କୁ ୨୦୨୩ରୁ ୨୦୨୫, ଦୁଇ ବର୍ଷ ପାଇଁ ଲିଜ୍ ସୂତ୍ରରେ ନେଇଥିଲେ ଲଳିତ କୁମାର ମହାନ୍ତି। ବାର୍ଷିକ ୧୨ ହଜାର କ୍ୟୁବିକ୍ ମିଟର ବାଲି ନେବା ପାଇଁ ଚୁକ୍ତି ହୋଇଥିଲା।
ଚୁକ୍ତି ଅବଧି ପୂର୍ବରୁ ଛାଡ଼ିଦେଲେ ଘାଟ
ନୋଟିସ୍ ଦେଇ ହାତବାନ୍ଧି ବସିଛି ଖଣି ବିଭାଗ
ଲିଜ୍ଧାରୀ ମାତ୍ରାଧିକ ବାଲି ଉଠାଇବା ପରେ ଅବଧି ନ ପୁରୁଣୁ ବାଲିଘାଟ ଛାଡ଼ିଦେଲେ। ରୟାଲ୍ଟି ବାବଦକୁ ତାଙ୍କ ଉପରେ ବକେୟା ଅଛି ୫୯ ଲକ୍ଷ ୪୫ ହଜାର ୫୪୫ ଟଙ୍କା। ଗୁଡ଼ାରି ବ୍ଲକ୍ ଖଇରାଗୁଡ଼ା ଗ୍ରାମ ନାଳଘାଟର ମଧ୍ୟ ସମାନ ଅବସ୍ଥା। ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ବାଲି ଉଠାଇବା ପାଇଁ ଦିଲ୍ଲୀପ ସାହୁ ଚୁକ୍ତି କରିଥିଲେ। ଅବଧି ପୂର୍ବରୁ ବାଲିଘାଟ ଛାଡ଼ି ଦେବାରୁ ରୟାଲ୍ଟି ବକେୟା ୪୮ ଲକ୍ଷ ୨୯ ହଜାର ୨୭୦ ଟଙ୍କା ଗଡ଼ୁଛି। ଗୁଣପୁର ତୁରକାନିଗୁଡ଼ା ବଂଶଧାରା ନଦୀରୁ ବାଲି ଉଠାଣ ପାଇଁ ଲିଜ୍ ପାଇଛନ୍ତି ଶିବାଶିଷ ସାହୁ। ୨୦୨୪ରୁ ୨୦୨୯, ୫ ବର୍ଷ ପାଇଁ ଲିଜ୍ ଅବଧି ରହିଛି। ଲିଜ୍ଧାରୀ କିଛି ଦିନ ବାଲି ଉଠାଇବା ପରେ ବାଲିଘାଟ ବନ୍ଦ ହୋଇଯାଇଛି। ଲିଜ୍ଧାରୀ ବାର୍ଷିକ ୨୫ ହଜାର ୧୦୦ କ୍ୟୁବିକ୍ ମିଟର ବାଲି ଉଠାଇବା ପାଇଁ ଚୁକ୍ତି କରିଛନ୍ତି। ତୁରକାନିଗୁଡ଼ା ବାଲିଘାଟ ବନ୍ଦ ଥିବାରୁ ବର୍ଷକ ମଧ୍ୟରେ ୭୮ ଲକ୍ଷ ୪୫ ହଜାର ୬୬୬ ଟଙ୍କା ରୟାଲ୍ଟି ବକେୟା ଅଛି। ତେବେ ଲିଜ୍ଧାରୀ ବକେୟା ରୟାଲ୍ଟି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଅନ୍ୟପକ୍ଷରେ ଭାମିନି, ଗୁଡ଼ାରି ସ୍ୟାଣ୍ଡ-୧ ଏବଂ ଖଇରାଗୁଡ଼ା ନାଳଘାଟ ଲିଜ୍କୁ ଖଣି ବିଭାଗ ବାତିଲ୍ କରିଛି। ବକେୟା ଟଙ୍କା ପୈଠ ପାଇଁ ମଧ୍ୟ ୩ ଲିଜ୍ଧାରୀଙ୍କୁ ନୋଟିସ୍ କରିଛି ଖଣି ବିଭାଗ। ବାରମ୍ବାର ନୋଟିସ୍ ସତ୍ତ୍ବେ ଲିଜ୍ଧାରୀ ରୟାଲ୍ଟି ପୈଠ କରୁନଥିବାରୁ ସେମାନଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ ହେବ ବୋଲି ଜିଲ୍ଲା ଖଣି ଅଧିକାରୀ ପର୍ଶୁରାମ ପ୍ରଧାନ କହିଛନ୍ତି।