କଟକ: ବୋଇତ ବିଳମ୍ବ ହେବା ଆଉ ଅତିଥିମାନଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟାଟେରି ଗାଡ଼ି ବ୍ୟବସ୍ଥା ନ ଥିବାରୁ ଆଜି ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ବୋଇତ ପ୍ରସ୍ତୁତ ହୋଇ ନଥିବାରୁ ମୁଖ୍ୟମନ୍ତ୍ରୀ ସିଲଭରସିଟି ବୋଟିଂ କ୍ଲବ୍ରେ ପାଖାପାଖି ୨୦ମିନିଟରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲେ। ଫଳରେ ବୋଇତରେ ଗଡ଼ଗଡ଼ିଆ ଘାଟକୁ ଯିବା ପାଇଁ ବିଳମ୍ବ ହୋଇଥିଲା। ବୋଇତ ଆସିବା ପରେ ମୁଖ୍ୟମନ୍ତ୍ରୀ ଗଡ଼ଗଡ଼ିଆ ଘାଟରେ ପହଞ୍ଚିଥିଲେ। ସେଠାରେ ବୋଇତ ବନ୍ଦାଣ କରି କଟକ-ଇନ୍-କଟକରେ ହୋଇଥିବା ପ୍ରଥମଥର ପାଇଁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପ୍ୟାଭିଲିୟନ୍କୁ ଯିବାକୁ ବ୍ୟାଟେରି ଗାଡ଼ିରେ ବସିଥିଲେ। ହେଲେ ଅନେକ ଅତିଥି ଥିବା ବେଳେ ଗୋଟିଏ ଗାଡ଼ି ଥିବାରୁ ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହିତ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ପ୍ୟାଭିଲିୟନ୍କୁ ଯାଇଥିଲେ।
୧୪ ଦେଶର ପ୍ରତିନିଧି ଖାଇଲେ ୧୨ ପ୍ରକାର ଓଡ଼ିଆ ପିଠା
କଟକ: ବାଲିଯାତ୍ରାରେ ଏତେ ସଂଖ୍ୟାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ହାଇକମିସନର ଯୋଗ ଦେବା ପ୍ରଥମ ଘଟଣା ହୋଇଥିବା ବେଳେ ଅତିଥିଙ୍କ ସ୍ବାଗତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ସିଲଭର ସିଟି ବୋଟ୍ କ୍ଲବ୍ରୁ ଅତିଥିଙ୍କୁ ବୋଇତରେ ଗଡ଼ଗଡ଼ିଆ ଘାଟକୁ ଅଣାଯାଇଥିଲା। ସେଠାରେ ସାଧବ ପୁଅ ଓ ସାଧବ ବୋହୂ ବେଶରେ ଥିବା ପୁରୁଷ ଓ ମହିଳା ଅତିଥିଙ୍କୁ ବନ୍ଦାପନା କରି ସ୍ବାଗତ କରିଥିଲେ। ଘାଟରେ କଦଳୀ ପଟୁଆରେ ପ୍ରସ୍ତୁତ ହୋଇଥିବା ବୋଇତକୁ ଅତିଥିମାନେ ମହାନଦୀରେ ଭସାଇଥିଲେ। ସେଠାରେ ଓଡ଼ିଶାର ନୌବାଣିଜ୍ୟ ଇତିହାସ ଉପରେ ପ୍ରଦର୍ଶିତ ବିଭିନ୍ନ ଚିତ୍ର ଓ ନକ୍ସାକୁ ଦେଖିଥିଲେ। ସେଠାରୁ ବ୍ୟାଟେରିଚାଳିତ ଗାଡ଼ିରେ ‘କଟକ ଇନ୍ କଟକ’ରେ ନିର୍ମାଣ ହୋଇଥିବା ‘ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସମୂହ ଷ୍ଟଲକୁ ବୁଲି ଦେଖିଥିଲେ। ଏହପରେ ଅତିଥିମାନେ ଓରମାସ ପରିସରରେ ଥିବା ଆଇଟିସି ଷ୍ଟଲ ବୁଲିବା ସହ ଏଠାରୁ ଲେମନ୍ ଗ୍ରାସ ତେଲ କିଣିଥିଲେ। ଓରମାସ ପରିସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିକ୍ରି ହେଉଥିବା ପିଠା ଷ୍ଟଲରେ ପୋଡ଼ପିଠା, ମଣ୍ଡାପିଠା, ଆରିସା, କ୍ଷୀର ପୋଡ଼ପିଠା, ଚନ୍ଦ୍ରକାନ୍ତି, ଗଇଁଠା, କରଞ୍ଜି, ହଳଦୀପତ୍ର ଆଦି ୧୨ଟି ପିଠା ଅତିଥିଙ୍କୁ ପରସା ଯାଇଥିଲା।
ସାଧବ ପୁଅବୋହୂ ବେଶରେ ମୁଖ୍ୟମନ୍ତ୍ରୀ ଓ ୧୪ ଦେଶର ପ୍ରତିନିଧିଙ୍କୁ ବନ୍ଦାପନା କଲେ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ
କଟକ: କଟକ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀମାନେ ସାଧବ ପୁଅ ଓ ବୋହୂ ବେଶ ହୋଇ ମୁଖ୍ୟମନ୍ତ୍ରୀ ଓ ୧୪ଟି ଦେଶରୁ ଆସିଥିବା ରାଷ୍ଟ୍ରଦୂତ ଏବଂ ପ୍ରତିନିଧିଙ୍କୁ ଦୁବ, ଅରୁଆ ଚାଉଳ, ଫୁଲ, ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ, ଡେପୁଟି କଲେକ୍ଟର ନିଷ୍ଟା ମହାପାତ୍ର, ସୌମ୍ୟା ଶତଭିସା, ଷ୍ଟାଫ୍ କମିଟି ସମ୍ପାଦକ ଗୁରୁ ଗୋବିନ୍ଦ ଦଳାଇ, ପ୍ରେମଲତା ସେଠୀ, ସୂର୍ଯ୍ୟ ପାଣି, ସ୍ୱାଗତିକା ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/16/lMAAEFlisqWosarIeMOA.jpg)