କଟକ: ଗୁଜରାଟର ଅହମଦାବାଦରେ ନିର୍ମିତ ସାବରମତୀ ରିଭର୍ଫ୍ରଣ୍ଟ ଶୈଳୀରେ ମହାନଦୀ ରିଭର୍ଫ୍ରଣ୍ଟ ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୫୦ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଆହୁରି ୧୫୦ କୋଟି ଟଙ୍କା ଏଥିପାଇଁ ଦିଆଯିବ ବୋଲି ଆଜି ଐତିହାସିକ ବାଲିଯାତ୍ରା କଟକ ମହୋତ୍ସବକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ସେ କହିଛନ୍ତି ଯେ କଟକ-ଭୁବନେଶ୍ବରକୁ ଦ୍ବୈତନଗରୀ ମାନ୍ୟତା ଦିଆଯାଇ ଉଭୟ ସହରର ବିକାଶ କରାଯିବ। ବାଲିଯାତ୍ରା ହେଉଛି ଓଡ଼ିଶାର ଇତିହାସ ଆଉ ସମୃଦ୍ଧ ନୌବାଣିଜ୍ୟର ପ୍ରତୀକ। ବାଲିଯାତ୍ରା କେବଳ ଏକ ଯାତ୍ରା ନୁହେଁ, ଏହା ବିଦେଶ ସହ ସଂପର୍କ ସ୍ଥାପନର ଏକ ମାଧ୍ୟମ ଥିଲା। ତେଣୁ ବାଲିଯାତ୍ରାକୁ ଅଧିକରୁ ଅଧିକ ସଂପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ସଚେତନ ଅଛନ୍ତି। ବାଲିଯାତ୍ରାକୁ ଆନ୍ତର୍ଜାତିକ ମାନ୍ୟତା ଦେବା ପାଇଁ ସରକାର ପଦକ୍ଷେପ ନେଇ ସାରିଛନ୍ତି। ଆଜି ୧୪ଟି ରାଷ୍ଟ୍ରର ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ବାଲିଯାତ୍ରାକୁ ଆନ୍ତର୍ଜାତିକ ମାନ୍ୟତା ମିଳିବା ପ୍ରକ୍ରିୟା ସୁଗମ ହେବ। କଟକର ଭାଇଚାରା, ଦହିବରା, ଠୁଙ୍କାପୁରୀ, ତାରକସୀ କାମ ପ୍ରସିଦ୍ଧ। କଟକରେ ସବୁ ଥାଇ ବି ଅବହେଳିତ ହୋଇ ଆସିଛି। କଟକର ଅଗ୍ରଗତି ପାଇଁ ଏ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
୨୦୦ କୋଟିରେ ମହାନଦୀ ରିଭର୍ଫ୍ରଣ୍ଟ ଯୋଜନା: ମୁଖ୍ୟମନ୍ତ୍ରୀ
କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ଆବାହକତ୍ବରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କଟକ ସାଂସଦ ଭର୍ତ୍ତୃହରି ମହତାବ, ମେୟର ସୁବାସଚନ୍ଦ୍ର ସିଂହ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ୍, ସଦର ବିଧାୟକ ଇଂ. ପ୍ରକାଶଚନ୍ଦ୍ର ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ଜଗତସିଂହପୁର
ସାଂସଦ ବିଭୂପ୍ରସାଦ ତରାଇ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କେନ୍ଦ୍ର ସରକାରଙ୍କ ସଚିବ (ପୂର୍ବାଞ୍ଚଳ) ଜୟଦୀପ ମଜୁମଦାର, ଉନ୍ନୟନ କମିସନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ସିଏମ୍ସି କମିସନର ଅନାମଚରଣ ପାତ୍ର ଧନ୍ୟବାଦ ଦେଇଥିଲେ।
ଅତିଥିମାନଙ୍କୁ ସିସୋର ବୋଟ୍ କ୍ଲବ୍ ନିକଟରୁ ବୋଇତରେ ଗଡ଼ଗଡ଼ିଆ ଘାଟକୁ ଅଣାଯାଇଥିଲା। ସେଠାରେ ପାରମ୍ପରିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପରେ ଅତିଥିମାନେ କଟକ ଇନ୍ କଟକ ଓ ଦକ୍ଷିଣ ପୂର୍ବ ଏସିଆ ପାଭିଲିଅନ୍ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବାଲିଯାତ୍ରା ସ୍ମରଣିକା ଓ ସ୍ମରଣିକାର ୨୫ ବର୍ଷ ପୂର୍ତ୍ତି ଅବସରରେ ‘କଟକ’ ପୁସ୍ତକ ଉନ୍ମୋଚନ ହୋଇଥିଲା। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାନ୍ତାଳୀ ଭାଷାରେ ପ୍ରସ୍ତୁତ ୫ଟି ଆର୍ଥିକ ସାକ୍ଷରତା ପୁସ୍ତକ ଉନ୍ମୋଚିତ ହୋଇଥିଲା।