କେନ୍ଦ୍ରାପଡ଼ା/କଟକ : କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଦିନକୁ ଦିନ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି। କେତେଜଣ ‌ଗୁରୁତରଙ୍କୁ ଆଇସିୟୁର ଆବଶ୍ୟକତା ରହିଥିଲେ ବି ସେମାନଙ୍କୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏପରିସ୍ଥଳେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୩୪ଜଣଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ରାତି ସାଢ଼େ ୧୧ଟା ବେଳେ କେନ୍ଦ୍ରାପଡ଼ା ପୌରପାଳିକା ଜଇପୁରାର ପିଣ୍ଟୁ ଖାଁ(୨୫)ଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ପ୍ରଥମ ‌ରୋଗୀ ଭାବେ ନିଶ୍ଚିତକୋଇଲି ବୁହାଳ ଗ୍ରାମର ଉଦୟନାଥ ଭୋଇଙ୍କ ମୃତ୍ୟୁ ଘଟିଥିଲା।

Advertisment

ଗୁରୁତରଙ୍କ ପାଇଁ ଆଇସିୟୁରେ ଶଯ୍ୟା ନାହିଁ
ଏବେ ବି ଆଉ ୩୨ ଜଣ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୮ଜଣ ଆଇସିୟୁରେ ଥିବା ସୂଚନା ମିଳିଛି। ତେବେ, କେତେଜଣ ‌ଗୁରୁତରଙ୍କୁ ଆଇସିୟୁର ଆବଶ୍ୟକତା ରହିଥିଲେ ବି ସେମାନଙ୍କୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ବର୍ଣ୍ଣ ଆଇସିୟୁରେ ୯ଟି ଶଯ୍ୟା ଥିବାବେଳେ ସବୁଗୁଡ଼ିକ ଭର୍ତ୍ତି। ଟ୍ରମା ଓ ସେଣ୍ଟ୍ରାଲ୍‌ ଆଇସିୟୁରେ ଶଯ୍ୟା ନାହିଁ। ଏପଟେ ପୋଡ଼ା ରୋଗୀଙ୍କ ସହିତ ଅନ୍ୟ ରୋଗୀଙ୍କୁ ଏକାଠି ଆଇସିୟୁରେ ଚିକିତ୍ସା କଲେ ସଂକ୍ରମଣର ଆଶଙ୍କା ବି ରହିଛି। କର୍ତ୍ତୃପକ୍ଷ ବିକଳ୍ପ ଆଇସିୟୁ ନିମନ୍ତେ ଚିନ୍ତା କରୁଥିଲେ ବି ଆଇସିୟୁ ଅଭାବ ଯୋଗୁଁ ଆହତଙ୍କ ଅବସ୍ଥା ସ୍ଥିର ଥିବା ଦର୍ଶାଇ ସେମାନଙ୍କୁ ୱାର୍ଡରେ ଚିକିତ୍ସା କରାଯାଉଛି। ଆଇସିୟୁ ନଥିବା ସମସ୍ୟା ଏଡ଼ାଇବା ପାଇଁ ଏମାନଙ୍କୁ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

ଆଇସିୟୁ ସଂପର୍କରେ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ଏସ୍‌ସିବିରେ ଆଇସିୟୁର ଅଭାବ ନାହିଁ। ଯଦି କୋଣସି ରୋଗୀଙ୍କୁ ଆଇସିୟୁର ଆବଶ୍ୟକ ପଡେ, ତୁରନ୍ତ ଅନ୍ୟ ବିଭାଗର ଆଇସିୟୁରେ ଭର୍ତ୍ତି କରାଯିବ। ସେମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।