ବାଲିଆ ବାଣ ବିସ୍ଫୋରଣ ଘଟଣା: ଗୁରୁତରଙ୍କ ପାଇଁ ଆଇସିୟୁରେ ଶଯ୍ୟା ନାହିଁ

ଆଉ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, ବିକଳ୍ପ ବ୍ୟବସ୍ଥା ଭରସାରେ ଏସ୍‌ସିବି କର୍ତ୍ତୃପକ୍ଷ

କଟକ : କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଦିନକୁ ଦିନ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି। କେତେଜଣ ‌ଗୁରୁତରଙ୍କୁ ଆଇସିୟୁର ଆବଶ୍ୟକତା ରହିଥିଲେ ବି ସେମାନଙ୍କୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୩୪ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ସେମାନଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ଅନ୍ୟ ୮ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସର୍ଜରି ୱାର୍ଡରେ ୨୩ ଜଣ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କ ଭିତରୁ ୨/୩ଜଣ ରୋଗୀଙ୍କ ଅବସ୍ଥା ବି ବିଗିଡ଼ିବାରେ ଲାଗିଛି।

ହସ୍ତଗତ ସୂଚନା ଅନୁସାରେ, ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ବର୍ଣ୍ଣ ଆଇସିୟୁରେ ୯ଟି ଶଯ୍ୟା ଥିବାବେଳେ ସବୁଗୁଡ଼ିକ ଭର୍ତ୍ତି। ଟ୍ରମା ଓ ସେଣ୍ଟ୍ରାଲ୍‌ ଆଇସିୟୁରେ ଶଯ୍ୟା ନାହିଁ। ଏପଟେ ପୋଡ଼ା ରୋଗୀଙ୍କ ସହିତ ଅନ୍ୟ ରୋଗୀଙ୍କୁ ଏକାଠି ଆଇସିୟୁରେ ଚିକିତ୍ସା କଲେ ସଂକ୍ରମଣର ଆଶଙ୍କା ବି ରହିଛି। କର୍ତ୍ତୃପକ୍ଷ ବିକଳ୍ପ ଆଇସିୟୁ ନିମନ୍ତେ ଚିନ୍ତା କରୁଥିଲେ ବି ଆଇସିୟୁ ଅଭାବ ଯୋଗୁଁ ଆହତଙ୍କ ଅବସ୍ଥା ସ୍ଥିର ଥିବା ଦର୍ଶାଇ ସେମାନଙ୍କୁ ୱାର୍ଡରେ ଚିକିତ୍ସା କରାଯାଉଛି। ଆଇସିୟୁ ନଥିବା ସମସ୍ୟା ଏଡ଼ାଇବା ପାଇଁ ଏମାନଙ୍କୁ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ତେବେ, ଆଇସିୟୁ ସଂପର୍କରେ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ଏସ୍‌ସିବିରେ ଆଇସିୟୁର ଅଭାବ ନାହିଁ। ଯଦି କୋଣସି ରୋଗୀଙ୍କୁ ଆଇସିୟୁର ଆବଶ୍ୟକ ପଡେ, ତୁରନ୍ତ ଅନ୍ୟ ବିଭାଗର ଆଇସିୟୁରେ ଭର୍ତ୍ତି କରାଯିବ। ସେମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜ୍ୟର ଏକମାତ୍ର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବେ କଟକ ବଡ଼ ଡାକ୍ତରଖାନାରେ ରହିଛି ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ ଓ ଆଇସିୟୁ। ସେହି କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ ୪ରୁ ୫ଜଣ ପୋଡ଼ାରୋଗୀ ଗୁରୁତର ଅବସ୍ଥାରେ ଏସ୍‌ସିବିକୁ ଚିକିତ୍ସା ପାଇଁ ଅସୁଛନ୍ତି। ଏହି ସଂଖ୍ୟା ବେଳେବେଳେ ୭-୮କୁ ବି ଛୁଉଁଛି। ହଠାତ୍‌ ଯଦି କୌଣସି ବଡ଼ ଅଘଟଣ ଘଟୁଛି, ତେବେ ସେମାନଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ସ୍ବତନ୍ତ୍ର କୋଠା ବା ବ୍ୟବସ୍ଥା ନାହିଁ। ବରଂ, ସେହି ପୁରୁଣା ବ୍ୟବସ୍ଥାକୁ ବ୍ୟବସ୍ଥିତ କରି ଚିକିତ୍ସା କରାଯାଉଛି। ଏବେ ଶୀତଦିନ ହୋଇଥିବାରୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଜଣାପଡିଛି। ଏଠ‌ାରେ ଉଲ୍ଲେଖଯୋଗ୍ୟ ଯେ ଏସ୍‌ସିବି ସର୍ଜରି ବିଭାଗରେ ସ୍ବତନ୍ତ୍ର ବର୍ଣ୍ଣୱାର୍ଡ ରହିଥିବା ବେଳେ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ବି ସ୍ବତନ୍ତ୍ର ୱାର୍ଡ ଓ ଆଇସିୟୁ ରହିଛି। ଏହି ୯ଟି ବର୍ଣ୍ଣ ଆଇସିୟୁକୁ ଗତମାସରେ ସ୍ବାସ୍ଥ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏହାପୂର୍ବରୁ ଏସ୍‌ସିବିରେ ସ୍ବତନ୍ତ୍ର ବର୍ଣ୍ଣ ଆଇସିୟୁ ନଥିଲା। ଗୁରୁତର ରୋଗୀ ସେଣ୍ଟ୍ରାଲ୍, ଟ୍ରମା ଓ ଅନ୍ୟ ଆଇସିୟୁ ଭରସାରେ ରହୁଥିଲେ।

ସମ୍ବନ୍ଧିତ ଖବର