କେନ୍ଦ୍ରାପଡ଼ା/କଟକ : କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାର ବାଣ ବିସ୍ଫୋରଣ ଘଟଣାରେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡିକାଲରେ ଭେଣ୍ଟିଲେଟରରେ ଥିବା ନିଶ୍ଚିନ୍ତକୋଇଲି ବୁହାଳୋ ଗ୍ରାମର ଉଦୟନାଥ ଭୋଇ (୪୫)ଶୁକ୍ରବାର ଦିନ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ଆଉ ୨ ଜଣ ଏବେ ଭେଣ୍ଟିଲେଟରରେ ଥିବାବେଳେ ୧୨ ଜଣ ଆଇସିୟୁରେ ଅଛନ୍ତି। ଏଭଳି ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ବଢ଼ିବାରେ ଲାଗିଛି।

Advertisment

ଗଲା ୨୩ତାରିଖରେ ବାଲିଆ ବଜାରରେ କାର୍ତ୍ତିକେଶ୍ବରଙ୍କ ଭସାଣ ଶୋଭାଯାତ୍ରାରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ୩୪ଜଣ ଆହତ ହୋଇଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ଅଘଟଣର ଠିକ ପରଦିନ ପୁଲିସ ଆଇଜି ନରସି˚ହ ଭୋଳ ଘଟଣାର ଛାନଭିନ୍‌ କରିବାକୁ ଯାଇ କହିଥିଲେ ଯେ ପୁଲିସର ବାରଣ ସତ୍ତ୍ବେ ପୂଜା କମିଟି ବାଣ ଫୁଟାଇଥିଲେ। ତେଣୁ ତଦନ୍ତରେ ଯିଏ ଦୋଷୀ ବାହାରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇଜିଙ୍କ ଏପ୍ରକାର ବୟାନ ପରେ ପୁଲିସ ମାମଲା (କେସ ନ˚-୪୯୪/୨୨, ଦଫା ୨୮୬, ୩୩୭, ୩୩୮, ୧୦୯ଆଇପିସି, ଲାଉଡ୍‌ ସ୍ପିକର‌୍‌ ଆକ୍ଟ୍‌) ରୁଜୁ କରି ମଳିକ ଓ ଦାସ ସାହିରୁ ୧୧ଜଣଙ୍କୁ ଉଠାଇ ନେଇଥିଲା। ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଆଜି ସେମାନଙ୍କ ମଧୢରୁ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯେଉଁ ତିନି ଜଣଙ୍କୁ ପୁଲିସ ଗିରଫ କରିଛି, ସେମାନେ ପୂଜା କମିଟିର ଆଗଧାଡ଼ିର କର୍ମକର୍ତା ନୁହନ୍ତି। କମିଟିର ଯିଏ ସଭାପତି ଓ ସ˚ପାଦକ, ସେମାନେ ଗିରଫ ଭୟରେ ଫେରାର‌୍‌ ହୋଇଯାଇଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି, ଗିରଫ ତିନି ଜଣଙ୍କ ମଧୢରେ ଚିଲୁ ଦାସ ଦିବ୍ୟାଙ୍ଗ। ତାଙ୍କର ଦୁଇହାତ ବଙ୍କା। ସେ ଭସାଣ ଶୋଭାଯାତ୍ରାକୁ ବି ଯାଇନଥିଲେ। ଗତକାଲି କାମ ସାରି ଆସି ଘରେ ଶୋଇଥିଲେ। ପୁଲିସ ହଠାତ୍‌ ଆସି ତାଙ୍କ ସ୍ବାମୀଙ୍କୁ ଉଠାଇ ନେଇ ଶୁକ୍ରବାର ଦିନ ଗିରଫ କରିଥିବା ପତ୍ନୀ ଦେବକୀ ଦାସ ଅଭିଯୋଗ କରିଛନ୍ତି। ପୁଲିସର ଏପ୍ରକାର କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଯଦି ଏଭଳି ବାଣ ଫୁଟାଇବା ପାଇଁ କମିଟି ଦୋଷୀ, ତାହେଲେ ଭସାଣ ଶୋଭାଯାତ୍ରାରେ ଡ୍ୟୁଟିରେ ଥାଇ ବାଣ ଫୁଟାକୁ ଉପଭୋଗ କରୁଥିବା ପୁଲିସ ବାବୁମାନେ କିଭଳି ଦୋଷମୁକ୍ତ ହୋଇଗଲେ? କାହିଁକି ଦାୟିତ୍ବରେ ଚରମ ଅବହେଳା ପାଇଁ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି?

ଶୁକ୍ରବାର ଦିନ କଟକ ବଡ଼ ମେଡିକାଲକୁ ଆସି ଆହତମାନଙ୍କୁ ଭେଟିବା ସହିତ ଘଟଣା ପାଇଁ ପୁଲିସ ସଂପୂର୍ଣ୍ଣ ଦାୟୀ ବୋଲି କହିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜପଥ ଅବରୋଧ ହୋଇ ଶୋଭାଯାତ୍ରା ବାଣଫୁଟା ଚାଲିଥିବା ବେଳେ ପୁଲିସ ତାହାକୁ ଉପଭୋଗ କରୁଥିଲା। ତେଣୁ ପୁଲିସ ବିରୋଧରେ ପ୍ରଥମେ ଦାୟିତ୍ବ ଖିଲାପ ଅଭିଯୋଗରେ ମାମଲା ରୁଜୁହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଶ୍ରୀ ମହାପାତ୍ର କହିଛନ୍ତି ଯେ ଯଦି ପୁଲିସ ନିଜ ଡ୍ୟୁଟି ଠିକ ଢଙ୍ଗରେ କରିଥାନ୍ତା ତେବେ ଆଜି ଏପରି ସ୍ଥିତି ଉପୁଜି ନଥାନ୍ତା। ଏହି ଘଟଣା ପାଇଁ ଦାୟୀ ପୁଲିସ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ୭୨ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜୟ ଦାବି କରିଛନ୍ତି।