ବଳିଆର ସ୍ୱାସ୍ଥ୍ୟ ସଙ୍କଟାପନ୍ନ, ଛାତିରେ ସଂକ୍ରମଣ ଯୋଗୁଁ ଭେଣ୍ଟିଲେଟରରେ ଭର୍ତ୍ତି

କଟକ: ଗୁରୁତର ଅବସ୍ଥାରେ ବଳିଆ | କଟକ ଏସସିବି ମେଡିକାଲରେ ବଳିଆ ଅବସ୍ଥା ଗୁରୁତର ହୋଇପଡିଛି | ଛାତିରେ ସଂକ୍ରମଣ ଯୋଗୁଁ ବଳିଆକୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି | ଗତକାଲି ରାତିରୁ ବଳିଆର ଛାତିରେ ସଂକ୍ରମଣ ହେବାରୁ ଓ ନିଶ୍ୱାସ ନେବାକୁ କଷ୍ଟ ହେବାରୁ ଭେଣ୍ଟିଲେଟର ଭର୍ତ୍ତି କରାଯାଇଛି | ବଳିଆର ସ୍ୱାସ୍ଥ୍ୟ ସଙ୍କଟାପନ୍ନ ଥିବାର ଏସସିବି ମେଡିକାଲ ଅଧୀକ୍ଷକ ସୂଚନା ଦେଇଛନ୍ତି | ସେହିପରି ଜଗା-ବଳିଆ ରହିଥିବା ସ୍ୱତନ୍ତ୍ର ୱାର୍ଡରେ ସେମାନଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଆସୁଥିବାରୁ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଉଛି |

ଯାହାକୁ ନେଇ ଗତକାଲି ସ୍ୱାସ୍ଥ୍ୟ ସଚିବ ଏସସିବି ଅଧିକ୍ଷକଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଯେଉଁମାନେ ଜଗା-ବଳିଆଙ୍କୁ ଭେଟିବାକୁ ଆସୁଛନ୍ତି ସେମାନେ ମନ ଇଚ୍ଛା ଭେଟିପାରିବେ ନାହିଁ | କେବଳ ଏସସିବି ଅଧିକ୍ଷକଙ୍କ ଅନୁମତି କ୍ରମେ ହିଁ ଭେଟିପାରିବେ | ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଏମ୍‌ସରୁ ସ୍ବତନ୍ତ୍ର ବିଶେଷଜ୍ଞ ଦଳଙ୍କ ସହିତ ଜଗା-ବଳିଆ ସେପ୍ଟେମ୍ବର ୭ ତାରିଖ ଅପରାହ୍ନରେ ଆସି କଟକ ବଡ ମେଡିକାଲରେ ପହଞ୍ଚିଥିଲେ।

ସେଠାରେ ତାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟ୍ରମା କେୟାର ଆଇସିୟୁ ସଂଲଗ୍ନ କ୍ୟାବିନ୍‌ରେ ଭର୍ତ୍ତି କରାଯାଇଥିଲା। ‌ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡା ଗାଁର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା।

ସମ୍ବନ୍ଧିତ ଖବର