ଭେଣ୍ଟିଲେଟରରେ ବଳିଆ : ପୂର୍ବରୁ ଚିକିତ୍ସା କରୁଥିବା ଦୁଇ ଡାକ୍ତରଙ୍କୁ କଟକ ପଠାଇବାକୁ ଦିଲ୍ଲୀ ଏମ୍ସକୁ ଚିଠି ଲେଖିଲେ ସରକାର

ବଳିଆ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି : ଏସସିବି ଅଧୀକ୍ଷକ

କଟକ : କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ  ଥିବା  ବଳିଆର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଛି  । ଶନିବାର ଏମ୍‌ସ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି କଟକ ଏସସିବିର ଡାକ୍ତରୀ ଦଳ । ଭିଡିଓ କନଫରେନ୍ସିଂ ଜରିଆରେ ଏମ୍‌ସ ଡାକ୍ତରଙ୍କ ସହ ଆଲୋଚନା ପରେ ବଳିଆର ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି ବୋଲି  ଏସସିବି ଅଧୀକ୍ଷକ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଦିଲ୍ଲୀ ଏମ୍ସରୁ ଆସି ଏସସିବିରେ ଚିକିତ୍ସିତ ହେଉଥିବା ବଳିଆର ଫୁସଫୁସର ସଂକ୍ରମଣ ଯୋଗୁ ସ୍ୱାସ୍ଥ୍ୟାବସ୍ଥା  ଗୁରୁତର ହୋଇପଡିଛି । ଏ ନେଇ ସରକାର ଦିଲ୍ଲୀ ଏମ୍ସକୁ ଚିଠି ଲେଖିଛନ୍ତି । ଜଗା ବଳିଆଙ୍କ ଚିକିତ୍ସା ତଦାରଖ କରୁଥିବା କମିଟିର ଅନୁରୋଧ କ୍ରମେ ସ୍ୱାସ୍ଥ୍ୟ ସଚିବ ଏମ୍ସକୁ ଚିଠି ଲେଖିଛନ୍ତି । ଏମସରେ ଚିକିତ୍ସା କରୁଥିବା ଦୁଇ ଡାକ୍ତରଙ୍କୁ ଏସସିବି ପଠାଇବାକୁ ଚିଠିରେ ଅନୁରୋଧ କରାଯାଇଛି ।

ଛାତିରେ ସଂକ୍ରମଣ ଯୋଗୁଁ ବଳିଆକୁ ଭେଂଟିଲେଟରକୁ ସ୍ଥାନାନ୍ତର କରାଯାଇଛି । ଫୁସଫୁସରେ ସଂକ୍ରମଣ ଯୋଗୁଁ ନିଶ୍ୱାସନେବାରେ କଷ୍ଟ ଅନୁଭବ ହେବାରୁ ଭେଂଟିଲେଟରରେ ଭର୍ତ୍ତି କରାଯାଇଛି । ଜଗା–ବଳିଆ ରହିଥିବା ସ୍ୱତନ୍ତ୍ର ୱାର୍ଡ଼ରେ ସେମାନଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଆସୁଥିବାରୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି ବଳିଆକୁ ଭେଟି ତା’ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଜଗା-ବଳିଆ ଗତମାସ ୮ତାରିଖରେ ଦିଲ୍ଲୀ ଏମ୍ସରୁ ଆସି କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ଜଗାର ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଥିବା ବେଳେ ବଳିଆ ସ୍ବାସ୍ଥ୍ୟାବସ୍ଥାରେ ବାରମ୍ବାର ସମସ୍ୟା ଦେଖାଯାଉଥିଲା। ତେବେ ଜଗା ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରକାଶ କରିଥିବାବେଳେ ବଳିଆକୁ ମଝିରେ ମଝିରେ ଜ୍ବର ଆସୁଥିବା ଜଣାପଡ଼ିଛି। ଛାତି ଏକ୍ସ-ରେ ରିପୋର୍ଟରେ ବଳିଆକୁ ନିମୋନିଆ ହୋଇଥିବା ଜଣାପଡ଼ିଛି। ଆଜି ଏସସିବି ପକ୍ଷରୁ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଚର୍ଚ୍ଚା କରାଯାଇ ପରବର୍ତ୍ତୀ ଚିକିତ୍ସା ସଂପର୍କରେ ଆଲୋଚନା କରିଛନ୍ତି। ତେବେ, ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବଳିଆକୁ ନେଇ ଏସସିବି କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଛନ୍ତି।

 

ସମ୍ବନ୍ଧିତ ଖବର