ହସ୍ପିଟାଲରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଝଡ଼ାଫୁଙ୍କା, ସାପ କାମୁଡ଼ା ରୋଗୀଙ୍କୁ ଭଲ କରିବାକୁ ପ୍ରୟାସ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍, ଅଭିଯୋଗକୁ ଅଧିକାରୀଙ୍କ ଖଣ୍ଡନ

ବାଲିଆପାଳ : ସାପ କାମୁଡ଼ିଲା, ରୋଗୀ ଆସିଲେ ବାଲିଆପାଳ ଡାକ୍ତରଖାନା। ଏଠାରେ ବି ତାଙ୍କୁ ଝଡ଼ାଫୁଙ୍କା କରଗଲା। ଗୁଣିଆ ନୁହେଁ, ଏଥର ଜଣେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଏ କାମରେ ଲାଗିଥିଲେ। ମନ୍ତ୍ର ଫୁଙ୍କି ରୋଗୀଙ୍କୁ ଭଲ କରିବା ପାଇଁ ଚେଷ୍ଟା କରିଥିଲେ। ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ ହେବାପରେ ସ୍ବାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ିଯାଇଛି। ଘଟଣାଟି ଗତସପ୍ତାହର। ଝଡ଼ାଫୁଙ୍କା କରିଥିଲେ ସ୍ବାସ୍ଥ୍ୟ ବିଭାଗର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଦୟାନିଧି ନାୟକ।

ଗତ ସପ୍ତାହରେ କୁହ୍ଲାଚଡ଼ ଗ୍ରାମର ବାବୁ ବାରିକ ନାମକ ଜଣେ ସର୍ପାଘାତରେ ଗୁରୁତର ଅବସ୍ଥାରେ ବାଲିଆପାଳ ଡାକ୍ତରଖାନାକୁ ଆସିଥିଲେ। ଡାକ୍ତର ଲକ୍ଷ୍ମୀଧର ମାଝୀ ରକ୍ତ ପରୀକ୍ଷା କରି ବିଷାକ୍ତ ସାପ ବୋଲି ନିଶ୍ଚିତ କରିବା ପରେ ତାଙ୍କୁ ବାଲେଶ୍ବର ରେଫର କରିଦେଇଥିଲେ। ତେବେ ଅସୁସ୍ଥଙ୍କୁ ବାଲେଶ୍ବର ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିବାବେଳେ, ସେଠାରେ ପହଞ୍ଚିଥିଲେ ବିପିଏମ୍ ଦୟାନିଧି ନାୟକ। ନିଜର ଝଡାଫୁଙ୍କା କୌଶଳ ଦେଖାଇଥିଲେ। ପରିବାର ଲୋକେ ବି ବିଶ୍ବାସ କରି ବାଧା ଦେଇ ପାରି ନ ଥିଲେ। ଶ୍ରୀ ନାୟକ ରୋଗୀଙ୍କ ସାପକାମୁଡ଼ା ସ୍ଥାନକୁ ବ୍ଲେଡରେ କାଟିବା ସହ, ସଫେଇ କର୍ମଚାରୀଙ୍କ ଦ୍ବାରା ଅରଖ ପତ୍ର ଆଣି ତାର କ୍ଷୀର କ୍ଷତ ସ୍ଥାନରେ ଲଗାଇ ସର୍ବସାଧାରଣରେ ଝଡ଼ାଫୁଙ୍କା କରିଥିଲେ। ତେବେ ଏହି ଭିଜୁଆଲ ଭାଇରାଲ ହେବାପରେ ଅଡୁଆରେ ପଡ଼ି ଶ୍ରୀ ନାୟକ ସଫେଇ ଦେଇଛନ୍ତି ଯେ, ସେଦିନ ଝଡ଼ାଫୁଙ୍କା କରି ନ ଥିଲେ ବରଂ ତାଙ୍କର ଆୟୁର୍ବେଦ ଜ୍ଞାନ ଥିବାରୁ ଚିକିତ୍ସା କରୁଥିଲେ। ଅବଶ୍ୟ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାଲେଶ୍ବର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେ ଏବେ ସୁସ୍ଥ ଥିବା ସୂଚନା ମିଳିଛି। କିନ୍ତୁ ବିପିଏମ୍ କିପରି ଆୟୁର୍ବେଦିକ ଚିକିତ୍ସା କଲେ ତାକୁ ନେଇ ପ୍ରଶ୍ନ ଉଠିଛି। ସାଧାରଣତଃ ବିପିଏମମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଏ, ଏମଏ କିମ୍ବା ଏମବିଏ ହୋଇଥାଏ। ବିପିଏମମାନେ କୌଣସି ପରିସ୍ଥିତିରେ ବି ଚିକିତ୍ସା କରିପାରିବେ ନାହିଁ। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ସେ ଖବର ପାଇଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବେ।

ସମ୍ବନ୍ଧିତ ଖବର