ବାଲିଆପାଳ ଆଦର୍ଶ ବିଦ୍ୟାଳୟ: ସରୁନି ନିର୍ମାଣ କାର୍ଯ୍ୟ, ଚିନ୍ତାରେ ଅଭିଭାବକ

ବାଲିଆପାଳ: ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତରେ ନିର୍ମାଣ ହେଉଛି ଆଦର୍ଶ ବିଦ୍ୟାଳୟ। ଏହି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଯେଉଁ ଅବଧି ଧାର୍ଯ୍ୟ ହୋଇଥିଲା ତାଠାରୁ ପ୍ରାୟ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହେବାକୁ ଆସିଲାଣି। ହେଲେ ୬୦ ପ୍ରତିଶତ କାମ ମଧ୍ୟ ଶେଷ ହୋଇନାହିଁ। ନିର୍ମାଣରେ ବିଳମ୍ବ ହେଉଥିରୁ ଏଠାରେ ପାଠ ପଢ଼ିବା ପାଇଁ ମନୋନୀତ ହୋଇଥିବା ୮୦ ଜଣ ମେଧାବୀ ଛାତ୍ରଛାତ୍ରୀ ଅସ୍ଥାୟୀ ଭାବେ ନିକଟସ୍ଥ ଗଦାଧର ଗିରି ଉଚ୍ଚବିଦ୍ୟାପୀଠରେ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ସେମାନଙ୍କ ରହିବା ପାଇଁ ହଷ୍ଟେଲ ବ୍ୟବସ୍ଥା ହୋଇନଥିବାରୁ ଅଭିଭାବକମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।

ଆଦର୍ଶ ବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଳରାମପୁରଠାରେ ସ୍ଥାନ ନିରୂପଣ କରାଯିବା ପରେ ଟେଣ୍ଡର ମାଧ୍ୟମରେ ଠିକାଦାର ରଣଜିତ ବେହେରାଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ତଦାରଖରେ ୩ କୋଟି ୨୮ ଲକ୍ଷ ୮୯ ହଜାର ୧୪୫ଟଙ୍କା ବିନିମୟରେ ନିର୍ମାଣ ହେଉଥିବା ଏହି କାର୍ଯ୍ୟ ୨୦୨୦ ମସିହା ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ସାରିବାକୁ ଧାର୍ଯ୍ୟ ହୋଇଥିଲା। ତେବେ କାର୍ଯ୍ୟ ଆରମ୍ଭରୁ  ନିର୍ମାଣଧୀନ ଜାଗାକୁ ନେଇ ଜଣେ ବ୍ୟକ୍ତି ମାମଲା ରୁଜ୍ଜୁ କରିବା ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଥିଲା। ପରେ ସମସ୍ୟାର ସମାଧାନ କରାଯାଇ ୧୨. ୭. ୨୧ରେ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ୬୦ ପ୍ରତିଶତ  ଶେଷ ହୋଇନଥିବା ଜଣାଯାଇଛି। ତେବେ ଠିକାଦାର ଆଗାମୀ ତିନିରୁ ଚାରିମାସ ମଧ୍ୟରେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଶେଷ କରିବେ ବୋଲି କହିଛନ୍ତି।

ଅପରପକ୍ଷରେ ଜୁନ ୧୬ ତାରିଖରୁ ଅସ୍ଥାୟୀ ଭାବେ ଗଦାଧର ଗିରି ଉଚ୍ଚବିଦ୍ୟାପୀଠରେ ପିଲାଙ୍କ କ୍ଲାସ ହେବା ପାଇଁ ସ୍ଥିର ହେବାପରେ ମନୋନୀତ ପିଲାମାନଙ୍କର  ନାମଲେଖା ହୋଇଛି। ରହିବା ପାଇଁ ହଷ୍ଟେଲ ବ୍ୟବସ୍ଥା ହୋଇ ନଥିବାରୁ ଦୂରଦୂରାନ୍ତରୁ ଯେଉଁ ଛାତ୍ରମାନେ ଏଠାରେ ନାମ ଲେଖାଇଛନ୍ତି ସେମାନଙ୍କ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି।
ଏ ସମ୍ପର୍କରେ ବାଲିଆପାଳ ବ୍ଲକ ଶିକ୍ଷାଅଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ପଚାରିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସମସ୍ତ ବ୍ୟବସ୍ଥା କରା ଯାଉଥିବା ବେଳେ ଖୁବଶୀଘ୍ର ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହଛନ୍ତି।

ସମ୍ବନ୍ଧିତ ଖବର