ଅଫେରା ରାଇଜରେ ବଳିଆ : ଲୁହରେ ଭିଜିଲା ମିଲୁପଡ଼ା ଗାଁ

ଶୋକାକୁଳ ପରିବେଶରେ ଶବ ସତ୍କାର, ଜଗାର ଆରୋଗ୍ୟ କାମନା କଲେ କନ୍ଧମାଳବାସୀ

ଫୁଲବାଣୀ : ଜାଆଁଳା ଭାଇ ଜଗାର ହାତ ଛାଡ଼ି ଅଫେରା ରାଇଜକୁ ଚାଲିଯାଇଛି ବଳିଆ। ଆଉ ଲୁହରେ ଭିଜିଛି ଜନ୍ମମାଟି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ା ଗାଁ। ଆଜି ସକାଳେ ବଳିଆର ଶବ ଗାଁରେ ପହଞ୍ଚିବା କ୍ଷଣି କାନ୍ଦବୋବାଳିରେ ଫାଟି ପଡ଼ିଥିଲା ପୂରା ପରିବେଶ। ଗ୍ରାମବାସୀ କୋହ ସମ୍ଭରଣ କରି ପାରି ନ ଥିଲେ। ପିଲାଠୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଓ ମହିଳା ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ମା’ ପୁଷ୍ପାଞ୍ଜଳି ଛାତି ପିଟି କାନ୍ଦୁଥିବାର ଦୃଶ୍ୟ ଅତି ହୃଦୟବିଦାରକ ଥିଲା। ବାପା ଭୂୟାଁ କହଁର ସ୍ତବ୍ଧ ପାଲଟିଯାଇଥିଲେ। କୁନି ବଳିଆ ସମସ୍ତଙ୍କୁ ଛାଡ଼ି ପଳାଇଛି, ଏହି କଥାକୁ କେହି ବିଶ୍ବାସ କରିପାରୁ ନଥିଲେ।

କାରଣ ଜଗାବଳିଆଙ୍କ ପାଇଁ ଘରେ ଘରେ ଦୀପ ଜଳିଥିଲା। ସବୁଠି ଗୁଞ୍ଜରିତ ହୋଇଥିଲା ପ୍ରାର୍ଥନା। ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଜଗା ଓ ବଳିଆ ଖୁସିରେ ଫେରି ହସି ଖେଳି ଜୀବନ କାଟିବେ। ୩ ବର୍ଷ ହେଲା ଗ୍ରାମବାସୀ ଏହି ଦିନକୁ ଚାହିଁ ବସିଥିଲେ। ହେଲେ ଜଗା ସୁସ୍ଥ ଥିବା ବେଳେ ବଳିଆର ଶବକୁ ଦେଖି ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ବଳିଆ ଶବ ହୋଇ ଫେରିବ ବୋଲି କେହି କଳ୍ପନା ମଧ୍ୟ କରି ନଥିଲେ। ଆଜି ସକାଳେ ବଳିଆର ଶବ ପହଞ୍ଚିବା କ୍ଷଣି ଗାଁ ଲୋକାରଣ୍ୟ ପାଲଟିଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଫିରିଙ୍ଗିଆ ଦାୟିତ୍ବରେ ଥିବା ଫୁଲବାଣୀ ବିଡିଓ ଶାନ୍ତନୁ କୁମାର ନାୟକ, ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ ଅନ୍ୟ ପଦାଧିକାରୀମାନେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ‌ଶୋକାକୁଳ ପରିବେଶରେ ବଳିଆର ଶବକୁ ସତ୍କାର କରାଯାଇଛି। ଅନ୍ୟପକ୍ଷରେ ଜଗା ସୁସ୍ଥ ହୋଇ ଗାଁକୁ ଫେରୁ ବୋଲି ଜେଜେବାପା ତୁଳା କହଁର ଓ ଗ୍ରାମବାସୀ ବାଲେଶ୍ବର ଚନ୍ଦନ ଏବଂ ସୁମିତ୍ରା କହଁର କହିଛନ୍ତି।

ଦିନ ମଜୁରିଆ ଭାବେ କାମ କରୁଥିବା ଭୂୟାଁ କହଁରଙ୍କ ପତ୍ନୀ ପୁଷ୍ପାଞ୍ଜଳି ଯୋଡ଼ାମୁଣ୍ଡ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଯାହାର ନାମ ଶ୍ରଦ୍ଧାରେ ଜଗା ଓ ବଳିଆ ବୋଲି ରଖାଯାଇଥିଲା। ୨୦୧୭ ମସିହାରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ଓ ପ୍ରସାର ପରେ ଦୁଇଭାଇଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତତ୍ପରତା ଦେଖାଇଥିଲେ। କନ୍ଧମ‌ାଳରୁ ଏକ ସ୍ବତନ୍ତ୍ର ଟିମ ଜଗା ଓ ବଳିଆକୁ ଭୁବନେଶ୍ବର ନେଇଥିଲେ। ସେଠାରୁ ବାପାମା’ଙ୍କ ଦୁଇଶିଶୁଙ୍କୁ ଦିଲ୍ଲୀସ୍ଥିତ ଏମ୍‌ସକୁ ପଠାଯାଇଥିଲା। ସେଠାରେ ପରୀକ୍ଷାନିରୀକ୍ଷା ପରେ ଡା.ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଗଠିତ ଟିମ୍ ଯୋଡ଼ାମୁଣ୍ଡ ଅଲଗା କରିବାକୁ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ଦିଲ୍ଲୀ ଏମ୍ସରେ ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯାଇ ଉଭୟଙ୍କୁ ଅଲଗା କରାଯାଇଥିଲା। ତେବେ ପ୍ରଥମରୁ ଜଗା ସୁସ୍ଥ ଥିବାବେଳେ ବଳିଆ ପ୍ରାୟତଃ ଶୋଇ ରହୁଥିଲା। ଏମ୍ସରେ ୨ବର୍ଷ ରହିବା ପରେ ଗତ ୨୦୧୯, ସେପ୍ଟେମ୍ବର ୭ ତାରିଖରେ ଜଗା-ବଳିଆଙ୍କୁ ଓଡିଶା ଫେରାଇ ଅଣାଯିବା ସହ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେବେଠୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳର ଅବଜେରଭେସନ୍‌ରେ ଦୁଇ ଭାଇ ଥିଲେ।

ଜଗା କ୍ରମଶଃ ସୁସ୍ଥ ହେଉଥିବାବେଳେ ହଠାତ ଗତ ସେପ୍ଟେମ୍ବର ମାସରୁ ବଳିଆର ସ୍ବାସ୍ଥ୍ୟରେ ଅବନତି ଘଟିଥିଲା। ଡାକ୍ତରୀ ଟିମର ବହୁ ଚେଷ୍ଟା ସତ୍ତ୍ବେ ଗତକାଲି ରାତିରେ ଜଗାକୁ ଛାଡ଼ି ବଳିଆ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲା। ବଳିଆ ସିନା ଆଖି ବୁଜି ଆରପାରିକୁ ଚାଲିଗଲା। ହେଲେ ଜଗା ସୁସ୍ଥ ‌ହୋଇ କନ୍ଧମାଳକୁ ଫେରୁ ବୋଲି ସବୁ ମହଲରୁ ଭଗବାନ ନିକଟରେ ପ୍ରାର୍ଥନା କରାଯାଇଛି।

ସମ୍ବନ୍ଧିତ ଖବର