ରାସନ୍‌ ପାଇଁ ମହିଳା ହିତାଧିକାରୀ ବିଡିଓଙ୍କ ପାଦତଳେ ପଡ଼ିବା ଘଟଣା : ତଦନ୍ତ ପରେ ବାଲିବିଲି ଡିଲର ନିଲମ୍ବିତ

ବରୀ : ରାସନ୍‌ ପାଇଁ ବିଡିଓଙ୍କ ପାଦତଳେ ପଡ଼ି ଜଣେ ମହିଳା ହିତାଧିକାରୀ ନେହୁରା ହେବା ଘଟଣାରେ ଯୋଗାଣ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ଏହାର ତଦନ୍ତ କରି ରାସନ କେଳେଙ୍କାରୀରେ ସଂପୃକ୍ତ ରିଟେଲରଙ୍କୁ ନିଲମ୍ବନ କରିଛି। ବରୀ ବ୍ଲକ୍ ବାଲିବିଲି ରିଟେଲର ଅନିରୁଦ୍ଧ ସାମଲଙ୍କୁ ଉପଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ଏ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟୁଇଟ୍‌ କରି ଜଣାଇଛନ୍ତି। ରାସନ କେଳେଙ୍କାରୀରେ ଜିଲ୍ଲାର ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଦଳିତ ବସ୍ତିର ହିତାଧିକାରୀଙ୍କ ଚାଉଳ କାଟିବାକୁ ନେଇ ପ୍ରତିବାଦ କରିବାରୁ ରିଟେଲର ଶ୍ରୀ ସାମଲ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ନେଇ ଅଭିଯୋଗ ପାଇବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବାସିନୀ ଶର୍ମା ତଦନ୍ତ କରିଥିଲେ। ବ୍ଲକ ପ୍ରଶାସନ ଘଟଣାର ତଦନ୍ତ କରିବା ବେଳେ ଦଳିତ ମହିଳା ବିଡ଼ିଓଙ୍କ ଗୋଡ଼ ତଳେ ପଡ଼ି ନ୍ୟାୟ ପାଇଁ ଗୁହାରି କରିବା ଦୃଶ୍ୟ ଭିଡ଼ିଓ ଭାଇରାଲ ହୋଇଥିଲା। ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାକୁ ଟୁଇଟ୍ କରି ଯାଜପୁର ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଡ଼ିଓ ଓ ବ୍ଲକ ଯୋଗାଣ ଅଧିକାରୀଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୫୭ ତା ୧୫/୫/୨୦ରିଖରେ ସଂପୃକ୍ତ ଡିଲରଙ୍କୁ ନିଲମ୍ବନ କରାଯାଇଛି। ହିତାଧିକାରୀଙ୍କ ଅଭିଯୋଗର ସତ୍ୟତା ପ୍ରମାଣିତ ହୋଇଛି। ସଂପୃକ୍ତ ଡିଲର ହିତାଧିକାରୀମାନଙ୍କୁ ପ୍ରାପ୍ୟ କୋଟାରୁ ଚାଉଳ କମ୍ ଦେଉଥିବା ବେଳେ ୯ ମାସର କିରାସିନି ଦେଇନଥିବା ଅଭିଯୋଗ ମଧ୍ୟ ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର