ବାଲିଡ଼ିଆ ଦ୍ବୀପ ଏବେ ଦେଶୀୟ ପକ୍ଷୀଙ୍କ ନୂଆଠିକଣା

ରାଜନଗର: ଚଳିତବର୍ଷ ପ୍ରଥମଥର ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ଦେଶୀୟ ପକ୍ଷୀଙ୍କ ନୂଆ ଠିକଣା ଠାବ କରାଯାଇଛି। ରାଜନଗର-ଆଳି ମଧ୍ୟରେ ବହିଯାଇଥିବା ବ୍ରାହ୍ମଣୀ ନଦୀ ମଝିରେ ସୃଷ୍ଟି ହୋଇଥିବା ବାଲିଡ଼ିଆ ଦ୍ବୀପରେ ଦେଶୀୟ ପକ୍ଷୀ ୨ହଜାରରୁ ଅଧିକ ବସା କରି ଛୁଆ ଫୁଟାଇଥିବା ଦେଖିବାକୁ ମିଳିଛି। ଦୀର୍ଘ ୨୮ ବର୍ଷ ଧରି ଭିତରକନିକା ଜାତୀୟ ଉଦ୍ୟାନର କେବଳ ବଗଗହନରେ ଦେଶୀୟ ପକ୍ଷୀମାନେ ବସା କରି ଅଣ୍ତା ଦେଉଥିଲେ। ମାତ୍ର ୨୦୧୭ ମସିହାରୁ ବଗଗହନକୁ ଦେଶୀୟ ପକ୍ଷୀମାନେ ଆସିବା ବନ୍ଦ କରିଦେଇଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଦେଶୀୟ ପକ୍ଷୀମାନେ ବାରମ୍ବାର ସେମାନଙ୍କ ଠିକଣା ବଦଳାଉଛନ୍ତି। ୧୯୭୨ରେ କାଳିଭଂଜଡିଆରେ ଦେଶୀୟ ପକ୍ଷୀ ଭିଡ଼ ଜମାଉଥିଲେ। ୧୯୮୧ରେ କାଳିଭଂଜଡିଆ ପରିବର୍ତ୍ତେ ଶୁଆଯୋରରେ ବସା ବାନ୍ଧିଥିଲେ। ୧୯୮୮ରେ ଶୁଆଯୋରରୁ ଠିକଣା ବଦଳାଇ ବଗଗହନକୁ ସ୍ଥାୟୀ ଠିକଣା କରିଥିଲେ ଦେଶୀୟ ପକ୍ଷୀ। ୧୯୮୮ରୁ ୨୦୧୬ ମସିହା ଯାଏ ଦୀର୍ଘ ୨୮ ବର୍ଷ ଧରି ଦେଶୀୟ ପକ୍ଷୀଙ୍କ ସ୍ଥାୟୀ ଠିକଣା ହୋଇଥିଲା ବଗଗହନ। ୩ ହେକ୍ଟର୍‌ ପରିମିତ ବଗଗହନ ପକ୍ଷୀଙ୍କ ତୀର୍ଥସ୍ଥଳୀ ପାଲଟି ଯାଇଥିଲା। ପର୍ଯ୍ୟଟକମାନଙ୍କର ସୁବିଧା ନିମନ୍ତେ ସେଠାରେ ୧୯୯୫ରେ ୱାଚ୍‌ଟାୱାର୍‌ ନିର୍ମାଣ ହୋଇଛି।

ଏହା ଉପରେ ଚଢ଼ି ଏକା ସମୟରେ ଗୋଟିଏ ସ୍ଥାନରେ ଲକ୍ଷାଧିକ ପକ୍ଷୀ ଦେଖିବାର ମଜା ନେଇଥାନ୍ତି। ୨୦୧୫ରେ ବଗଗହନରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା କମିଥିଲା। ୨୦୧୬ରେ କେବଳ ଗେଣ୍ତାଳିଆ ବସା ବାନ୍ଧିଥିଲେ। ୨୦୧୬ ପରଠୁ ବଗଗହନରେ ଆଉ ଦେଶୀୟ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ଶୁଭୁ ନାହିଁ। ୨୦୧୬ ମସିହାରୁ ମଠଆଡ଼ିଆରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିଲେ। ଗତ ୩ବର୍ଷ ହେଲା ମଠଆଡ଼ିଆ ସହିତ ଲକ୍ଷ୍ମୀପ୍ରସାଦଡ଼ିଆ ଓ ଦୁର୍ଗାପ୍ରସାଦଡ଼ିଆରେ ଦେଶୀୟ ପକ୍ଷୀମାନେ ବସା ବାନ୍ଧୁଛନ୍ତି। ମାତ୍ର ଚଳିତବର୍ଷ ବାଲିଡ଼ିଆ ଦ୍ବୀପରେ ଦେଶୀୟ ପକ୍ଷୀଙ୍କ କାକଳି ଶୁଭୁଛି। ୧୫ ହେକ୍ଟର୍‌ ପରୀମିତ ଏହି ଡିଆରେ ଆପେ ଆପେ ଲୁଣା ଜଙ୍ଗଲ ସୃଷ୍ଟି ହୋଇଛି। ଏହି ଦ୍ବୀପରେ ଓରୁଅ, କେରୁଆଁ, ବନି ପ୍ରଭୃତି ଗଛ ରହିଛି। ଚଳିତବର୍ଷ ଏହି ଦ୍ବୀପରେ ୨ ହଜାରରୁ ଅଧିକ ବସା ଦେଶୀୟ ପକ୍ଷୀମାନେ କରିଥିବା ଦେଖିବାକୁ ମିଳିଛି। ଏହି ଦ୍ବୀପରେ ଅଧିକ ସଂଖ୍ୟାରେ ଏସିଆନ୍‌ ଓପନବିଲ ପକ୍ଷୀଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏଥିସହ ଗେଣ୍ତାଳିଆ, ରାଣୀବଗ, ମଝିଆଁ ବଗ, ଛୋଟ ବଗ, ଦା ବେଣ୍ଟିଆ ଓ ପାଣିକୁଆ, କାପରଖାଇ ଆଦି ପକ୍ଷୀ ବସା କରି ଅଣ୍ତା ଦେଇଥିବା ଚଳିତବର୍ଷ ପକ୍ଷୀ ଗଣନା ସମୟରେ ଦେଖିବାକୁ ମିଳିଛି। ଅନ୍ୟପଟେ ବନବିଭାଗ ପକ୍ଷରୁ ଚଳିତବର୍ଷ ଭିତରକନିକାର ମଠଆଡ଼ିଆ, ଲକ୍ଷ୍ମୀସାଦଡିଆ, ଦୁର୍ଗାପ୍ରସାଦଡିଆ ସହିତ ବାଲିଡିଆ ଦ୍ବୀପରେ ଦେଶୀୟ ପକ୍ଷୀଙ୍କ କରାଯାଇଛି। ଚଳିତମାସ ୩ ତାରିଖରୁ ୭ ତାରିଖ ଯାଏ ପକ୍ଷୀ ଗଣନା କାର୍ଯ୍ୟ କରାଯାଇଥିଲେ ମଧ୍ୟ ରିପୋର୍ଟ ଏ ଯାଏ ଆସିନି।

ସମ୍ବନ୍ଧିତ ଖବର