ଯାଜପୁର/ ପାଣିକୋଇଲି : ବ୍ୟାସନଗର ତହସିଲ ଅନ୍ତର୍ଗତ ମୂଳାପାଳ ପଞ୍ଚାୟତର ଧନତ୍ରୀ ବାଲିଘାଟରେ ଆଜି ଜିଲ୍ଲା ପ୍ରଶାସନ ଛାନଭିନ୍‌ କରିଛି। ଗତମାସ ଚୁକ୍ତି ଅବଧି ଶେଷ ହୋଇଥିଲା। ଏହାପରେ ବି ନିୟମିତ ଲକ୍ଷ ଲକ୍ଷ ଟନ୍ ବାଲି ଚାଲାଣ ଜାରି ରହିଛି। ଏହି ବାଲିଘାଟରେ ବେଆଇନ କାରବାରକୁ ବିରୋଧ କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ହୋଇଥିଲା। ଏନ୍‌ଜିଟି ନିର୍ଦ୍ଦେଶରେ ସୋମବାର ଅପରାହ୍‌ଣରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ, ରାଜସ୍ବ ନିରୀକ୍ଷକ ପୂର୍ଣ୍ଣିମା ମଲିକ ଓ କର୍ମଚାରୀ ତଦନ୍ତ କରିଛନ୍ତି। ୪ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନ୍‌ଜିଟି ଜିଲ୍ଲାପାଳଙ୍କୁ ଗତ ଫେବ୍ରୁଆରି ୯ତାରିଖରେ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ତଦନ୍ତ କରାଯାଇଛି।

Advertisment

ଧନତ୍ରୀ ବାଲିଘାଟରୁ ଶହ ଶହ ହାଇୱା ଶ୍ମଶାନ ରାସ୍ତାରେ ଯାଉଥିବାର ଅଭିଯୋଗ ହୋଇଥିଲା। ଏଠାରେ ୧୫୦ରୁ ଅଧିକ ଗଛ କଟାଯାଇଥିବା ନେଇ ଗୋବିନ୍ଦପୁର ଗ୍ରାମର କୃଷ୍ଣ ଚନ୍ଦ୍ର ଖଟୁଆ ଏନ୍‌ଜିଟିର ଦ୍ବାରସ୍ଥ ହୋଇଥିଲେ। ଫେବ୍ରୁଆରି ୯ ତାରିଖରେ ଶୁଣାଣି କରି ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି ଗଠନ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଲିଜ୍‌ଧାରୀ ବିକାଶ ସ୍ବାଇଁଙ୍କ ଦ୍ବାରା ଗ୍ରାମ୍ୟ ଜଙ୍ଗଲ ଜମିରେ ବାଲି ବୋଝେଇ ଗାଡ଼ି ଚଳାଚଳକୁ ବନ୍ଦ କରିବାକୁ ବ୍ୟାସନଗର ତହସିଲଦାରଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ସୋମବାର ଦିନ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଛି। ଏହି ବାଲିଘାଟକୁ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ଯେଉଁ ରାସ୍ତାରେ ଯାଉଛି ତାହାର କିସମ ଯାଞ୍ଚ କରିଥିଲେ। ନଦୀ ପଠାରେ ଗାଡି ଯାତାୟତ କରୁଥିବାରୁ ଏହା ଅବାଦଯୋଗ୍ୟ ଅନାବାଦୀ କିସମ କି ନୁହେଁ ତଦନ୍ତ କରିଥିଲେ। ପରେ ଗଛ କଟାସ୍ଥଳ ପରିଦର୍ଶନ କରିଥିଲେ। ତହସିଲଦାର ଶ୍ରୀମାଝୀ କହିଛନ୍ତି ଜିଲ୍ଲାପାଳଙ୍କ ନିକଟରେ ତଦନ୍ତ ରପୋର୍ଟ ଦାଖଲ କରାଯିବ। ଅପରପକ୍ଷେ ଧନତ୍ରୀ ବାଲିଘାଟର ବାର୍ଷିକ ଚୁକ୍ତି ଶେଷ ହୋଇଯାଇଥବା ବେଳେ କିପରି ବାଲି ଚାଲାଣ ଚାଲିଛି? କେତେକ ରାଜସ୍ବ ବିଭାଗ ଅଧିକାରୀଙ୍କ ପ୍ରୋତ୍ସାହନରେ ଏ ସବୁ ବେଆଇନ କାର୍ଯ୍ୟ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି।