ବାଲିଗୁଡ଼ା ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ବିଡିଓଙ୍କ ଅଣଦେଖା: ବିଧାୟକଙ୍କ ନେତୃତ୍ବରେ ମିଳିମିଶି ଘେରିଲେ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡ଼ା ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ବ୍ଲକ୍‌ ଉନ୍ନୟନ ଅଧିକାରୀ (ବିଡିଓ) ଅଣଦେଖା କରୁଛନ୍ତି। ଏହିଭଳି ଅଭିଯୋଗ ଆଣି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ସମେତ ଜିଲ୍ଲାପରିଷଦ ସଭାପତି ନନ୍ଦିନୀ ମଳିକ, ବ୍ଲକ୍‌ ଅଧ୍ୟକ୍ଷା ମିଶାବତୀ ମଳିକଙ୍କ ସମେତ ନିର୍ବାଚିତ ପ୍ରତିନିଧିମାନେ ଅଚାନକ ବ୍ଲକ୍‌ ଅଫିସ୍‌ରେ ଧସେଇ ପଶି ବିଡିଓ ଡ.ଜଗଦୀଶ ଷଡ଼ଙ୍ଗୀଙ୍କୁ ଘେରିଯାଇ ତୁମ୍ବିତୋଫାନ କରିଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗ ଅନୁସାରେ, ଅଧ୍ୟକ୍ଷାଙ୍କୁ ଉନ୍ନୟକ କାର୍ଯ୍ୟ ବିଷୟରେ ସୂଚନା ଦେଉନାହାନ୍ତି ବିଡିଓ। ପରିଦର୍ଶନରେ ଯିବା କିମ୍ବା କାର୍ଯ୍ୟାଳୟକୁ ଯାତାୟାତ ନିମନ୍ତେ ବ୍ଲକ୍‌ ପକ୍ଷରୁ ଜାଣିଶୁଣି ଗାଡ଼ି ବ୍ୟବସ୍ଥା କରାଯାଉ ନାହିଁ। ବିଡିଓ ଅଧ୍ୟକ୍ଷା ଓ ନିର୍ବାଚିତ ସଦସ୍ୟ ସଦସ୍ୟାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଣଦେଖା କରୁଛନ୍ତି। ଦାୟିତ୍ବ ନେବାର ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ବିଡିଓ ଦିନେ ବି ଅଧ୍ୟକ୍ଷାଙ୍କୁ ଭେଟିନାହାନ୍ତି। ସେହିପରି ବ୍ଲକ୍‌ର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ କୌଣସି ଆଲୋଚନା ନକରି ନିଜ ଇଚ୍ଛାମୁତାବକ ସବୁ କାମ ବିଡିଓ ହିଁ କରି ଚାଲିଛନ୍ତି।

ଏହାର ପ୍ରତିବାଦରେ ବିଧାୟକଙ୍କ ନେତୃତ୍ବରେ ଏହି ଟିମ୍‌ ବିଡିଓଙ୍କୁ ଘେରାଉ କରିଥିଲେ। ଉପାଧ୍ୟକ୍ଷା ନିକଜିନି ଦିଗାଳ ଓ ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ମଧ୍ୟ ଘେରାଉରେ ସାମିଲ୍‌ ହୋଇ ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଅଣଦେଖା ବରଦାସ୍ତ କରାଯିବ ନାହିଁ ବୋଲି ବିଡିଓଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ। ବେଶ୍‌ କିଛିସମୟ ଯୁକ୍ତିତର୍କ ପରେ ସମସ୍ତ ଜନପ୍ରତିନିଧି ବିଡିଓଙ୍କ କାର୍ଯ୍ୟାଳୟରୁ ତୀବ୍ର ଅସନ୍ତୁଷ୍ଟ ହୋଇ ବାହାରି ଚାଲି ଯାଇଥିଲେ।

ଘଟଣା ସମ୍ପର୍କରେ ବିଡିଓ ଡ.ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରିବାରୁ, ଜିଲ୍ଲା ପରିଷଦ ସଭାପତି ଓ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ବ୍ଲକ୍‌ ଅଧ୍ୟକ୍ଷାଙ୍କ ନିମନ୍ତେ ସମସ୍ତ ସୁବିଧା ଯୋଗାଇ ଦିଆ ଯାଇଥିବା ଓ ସମସ୍ତ ଉନ୍ନୟନ କାର୍ଯ୍ୟ ବିଷୟରେ ଅବଗତ କରାଯାଇ କାର୍ଯ୍ୟ ହେଉଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର