ଫୁଲବାଣୀ (ରଞ୍ଜନ ପ୍ରଧାନ): ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୨୪ ସାଧାରଣ ନିର୍ବାଚନରେ ଶାସକ ବିଜୁ ଜନତା ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଲଗାତାର ୨୦୧୪ ଓ ୨୦୧୯ ନିର୍ବାଚନରେ ଶାସକ ବିଜେଡି ଏଠାରୁ ବିଜୟୀ ହୋଇ ୨୦୨୪ ନିର୍ବାଚନରେ ହ୍ୟାଟ୍ରିକ୍ ବିଜୟ କରିବାର ଲକ୍ଷ୍ୟରେ ଅଛି। ବାଲିଗୁଡ଼ା ବିଧାନସଭା ପାଇଁ ଶାସକ ବିଜୁ ଜନତା ଦଳରୁ ସ୍ବାଭାବିକ ଭାବେ ବହୁ ଆଶାୟୀ ଥିବାବେଳେ ବର୍ତ୍ତମାନର ବିଧାୟକ ଚକ୍ରମଣି କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବରିଷ୍ଠ ବିଜେଡି ନେତା କ୍ଲେଶ ପ୍ରଧାନ ପ୍ରମୁଖଙ୍କ ନାମ ଆଗରେ ରହିଛି।
ଅନ୍ୟପଟେ, ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ ଏବଂ ୨୦୦୪ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ କରେନ୍ଦ୍ର ମାଝି ବିଜୟୀ ହୋଇଥିବା ବେଳେ ୨୦୦୦ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର କହଁର ବିଜୟୀ ହୋଇଥିଲେ। ତେବେ ୨୦୦୦ ଏବଂ ୨୦୦୪ ନିର୍ବାଚନ ଅପେକ୍ଷା ୨୦୦୯ ନିର୍ବାଚନ ସ୍ବତନ୍ତ୍ର ଥିଲା। ୨୦୦୦ ଏବଂ ୨୦୦୪ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଏଠାରୁ ବିଜେପି ପ୍ରାର୍ଥୀ ବିଜୟୀ ହେଉଥିବା ବେଳେ ୨୦୦୯ରେ ମେଣ୍ଟ ଭାଙ୍ଗିଯିବା ପରେ ବିନା ମେଣ୍ଟରେ ବିଜେପି ଏଠାରୁ ଏକୁଟିଆ ଲଢ଼ି ବିଜୟୀ ହୋଇଥିଲା। କୁହାଯାଉଛି, ୨୦୦୯ ନିର୍ବାଚନରେ ବିଜେପି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନିଧନ ଘଟଣାକୁ ପୁଞ୍ଜି କରି ନିର୍ବାଚନ ବୈତରଣୀ ପାର୍ ହେବାରେ ସଫଳ ହୋଇ ପାରିଥିଲା। ତେବେ ୨୦୨୪ ନିର୍ବାଚନରେ ମଧ୍ୟ ବିଜେପି ସେହି ପୁରୁଣା ପ୍ରସଙ୍ଗ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଆୟୁଧ କରି ଲଢ଼ିବାକୁ ଯୋଜନା କରୁଛି। କାରଣ ଗତ ବର୍ଷକ ମଧ୍ୟରେ ବିଜେପିର କେନ୍ଦ୍ରୀୟ ସଭାପତି ଜେପି ନଡ୍ଡାଙ୍କଠାରୁ ଆରମ୍ଭ କରି ରାଜ୍ୟ ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀମାନେ ଘନଘନ ତୁମୁଡ଼ିବନ୍ଧ ଜଲେଶପଟାସ୍ଥିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମ ପରିଦର୍ଶନ କରି ଫେରିଗଲେଣି। ବିଜେପିର କେନ୍ଦ୍ରୀୟ ଏବଂ ରାଜ୍ୟ ନେତୃତ୍ବର ଫୋକସ୍ରେ କନ୍ଧମାଳ ଜିଲ୍ଲା ରହିଛି ବୋଲି ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ କହିଛନ୍ତି। ଅନ୍ୟପଟେ, ରାଜ୍ୟ ସରକାର କାହିଁକି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ତଦନ୍ତ କମିସନ ରିପୋର୍ଟ ସାର୍ବଜନୀନ କରୁନାହାନ୍ତି ବୋଲି ବିଜେପି ବାରମ୍ବାର ପ୍ରଶ୍ନ ଉଠାଇ ଶାସକ ବିଜେଡିକୁ ଟାର୍ଗେଟ୍ କରି ଆସୁଛି। ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ପ୍ରାର୍ଥୀ ଭାବେ ବିଜେପିର ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଓ ସୁରେନ୍ଦ୍ର କହଁରଙ୍କ ନାମ ଶୁଣାଯାଉଛି।
ଏହା ମଧ୍ୟରେ କଂଗ୍ରେସ ମଧ୍ୟ ନିଜର ପାରମ୍ପରିକ ଭୋଟ ବ୍ୟାଙ୍କକୁ ନେଇ ଖେଳ ଖେଳିବାକୁ ଯୋଜନା କରୁଛି। ଗତ ୫ଟି ନିର୍ବାଚନ ଫଳାଫଳକୁ ଲକ୍ଷ୍ୟ କଲେ କଂଗ୍ରେସ ସବୁଥିରେ ଦ୍ବିତୀୟ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଭାବେ ପରାଜିତ ହେବାର ଗୌରବ ଅର୍ଜନ କରିପାରିଛି। ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀଟିରେ କଂଗ୍ରେସର ଏକ ପାରମ୍ପରିକ ଭୋଟ୍ ବ୍ୟାଙ୍କ୍ ରହିଛି। ୨୦୧୯ ଏବଂ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନେ ସେମାନଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀମାନଙ୍କଠାରୁ ଖୁବ୍ କମ୍ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେହିଭଳି ୨୦୦୯, ୨୦୦୪ ଏବଂ ୨୦୦୦ ନିର୍ବାଚନରେ ବିଜେପି ପ୍ରାର୍ଥୀମାନେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ଅଳ୍ପ ଭୋଟ୍ରେ ବିଜୟୀ ହୋଇଥିଲେ। ଅତୀତରେ ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀଟି କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ପ୍ରତି ନିର୍ବାଚନରେ କଂଗ୍ରେସ ବିଜୟୀ ପ୍ରାର୍ଥୀଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ ପରାଜିତ ହୋଇଛି। ଏଥର କଂଗ୍ରେସ ଏଠାରୁ ବିଜୟ ଲାଭ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସରେ ମଧ୍ୟ ଟିକେଟ୍ ପାଇବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଲବି ଜୋରଦାର ହେଲାଣି। ପୂର୍ବତନ ପରାଜିତ ପ୍ରାର୍ଥୀ ସିମନ ମଲିକ ଏବଂ ଉପେନ୍ଦ୍ର ପ୍ରଧାନ ଏ ଦୌଡ଼ରେ ଆଗରେ ଥିବା ଜଣାପଡ଼ିଛି। ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ମୋଟ ୧,୧୮,୭୫୬ ଜଣ ଭୋଟର ମତଦାନ କରିବେ।