ଫୁଲବାଣୀ, (ବଟକୃଷ୍ଣ ବିହାରୀ): ନିର୍ବାଚନ ପାଖେଇ ଆସୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ଆସନରୁ କିଏ ଟିକେଟ ହାତେଇବେ ସେନେଇ ଉତ୍କଣ୍ଠା ଲାଗି ରହିଛି। କଂଗ୍ରେସରୁ ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିବା କ୍ଳେଶ ପ୍ରଧାନ ଓ ବିଜେପିରୁ ଲଗାତାର ୨ ଥର ବିଧାୟକ ହୋଇଥିବା କରେନ୍ଦ୍ର ମାଝି ପ୍ରାର୍ଥୀ ହେଉଥିବା ଆଲୋଚନା ହେଉଛି। ଦୁଇ ଦଳର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଏମାନଙ୍କ ନାଁ ଆଗରେ ଥିବା କୁହା ଯାଉଥିବା ବେଳେ ବିଜେଡିରେ ଏବେ ବି ସସପେନସ୍ ଲାଗି ରହିଛି। ବର୍ତ୍ତମାନର ବିଜେଡି ବିଧାୟକ ରାଜୀବ ପାତ୍ରଙ୍କୁ ଟିକେଟ ମିଳିବ ନା ଦଳ ଏଥର ନୂଆ ମୁହଁ ପ୍ରାର୍ଥୀ ଦେବ ସେ ନେଇ ଭିନ୍ନ ମତ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ବହୁ ଭୋଟର ଏ ମର୍ମରେ ପୋଷ୍ଟକାର୍ଡ଼ ଦଳ ସୁପ୍ରିମୋଙ୍କ ପାଖକୁ ପଠାଇଥିବା ବିଶେଷ ସୁତ୍ରରୁ ଜଣା ପଡିଛି।
ବିଜେଡି ପ୍ରତିଷ୍ଠା ପର ଠାରୁ ଏହି ନିର୍ବାଚନ ମଣ୍ଡଳୀରେ ଥରେ ମାତ୍ର ବିଜେଡି ବିଜୟର ସ୍ବାଦ ଚାଖିଛି। ୨୦୦୦ ନିର୍ବାଚନରେ ବିଜେଡି ଓ ବିଜେପି ମେଣ୍ଟ ହୋଇଥିଲା। ବିଜେପିର ସୁରେନ୍ଦ୍ର କହଁର ଓ ୨୦୦୪ରେ ବିଜେପିର କରେନ୍ଦ୍ର ମାଝି ବିଜୟୀ ହୋଇଥିଲେ। ୨୦୦୯ରେ ମେଣ୍ଟ ଭାଙ୍ଗିଲା। ତା’ସତ୍ତ୍ବେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜେପିର କରେନ୍ଦ୍ର ମାଝି ପୁଣି ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେଲେ ରାଜୀବ ପାତ୍ର। ମାତ୍ର ଅଢେଇ ହଜାର ଭୋଟ ବ୍ୟବଧାନରେ ବିଜେଡିରୁ ଶ୍ରୀ ପାତ୍ର ବିଜୟୀ ହୋଇଥିଲେ। ସେ ୩୭ ହଜାର ୬୦୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ କ୍ଳେଶ ପ୍ରଧାନ ୩୪ହଜାର ୯୧୦ ଖଣ୍ଡ ଭୋଟ ପାଇଥିଲେ। ବିଜେପିର କରେନ୍ଦ୍ର ମାଝି ମାତ୍ର ୧୮ହଜାର ୧୦୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।
ଏଥର ବିଜେଡିରୁ ଶ୍ରୀ ପାତ୍ର ମଧ୍ୟ ଆଶାୟୀ ଦୌଡରେ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଷ୍ଟିପାନ ପ୍ରଧାନ, ଚକ୍ରମଣି କହଁର, ଶିରିସ ପ୍ରଧାନ ଅଛନ୍ତି। ଯଦି ମହିଳାଙ୍କ କଥା ବିଚାରକୁ ନିଆଯାଏ ତାହା ହେଲେ ଏହି ଆସନରୁ ବିଜେଡିରୁ ମହିଳା ନେତ୍ରୀ ନନ୍ଦିନୀ ମଲ୍ଲିକ ଓ ମୋହିନୀ ମଲ୍ଲିକ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। କଂଗ୍ରେସରୁ କ୍ଳେଶଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ର ପ୍ରଧାନ, ସୁମନ ମଲ୍ଲିକ, ସଦାନନ୍ଦ ମଲ୍ଲିକ ଓ କ୍ୟାସିଂ ମଲ୍ଲିକ ଆଶାୟୀ ଥିବା ବେଳେ ବିଜେପିରୁ କରେନ୍ଦ୍ରଙ୍କ ସହ ବିପ୍ରଚରଣ ପ୍ରଧାନ, ଶେଷଦେବ ପ୍ରଧାନ, ବେଣୁଧର ମାଝି ପ୍ରମୁଖ ଆଶାୟୀ ରହିଛନ୍ତି। କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ଭବତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଜେଡିରୁ କାହାକୁ ଟିକେଟ ମିଳିବ ତାହା ଆସନ୍ତା ୪ରୁ ୫ ଦିନ ଭିତରେ ସ୍ପଷ୍ଟ ହୋଇ ଯିବ।