ଅନାସ୍ଥାରେ ହାରି ପଦ ହରାଇଲେ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷା, କାର୍ଯ୍ୟକାଳ ଶେଷ ବର୍ଷକ ପୂର୍ବରୁ କ୍ଷମତା ହାତରୁ ଗଲା

ବାଲିଗୁଡ଼ା : ଅନାସ୍ଥାରେ ହାରି ପଦ ହରାଇଛନ୍ତି କନ୍ଧମାଳ ବାଲିଗୁଡ଼ା ଏନ୍‌ଏସିର ପ୍ରଥମ ଅଧ୍ୟକ୍ଷା ମମତା ବେହେରା। କାର୍ଯ୍ୟକାଳ ସରିବାର ଠିକ୍ ବର୍ଷକ ପୂର୍ବରୁ ତାଙ୍କୁ କ୍ଷମତା ହରାଇବାକୁ ପଡ଼ିଛି। ଏହି ଘଟଣା ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି କରିବା ସହ ଦଳ ଭିତରେ ଥିବା ଅନ୍ତର୍ଦ୍ବନ୍ଦ୍ବ ସାମ୍ନାକୁ ଆସିଛି।

ଆଜି ସକାଳ ୧୧ଟାରେ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ନିବାର୍ଚନ ଅଧିକାରୀ ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦଙ୍କ ଉପସ୍ଥିତିରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ଏନ୍‌ଏସିର ୧୩ କାଉନସିଲର୍‌ଙ୍କ ମଧ୍ୟରୁ ୧୧ଜଣ ଉପସ୍ଥିତ ଥିଲେ। ‌ଅନାସ୍ଥା ସପକ୍ଷରେ ତଥା ଅଧ୍ୟକ୍ଷାଙ୍କ ବିରୋଧରେ ‌ ସମସ୍ତ ୧୧ଟି ଭୋଟ ପଡ଼ିଥିଲା। ଏଥିରେ ୭ ଜଣ ବିଜେଡି, ୩ କଂଗ୍ରେସ ଓ ଜ‌ଣେ ବିଜେପି କାଉନସିଲର୍ ରହିଛନ୍ତି।

ତେବେ ୧୨ ନମ୍ବର ୱାର୍ଡ଼ କାଉନସିଲର୍ ଶିରିଶ ପ୍ରଧାନ ଓ ଖୋଦ୍ ଅଧ୍ୟକ୍ଷା ତଥା ୫ ନମ୍ବର ୱାର୍ଡ଼ କାଉନସିଲର୍ ମମତା ବେହେରା ଏଥିରେ ଅନୁପସ୍ଥିତ ଥିଲେ। ଅନ୍ୟପକ୍ଷରେ ଉପାଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ବିରୋଧରେ ମଧ୍ୟ ଅନାସ୍ଥା ଆସିଥିଲା। କିନ୍ତୁ ଏହା ସପକ୍ଷରେ କୌଣସି ଭୋଟ୍ ନପଡ଼ିବାରୁ ଅନାସ୍ଥା ଟଳିଯାଇଥିଲା।

୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ବାଲିଗୁଡ଼ା ଏନ୍‌ଏସି ମାନ୍ୟତା ପାଇଥିଲା। ୨୦୧୬ ମସିହା ଜାନୁଆରି ୧୯ ତାରିଖରେ ନିର୍ବାଚନ ଓ ୨୧ ତାରିଖରେ ଫଳାଫଳ ଘୋଷଣା ହୋଇଥିଲା। ୧୩ ୱାର୍ଡ଼ ବିଶିଷ୍ଟ ବାଲିଗୁଡ଼ା ଏନ୍ଏସିରେ ବିଜେଡି ୯, କଂଗ୍ରେସ ୩ ଓ ବିଜେପି ଗୋଟିଏ ୱାର୍ଡ଼ ହାତେଇଥିଲା।

ଗତବର୍ଷ ନଭେମ୍ବର ମାସ ୧୬ ତାରିଖରେ ଭୋଟ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅଧ୍ୟକ୍ଷା ମମତା ଓଡ଼ିଶା ହାଇକୋର୍ଟରୁ ରହିତାଦେଶ ଆଣି ନିଜ ପଦକୁ କାଏମ୍ ରଖିଥିଲେ। ହେଲେ ଏହାର ସମୟସୀମା ସରିବା ପରେ ଆଜି ଅନାସ୍ଥା ‌ଭୋଟରେ ହାରି ମମତା ପଦ ହରାଇଛନ୍ତି।

ସମ୍ବନ୍ଧିତ ଖବର