ବାଲିଗୁଡ଼ା ଆସ୍ଥାୟୀ କୋଭିଡ କେୟାର ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା

ବାଲିଗୁଡା: ସମଗ୍ର ବିଶ୍ୱରେ ମହାମାରୀ କରୋନା କାୟାବିସ୍ତାର କରୁଥିବା ବେଳେ କନ୍ଧମାଳରେ ମଧ୍ୟ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l କୋଭିଡ଼ ୧୯କୁ ପ୍ରତିହୁତ କରିବା ପାଇଁ ଜ଼ିଲ୍ଲାରେ ଛଅଟି ଆସ୍ଥାୟୀ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି l ସେଠାରେ ଖାଇବା ପିଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା ରହିଛି, କିନ୍ତୁ ଜ଼ିଲ୍ଲାରେ କିଛି ଆସ୍ଥାୟୀ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଅବ୍ୟବସ୍ଥାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ବଡଗାଁସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ହାଇଦ୍ରାବାଦ ଫେରନ୍ତା ପ୍ରବାସୀ ଓଡ଼ିଆ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ମୃତକଙ୍କ ଘର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼େଲ ପଦର ଗାଁରେ ଓ ତାଙ୍କ ନାଆଁ ସମ୍ପୂର୍ଣ୍ଣ ମାଝୀ ବୋଲି ସୂଚନା ରହିଛି l ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବାଲିଗୁଡା ପୁଲିସ ଓ ଉପଖଣ୍ଡ ପ୍ରଶାସନ ମାଜିଷ୍ଟ୍ରେଟ ତଥା ଉପ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପ୍ରମୁଖଙ୍କ ଉପସ୍ଥିତରେ ଶବ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l
ଉପଜ଼ିଲ୍ଲାପାଳ ଶ୍ରୀନନ୍ଦଙ୍କ ସୂଚନାମତେ କୁର୍ତ୍ତମଗଡ ସଙ୍ଗରୋଧ କେନ୍ଦ୍ରରେ ସମ୍ପୂର୍ଣ୍ଣ ମାଝୀ କିଛିଦିନ ରହିବା ପରେ ଗାଁକୁ ଫେରିଥିଲେ, ଘରେ କିଛିଦିନ ରହିବାପରେ ପୁଣି ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ ୧୬ ତାରିଖ ଦିନ ବାଲିଗୁଡ଼ାସ୍ଥିତ ବଡ଼ଗାଁ କୋଭିଡ଼ କେୟାର ହସ୍ପିଟାଲକୁ ଅଣାଯାଇ ଚିକିତ୍ସା ଚାଲିଥିଲା ଓ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲେ ବି ରିପୋର୍ଟ ଆସିନାହିଁ l ସେ ମାନସିକ ଦୁଶ୍ଚିନ୍ତାରେ  ରହୁଥିଲେ l

ମାନସିକ ଭାରସାମ୍ୟ ହରାଇ ବେକରେ ଚିରା ବେଡ଼ସିଟ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି l ମୃତଦେହ ମିଳିଥିବା ଏକ ବଖରାରେ ସୁଇସାଇଡ୍ ନୋଟ୍ ମିଳିଛି l ସେଥିରେ ସେ ଅତ୍ୟଧିକ ଭୟଭୀତ ରହିଥିବା ସହ ଈଶ୍ୱରଙ୍କ ପାଖକୁ ଯିବାକୁ ଚାଁହୁଛି ବୋଲି ଉଲ୍ଲେଖ ରହିଛି l ଏହା କରୋନାଜନିତ ମୃତ୍ୟୁ ନୁହେଁ ବୋଲି ଉପଜ଼ିଲ୍ଲାପାଳ ସ୍ଵଷ୍ଟ କହିଛନ୍ତି l ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ କୋଭିଡ କିଟ ଦିଆଯାଇ ସାମାଜିକ ଦୂରତା ରକ୍ଷା କରି ବାଲିଗୁଡ଼ାରେ ଶବ ସଂସ୍କାର କରାଯାଇଛି l ପରିବାରର ଆର୍ଥିକ ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି, ରେଡକ୍ରସ୍ ପାଣ୍ଠି ଓ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି l

ସମ୍ବନ୍ଧିତ ଖବର