କେନ୍ଦୁଝର/ଆନନ୍ଦପୁର: ଶୂନ୍ୟ ମୃତାହତ ସପ୍ତାହର ପ୍ରଥମ ଦିନରେ ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବାଲିଯୋଡ଼ି ନିକଟରେ ଗତକାଲି ଘଟିଥିବା ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗମ୍ଭୀରତାର ସହିତ ନେଇଛନ୍ତି। ରାସ୍ତାକଡ଼ ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ବିରୋଧରେ ଦୁଇ ଦୁଇଟି ମାମଲା ରୁଜୁ ହୋଇଛି। ଘଟଗାଁ ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଜଗଦୀଶ ଗୌଡ଼ଙ୍କ ଏତଲାକ୍ରମେ ଗୋଟିଏ ମକଦ୍ଦମା କରିଛି। ଏହାଠାରୁ ଆହୁରି ବଡ଼ କଥା ହେଲା, ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସଡ଼କ ସୁରକ୍ଷା ଅଧିକାରୀ ରାଜେଶ ସେଠୀଙ୍କ ଏତଲା ଆଧାରରେ ଆଉ ଏକ ମାମଲା ରୁଜୁ ହୋଇଛି।

Advertisment

ମିଳିଥିବା ଖବର ଅନୁସାରେ, ଏହି ଦୁର୍ଘଟଣା ପାଇଁ ଜାତୀୟ ରାଜପଥ ପ୍ରାଧିକରଣର ଅବହେଳାକୁ ଦାୟୀ କରିଛି ପରିବହନ ବିଭାଗ। ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ଅଧିକାରୀ ରାଜେଶ ସେଠୀ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଓ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଠିକାସଂସ୍ଥା କ୍ରିଷ୍ଣା ଇନଫ୍ରା ନାମରେ ନିର୍ଦ୍ଦିଷ୍ଟ ଭାବେ ଏତଲା ଦେଇଛନ୍ତି। ପୁଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି। କେବଳ ସେତିକି ନୁହେଁ, ଆଜି ପୁଲିସ ପାଟ୍ରୋଲିଂ ଦାୟିତ୍ବରେ ଥିବା ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖିଥିଲା। ପଚରାଉଚରା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।

ଅନ୍ୟପକ୍ଷରେ ବାଲିଯୋଡ଼ି ଦୁର୍ଘଟଣା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖିବାକୁ ମିଳିଛି। କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଡାଗୁଡ଼, ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ, ଜିଲ୍ଲା ସଡ଼କ ସୁରକ୍ଷା ଅଧିକାରୀ ରାକେଶ ସେଠୀ, ଏନ୍‌ଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଗାମୀ, ସାଇଡ ଇଞ୍ଜିନିୟର ଅରୁଣ କୁମାର ଦାସ, ରେସିଡେଣ୍ଟ ଇଞ୍ଜିନିୟର ଲକ୍ଷ୍ମୀଧର ନାୟକ ପ୍ରମୁଖ ଖପରାଖାଇରୁ ଶାଳପଡ଼ା, ବାରିଗାଁ, ବେଲବାହାଳି ପର୍ଯ୍ୟନ୍ତ ୨୦ ନମ୍ବର ଜାତୀୟ ରାଜପଥର ସ୍ଥିତି ଅନୁଧ୍ୟାନ କରିଥିଲେ। ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ଅଧିକାରୀମାନେ କିନ୍ତୁ ମନା କରିଛନ୍ତି। ଉଲ୍ଲେଖଥାଉକି, ବାଲିଯୋଡ଼ିକୁ ବ୍ଲାକ୍‌ସ୍ପଟ୍‌ ଘୋଷଣା କରାଯାଇଛି। ଏଠାରେ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଏନ୍‌ଏଚ୍‌ଏଆଇ ପଦକ୍ଷେପ ନେଇନାହିଁ। ଏପରିକି ସତର୍କ ସୂଚନାଫଳକ ଲଗାଯାଇ ନାହିଁ। ଏହି ଗୋଟିଏ ସ୍ଥାନରେ ବର୍ଷକ ମଧ୍ୟରେ ୨୫ଟି ଦୁର୍ଘଟଣା ଘଟିଥିବା ବେଳେ ୧୫ଜଣଙ୍କ ଜୀବନ ଗଲାଣି।