ନୀଳଗିରି: ସମଗ୍ର ଓଡିଶାରେ ନୀଳଗିରି ମାଟିରେ ନିଆରା ପ୍ରଥା, ନିଶାର୍ଦ୍ଧରେ ଅନୁଷ୍ଠିତ ହେଉଛି ବଳିଖେଳ । ହାତରେ ଟାଙ୍ଗିଆ ଧରି ବଳି ପାଇଁ ଲୋକଙ୍କୁ ଗୋଡାଉଛନ୍ତି ବଳିନାୟକ । ଏବେ ବି ପଡୁଛି ନରବଳି ହେଲେ ସତସତିକା ନୁହେଁ ନରକୁ ବଳି ପାଇଁ ଛୁଆଁଯାଉଛି ସତ ହେଲେ ନର ବଦଳରେ ପାଣିକଖାରୁକୁ ଦିଆଯାଉଛି ବଳି । ନୀଳଗିରି ରାଜବାଟୀର ନିକଟରେ ପୂଜା ପାଉଛନ୍ତି ମା କନକଦୁର୍ଗା । ରାଜରାଜୁଡା ସମୟରେ ରାଜା ଓ ପ୍ରଜାଙ୍କ ମଧ୍ୟରେ ଏକ ନିବିଡ ସମ୍ପର୍କ ସ୍ଥାପନା କରିବା ପାଇଁ ଆରମ୍ଭ ହୋଇଥିଲା ବଳିଖେଳ । ରାଜବାଟୀ ନିକଟସ୍ଥ ଏକ ଗୁପ୍ତକୋଠରୀ ଭିତରେ ୧୨ଶହ ଶତାବ୍ଦୀରୁ ମା ' କନକଦୁର୍ଗା ପୂଜା ପାଇଆସୁଛନ୍ତି । ରାଜପଞ୍ଜିକା ଅନୁସାରେ ମାଙ୍କଠାରେ ଦୁର୍ଗାଷ୍ଟମୀର ନିଶାର୍ଦ୍ଧରେ ନରବଳି ଦିଆଯାଇଥିବା କଥା ଶୁଣାଯାଏ । 

Advertisment

ଜଣେ ବ୍ୟକ୍ତି ବଳିନାୟକ ହୋଇଥାଏ ସେ ମା କନକଦୁର୍ଗାଙ୍କ ପ୍ରତିନିଧି ଭାବେ ନିଷ୍ଠାର ସହ ୧୬ ଦିନ କାଳ ମାଙ୍କ ସେବାରେ ରହିଥାଆନ୍ତି ।ବଳିନାୟକ ନିଶାର୍ଦ୍ଧରେ ଯାହାକୁ ଛୁଉଁଥିଲେ କିଛିଦିନ ପରେ ଧରାପଡ଼ିଥିବା ବ୍ୟକ୍ତିଜଣକ ମରିଯାଉଥିଲା । ସ୍ଥାନୀୟ ଲୋକକଥା ଅନୁସାରେ,ପୂର୍ବ କାଳରେ ବଳିନାୟକ ଭାବେ ଜଣେ ଲୋକ ଶୁକ୍ଳ ତୃତୀୟାର ନିଶାର୍ଦ୍ଧରେ ହୁଳ ହୁଳି , ଢୋଲ , ମହୁରୀ ସହ ତାଳ ଦେଇ ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରି ଜଗନ୍ନାଥ ମନ୍ଦିରରୁ ମଶାଲ ଆଲୁଅରେ ବାହାରି ଆସିଥାଆନ୍ତି । ତାଙ୍କ ହାତରେ ଚକଚକ ମାରୁଥିବା ଧାରୁଆ ଟାଙ୍ଗିଆ ଓ କପାଳର ସିନ୍ଦୂର ସମସ୍ତଙ୍କୁ ଭୟଭୀତ କରିଥାଏ ।

WhatsApp Image 2025-09-26 at 22.22.38

୧୮୭୧ରୁ ୧୮୭୪ ମସିହା ପର୍ଯ୍ୟନ୍ତ ବ୍ୟାସକବି ଫକୀରମୋହନ ସେନାପତି ନୀଳଗିରିରେ ଦେୱାନ୍ ଥିବା ସମୟରେ ଏହି ଗଡ଼ଜାତଟି ଇଂରେଜଙ୍କ ଅଧୀନରେ ରହିଥିଲା । ସେତେବେଳେ ନୀଳଗିରିର ରାଜା ଥିଲେ କୃଷ୍ଣଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ । ଦେୱାନ୍ ଫକୀରମୋହନ ରାଜାଙ୍କ ସହ ଆଲୋଚନା କରି ନରବଳି ପ୍ରଥା ବନ୍ଦ କରିବା ସହ ମା'ଙ୍କ ଠାରେ ନର ନୁହେଁ ବାନର ବଳି ଦିଆଯାଉଛି ବୋଲି ଇଂରେଜ ସରକାରଙ୍କୁ ଲେଖି ଜଣାଇଥିଲେ ।

WhatsApp Image 2025-09-26 at 22.22.39 (1)

କିନ୍ତୁ ୧୯୨୧ରୁ ୧୯୬୦ ପର୍ଯ୍ୟନ୍ତ ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜଙ୍କ ଶାସନ ସମୟରେ ପୋଢ଼ ବା ମଇଁଷି ବଳି ଦିଆଯାଉଥିବା ଜଣାଯାଇଛି । ୧୯୬୦ରୁ ୧୯୭୨ ମସିହା ପର୍ଯ୍ୟନ୍ତ ଅର୍ଥାତ ଶେଷ ଶାସନ ରାଜା ରାଜେନ୍ଦ୍ର ମର୍ଦ୍ଦରାଜଙ୍କ ସମୟରେ ପ୍ରଚଳିତ ବୋଦା ବଳିକୁ ବନ୍ଦ କରାଯାଇ କଖାରୁ ବଳି ଦିଆଗଲା । ପ୍ରଥମେ ମଣିଷ , ପରେ ମଇଁଷି , ବାନର , ଛାଗ ଏବଂ ସମ୍ପ୍ରତି ତାହା କଖାରୁ ବଳିରେ ସୀମିତ ହୋଇଯାଇଛି । 

WhatsApp Image 2025-09-26 at 22.22.39

ସେତେବେଳର ସତ ସତିକା ବଳିଯାତ୍ରା କାଳକ୍ରମେ ଏକ କୌତୁକିଆ ଖେଳରେ ପରିଣତ ହୋଇଯାଇଛି । ପୂର୍ବବିଧି ଅନୁସାରେ ପୂଜାର୍ଚ୍ଚନା କରି ସେହି ନିଶାରାତିରେ ବଳିନାୟକ ଜଗନ୍ନାଥ ମନ୍ଦିରରୁ ବାହାରି କନକଦୁର୍ଗା ମନ୍ଦିରକୁ ଆସୁଛନ୍ତି । ହାତରେ ସେହି ଟାଙ୍ଗିଆ ରହିଛି , କିନ୍ତୁ ନରବଳି ନୁହେଁ ଏବେ ବଳିନାୟକ ଓ ଦେଖଣାହାରୀଙ୍କ ଭିତରେ ଚାଲିଛି ଏକ ପ୍ରକାରର ଗୋଡାଗୋଡି ଖେଳ । ନୀଳଗିରି ବଡ଼ଦାଣ୍ଡରେ ବଳିଯାତ୍ରା ଦେଖିବାକୁ ରାତିରେ ରୁଣ୍ଡ ହୋଇଥିବା ହଜାର ହଜାର ପୁରୁଷ ଦର୍ଶକଙ୍କୁ ଗୋଡ଼ାଇ ଗୋଡାଇ ବଳିନାୟକ ଛୁଇଁ ଥାଆନ୍ତି । ସେ ଯାହାକୁ ସ୍ପର୍ଶ କରନ୍ତି ସେ ମାଙ୍କ ନିକଟରେ ବଳିପାଇଁ ଏକ ପାଣିକଖାରୁ ପ୍ରଦାନ କରିଥାଆନ୍ତି। ତାହାକୁ ଅଷ୍ଟମୀ ଦିନ ମାଙ୍କ ନିକଟରେ ବଳିଦିଆଯାଇଥାଏ ।ଏହି ବଳିଖେଳ ଶୁକ୍ଳ  ତୃତୀୟାରୁ ଆରମ୍ଭ ହୋଇ ସପ୍ତମୀ ପର୍ଯ୍ଯନ୍ତ ଚାଲିଥାଏ।ଏହାକୁ ଦେଖିବା ପାଇଁ ନିକଟ ବାଲେଶ୍ବର,ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାର ଲୋକମାନେ ଆସିଥାଆନ୍ତି।

WhatsApp Image 2025-09-26 at 22.22.40