ବାଲିକୁଦା ହାଇସ୍କୁଲ୍ ପୁରାତନ ଛାତ୍ର ସଂଘ ବୈଠକ: ‘ମୋ ସ୍କୁଲ୍’ କାର୍ଯ୍ୟକ୍ରମରେ ସଂଘ ଦେବ ୨୫ ଲକ୍ଷ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜଗତସିଂହପୁର ଜିଲ୍ଲା ବାଲିକୁଦା ହାଇସ୍କୁଲ୍ ପୁରାତନ ଛାତ୍ର ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସ୍କୁଲ୍‌ର ପୁରାତନ ଛାତ୍ର ତଥା ମହର୍ଷି କଲେଜର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ସ୍ବାଇଁ ସଭାପତିତ୍ବ କରିଥିଲେ। ବୈଠକରେ ସ୍କୁଲ୍‌ର ପୁରାତନ ଛାତ୍ର ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ‘ମୋ ସ୍କୁଲ୍’ କାର୍ଯ୍ୟକ୍ରମ ମାଧ୍ୟମରେ ବାଲିକୁଦା ହାଇସ୍କୁଲ୍‌ର ଐତିହ୍ୟସମ୍ପନ୍ନ ସୌଧର ସୁରକ୍ଷା ସହ ସ୍କୁଲ୍‌ର ଉନ୍ନତି ପାଇଁ ଆନୁଷଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ ହେବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସ୍କୁଲ୍‌ର ଇ-ଟାଇପ୍ ବିଲ୍ଡିଂର ଆକାରରେ କୌଣସି ପରିବର୍ତ୍ତନ କରା ନ ଯାଇ ଏହାର ସୌନ୍ଦର୍ଯ୍ୟକରଣ ଓ ଅଧ୍ୟୟନ ନିମନ୍ତେ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।

‘ମୋ ସ୍କୁଲ୍’ କାର୍ଯ୍ୟକ୍ରମରେ ବାଲିକୁଦା ହାଇସ୍କୁଲ୍ ପୁରାତନ ଛାତ୍ରସଂଘ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଅର୍ଥ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ସଂଗ୍ରହ କରାଯାଇ ପ୍ରଦାନ କରାଯିବ। ଏହି ବୈଠକରେ ପୁରାତନ ଛାତ୍ର ଡାକ୍ତର ବିପିନ ମହାନ୍ତି, ଅଶ୍ବିନୀ ରଥ, ସୁନିଲ ରାଉତ, ଗଗନ ବିହାରୀ ନାୟକ, ବାଦଲ ମହାନ୍ତି, ନିକୁଞ୍ଜ ମହାନ୍ତି, ବିଭୂତି ଭୂଷଣ ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ଦାସ, କୁଞ୍ଜ ମୁଦୁଲି, ଦେବେଶ ସ୍ବାଇଁ ଓ ନଳିନୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର