ଭିଜିଲାନ୍ସ ଜାଲରେ ବାଲିପାଟଣାର ଦୁଇ ଅଫିସର

ବାଲିପାଟଣା: ବାଲିପାଟଣାର ଦୁଇଜଣ ଅଫିସର୍‌ ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରଥମେ ବାଲିପାଟଣା ଅଗ୍ନିଶମ ଷ୍ଟେସନ୍‌ ଅଫିସର୍‌ ପ୍ରଫୁଲ୍ଲ କୁମାର ବେହେରା ଓ ପରେ ଦେଉଳିଧରପୁର ପଞ୍ଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟ(ଜିପିଟିଏ) କ୍ଷଣପ୍ରଭା ମୂଳିଆ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ଅଗ୍ନିଶମ ଅଫିସର୍‌ଜଣକ ଫାୟାର ସାର୍ଟିଫିକେଟ୍‌ ଓ ଜିପିଟିଏଜଣକ ଏକ ଅଙ୍ଗନବାଡ଼ି ଘରର ଫାଇନାଲ ବିଲ କରିଦେବା ପାଇଁ ଲାଞ୍ଚ ନେବା ବେଳେ ଦୁଇଟି ଭିଜିଲାନ୍ସ ଟିମ୍‌ ସେମାନଙ୍କୁ ଧରିଥିଲା। ଅଧଘଣ୍ଟା ଭିତରେ ଦୁଇଜଣ ଅଫିସର୍‌ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ବାଲିପାଟଣାର ସରକାରୀ ବାବୁଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ମିଳିଥିବା ସୂଚନା ମୁତାବକ, ବାଲିପାଟଣା ବେଙ୍ଗବତୀର ସୟଦ୍‌ ସାହିର ଉଲ୍ଲାଙ୍କ ଏକ ଟ୍ରକ୍‌କୁ କୌଣସି ଦୁର୍ବୃତ୍ତ ଗତ ଡିସେମ୍ବର ୧୧ ତାରିଖ ରାତିରେ ନିଆଁ ଲଗାଇ ଦେଇଥିଲେ। ଟ୍ରକ୍‌ଟିର ଇନ୍‌ସ୍ୟୁରାନ୍ସ ପାଇବା ପାଇଁ ଫାୟାର ସାର୍ଟିଫିକେଟ୍‌ର ଆବଶ୍ୟକତା ପଡ଼ିଥିଲା। କିନ୍ତୁ ଅଫିସରଜଣକ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସୟଦ ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେଇଥିଲେ। ସାର୍ଟିଫିକେଟ୍‌ ନପାଇ ଅଗ୍ନିଶମ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନାକେଦମ ହେବା ପରେ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅବଶିଷ୍ଟ ପାଞ୍ଚ ହଜାର ଟଙ୍କା ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ଭିଜିଲାନ୍ସ ଟିମ୍‌କୁ ଦେଖି ଅଫିସରଜଣକ ବାହାରକୁ ଦୌଡ଼ି ପଳାଇବା ସହ ଟଙ୍କା ଫିଙ୍ଗି ହାତ ଧୋଇ ଦେଇଥିଲେ। କିନ୍ତୁ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା। ତାଙ୍କ ହାତରୁ ନାଲି ରଙ୍ଗ ବାହାରିବା ପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲା। ଡିଏସ୍‌ପି ଡି.କେ ନାୟକ, ତନୁଜା ମହାନ୍ତିଙ୍କ ଟିମ୍‌ ଏହି ଅପରେସନ୍‌ରେ ସାମିଲ ଥିଲେ।

ଏହି ଘଟଣାର କିଛି ସମୟ ପରେ ଦେଉଳିଧରପୁର ପଞ୍ଚାୟତର ଜିପିଟିଏ କ୍ଷଣପ୍ରଭା ମୂଳିଆ ଲାଞ୍ଚ ନେବା ବେଳେ ଭିଜିଲାନ୍ସର ଆଉ ଏକ ଟିମ୍‌ ହାତରେ ଧରା ପଡ଼ିଥିଲେ। ଆମ୍ବଡିହ ମହାଦେବ ସାହି ଅଙ୍ଗନବାଡ଼ି ଘର ବିଲ କରିଦେବା ପାଇଁ ବିକ୍ରମ ବେହେରାଙ୍କଠାରୁ ବିଭିନ୍ନ ସମୟରେ ଯନ୍ତ୍ରୀମାନେ ୭୦ହଜାର ଟଙ୍କା ଲାଞ୍ଚ ନେଇ ସାରିଥିଲେ। କିନ୍ତୁ ତାଙ୍କର ଫାଇନାଲ ବିଲ୍‌ କରୁନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଚାରିମାସ ଦୌଡ଼ିଦୌଡ଼ି ହତାଶ ହେବା ପରେ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭୟମୁଖୀଠାରେ ଆଜି ତାଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜିପିଟିଏଙ୍କୁ ଧରିଥିଲୁ ବୋଲି ଭିଜିଲାନ୍ସ ଡିଏସ୍‌ପି ଅକ୍ଷୟ କୁମାର ମିଶ୍ର କହିଛନ୍ତି। କିନ୍ତୁ ଦୁହେଁ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ କହିଛନ୍ତି ଆମେ ଲାଞ୍ଚ ଟଙ୍କା କାହାକୁ ମାଗି ନାହୁଁ କି ହାତରେ ଧରିନୁ। ସେମାନେ ଟଙ୍କା ଆଣି ଆମ ଟେବୁଲ ଉପରେ ଓ ବ୍ୟାଗ୍‌ରେ ଆମର ରଖିଦେଇ ଆମକୁ ଫସେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର