ପୁରୀ : ପୁରୀ ସଦର ବ୍ଲକ ବାଲିପୁଟ ଯୁକ୍ତ ତିନି ଏସ୍ଏସ୍ ଡିଗ୍ରି କଲେଜ ଗୃହ ନିର୍ମାଣ କାର୍ଯ୍ୟ ତିନି ବର୍ଷ ହେଲା ସରୁ ନାହିଁ।
ଶ୍ରେଣୀ ଗୃହ ଅଭାବ କାରଣରୁ ପାଠପଢ଼ାରେ ଅସୁବିଧା ହେବାରୁ ବାଲିପୁଟ ଯୁକ୍ତ ତିନି ଏସ୍ ଏସ୍ ଡିଗ୍ରି କଲେଜ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ପୁରୀ ବିଧାୟକ ପାଣ୍ଠିରୁ କଲେଜ ଶ୍ରେଣୀଗୃହ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମିଳିଥିଲା। ଗ୍ରାମ୍ୟ କମିଟି ସୁପାରିଶକ୍ରମେ ପୁରୀ ସଦର ବ୍ଲକ କର୍ତ୍ତୃପକ୍ଷ ଠିକାଦାର ନିରଞ୍ଜନ ପ୍ରଧାନଙ୍କୁ ଏହି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟାଦେଶ ଦେଇଥିଲେ। ୨୦୨୧ ମସିହା ଡିସେମ୍ବର ୨୨ ତାରିଖରେ ଏହି କାର୍ଯ୍ୟାଦେଶ ଠିକାଦାରଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।
ତେବେ କାର୍ଯ୍ୟାଦେଶ ଅନୁଯାୟୀ ତିନି ମାସ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ରହିଥିଲା। ଯଦି କାର୍ଯ୍ୟାଦେଶ ଅବଧି ଭିତରେ କାମ ନ ସରେ ଅବା କାର୍ଯ୍ୟାଦେଶକୁ ଖିଲାପ କରାଯାଏ, ତେବେ ବିନା ନୋଟିସ୍ରେ କାର୍ଯ୍ୟାଦେଶକୁ ରଦ୍ଦ କରିବାକୁ ନିର୍ଦ୍ଦେଶନାମା ରହିଥିଲା। ଠିକାଦାର କାମ ନେଲେ ସତ, କିନ୍ତୁ କାମ କରିଲେନି। ୩ ବର୍ଷ ପରେ ବି ଶ୍ରେଣୀଗୃହର ପିଲାର ମୂଳଦୁଆ ପକାରେ କାମ ସୀମିତ ରହିଛି। ତଥାପି ବ୍ଲକ୍ କର୍ତ୍ତୃପକ୍ଷ ଠିକାଦାରଙ୍କୁ ଦରଦ ଦେଖାଉଥିବା ଅଭିଯୋଗ ହୋଇଛି। ଯାହାର ପରିଣାମ, ପିଲାମାନେ ପାଠପଢ଼ାରେ ଅସୁବିଧା ଭୋଗୁଛନ୍ତି। ଏ ସଂପର୍କରେ କଲେଜ ଅଧ୍ୟକ୍ଷା ରୀତା ମହାନ୍ତି କହିଛନ୍ତି, ପୂର୍ବରୁ କାମ ଅଟକିଥିଲା। କିନ୍ତୁ କେଉଁ କାରଣରୁ ଅଟକିଲା, ସେ କହି ପାରିବେନି। ଏବେ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ସେ କହିଛନ୍ତି।