ଇନ୍‌ଷ୍ଟଲ୍‌ କରନ୍ତୁ ‘ବାଲିଯାତ୍ରା ଆପ୍‌’: ଆପ୍‌ ଜରିଆରେ ନିଅନ୍ତୁ ବାଲିଯାତ୍ରାର ମଜା!

କଟକ: ପୌରାଣିକ ବାଲିଯାତ୍ରା ଇତିହାସରେ ପ୍ରଥମଥର ପାଇଁ ଲୋକମାନଙ୍କ ସୁବିଧାଲାଗି ଏକ ଆଣ୍ଡ୍ରଏଡ ଆପ୍‌ ଉଦଘାଟିତ ହୋଇଛି। ଯାହାଦ୍ୱାରା ଆପଣଙ୍କ ବାଲିଯାତ୍ରା ଭ୍ରମଣ ହେବ ଅତ୍ୟନ୍ତ ସରସ ଓ ମନୋରମ। ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ସେଠାରେ ବାଲିଯାତ୍ରା ଟାଇପ କରି ସର୍ଚ୍ଚ କରି ଏହି ଆପ୍‌ ଆପଣ ଡାଉନଲୋଡ କରିପାରିବେ।

ଅତ୍ୟଧିକ ଭିଡଯୋଗୁଁ ଏହି ଯାତ୍ରାରେ ହଜି ଯିବାର ସମ୍ଭାବନା ଥାଏ। ଏହି ଆପ୍‌ ଜରିଆରେ ଏଥିରୁ ଆପଣ ବର୍ତ୍ତିପାରିବେ। ଏହି ଆପ୍‌ ସାହାଯ୍ୟରେ ବାଲିଯାତ୍ରା ସମ୍ବନ୍ଧୀୟ ଅନେକ ତଥ୍ୟ ମଧ୍ୟ ମିଳିପାରିବ। ଯାହାଦ୍ୱାରା ଆପଣ ବାଲିଯାତ୍ରାକୁ ଅତିସହଜରେ ଉପଭୋଗ କରିପାରିବେ ଯ ବାଲିଯାତ୍ରା ୪୫ ଏକର ଭଳି ଏକ ବିଶାଳ ଜାଗାରେ ହୋଇଥିବା ହେତୁ ଲୋକମାନେ ବାଟବଣା ହୋଇଯା’ନ୍ତି ଏବଂ ଖୋଜୁଥିବା ମନପସନ୍ଦ ଷ୍ଟଲକୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ଏହି ଆପରେ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ମିଳିପାରିବ। ବାଲିଯାତ୍ରାରେ ଥିବା ଷ୍ଟଲ, ସମସ୍ତ କାର୍ଯ୍ୟକ୍ରମର ସୂଚନା ଏହି ଆପ୍‌ ଜରିଆରେ ପାଇପାରିବେ।

କଟକସ୍ଥିତ ଅପର୍ଣ୍ଣାନଗର ଅଂଚଳର ଇନଫୋସିସ୍ରେ କାର୍ଯ୍ୟରତ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ଦାଶ ଏହି ଆପ୍‌ ପ୍ରସ୍ତୁତ କରିଛନ୍ତି। ଗତ ଶନିବାରଦିନ ଏହି ଉତ୍ସବ ଉଦଘାଟନ ସମାରୋହରେ ଇଲେକ୍ଟ୍ରୋନିକ୍ସ ତଥା ବୈଷୟିକ ଶିକ୍ଷାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ଆପ୍ଲିକେସନକୁ ଲୋକାର୍ପିତ କରିଥିଲେ।

ଆବେଦନର ବିବରଣୀ ଅନୁସାରେ, କୌଣସି ଷ୍ଟଲକୁ ଯିବାପାଇଁ ଦିଗ ବତାଇପାରିବ ଏବଂ ଆପଣ ଉପସ୍ଥିତ ସ୍ଥାନ ଏବଂ ଗାଡିଥିବା ସ୍ଥାନର ଦିଗ ମଧ୍ୟ ଏଠାରେ ଆପଣ ସୁବିଧାରେ ପାଇପାରିବେ। ଏହି ଆପ ଜରିଆରେ ପାର୍କିଂ ଯାନବାହାନର ଠିକଣା ମିଳିପାରିବ। ଏହାସହ ଦେଖଣାହାରୀଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ପୁଲିସ ଅଧିକାରୀଙ୍କୁ ସମ୍ପର୍କ କରିବାଲାଗି ଏହି ଆପରେ ନମ୍ବର ମଧ୍ୟ ରହିଛି।

ସମ୍ବନ୍ଧିତ ଖବର