ବାଲିଯାତ୍ରା ଫି’ ବିବାଦ : ପୁରୁଣା ଗଣିବେ ୩୩ଟଙ୍କା, ନୂଆ ପାଇଁ ଛିଡ଼ୁନି ଦର

ବାଲିଯାତ୍ରା ଏବର୍ଷ ୧୦ଦିନ

କଟକ : ବାଲିଯାତ୍ରାରେ ବର୍ଷ ବର୍ଷ ଧରି ବେପାର କରି ଆସୁଥିବା ପୁରୁଣା ବ୍ୟବସାୟୀଙ୍କ ପାଇଁ ଶେଷରେ ଦର ଚୂଡାନ୍ତ ହୋଇଛି। କିନ୍ତୁ ନୂଆ ବ୍ୟବସାୟୀଙ୍କ ପାଇଁ ଦର ଧାର୍ଯ୍ୟ ହେଇପାରି ନାହିଁ। ଏଭଳି ପରିସ୍ଥିତିରେ କିନ୍ତୁ ଆଜି ବାଲିଯାତ୍ରା ବ୍ୟବସାୟୀ ସଂଘ ଆନ୍ଦୋଳନରୁ ଓହରି ଯାଇଥିବା ଘୋଷଣା କରିଛି।

ଘୋଷଣା ଅନୁଯାୟୀ, ପୁରୁଣା ବ୍ୟବସାୟୀଙ୍କ ପାଇଁ ଦଶ ଦିନର ବାଲିଯାତ୍ରା ନିମନ୍ତେ ବର୍ଗଫୁଟ୍ ପିଛା ୩୩ ଟଙ୍କା ମୂଲ୍ୟ ରଖାଯାଇଥିବା ବେଳେ ନୂଆ ବ୍ୟବସାୟୀଙ୍କ ପାଇଁ ଧାର୍ଯ୍ୟ ଦର ସାର୍ବଜନୀନ କରାଯାଇନାହିଁ। ଆସନ୍ତା ଦିନେ ଦୁଇ ଦିନ ଭିତରେ ଦର ଘୋଷଣା କରାଯିବ ବୋଲି ତହସିଲଦାର ସଂଜୟ ପ୍ରତିହାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତହସିଲଦାରଙ୍କ ଏ ପ୍ରକାର ଘୋଷଣା ସହିତ ଗଲା ଚାରି ଦିନ ହେବ ବାଲିଯାତ୍ରା ପ୍ଲଟ୍ ଫି’ ବୃଦ୍ଧିକୁ ନେଇ ଗଡ଼ଗଡ଼େଶ୍ବର ମନ୍ଦିର ପ୍ରାଙ୍ଗଣରେ ବାଲିଯାତ୍ରା ବ୍ୟବସାୟୀ ସଂଘ ଚଳାଇଥିବା ଆନ୍ଦୋଳନର ଆଜି ଅବସାନ ଘଟିଛି। ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ଆଲୋଚନା କରି ଫି’ ବିବାଦ ତୁଟାଇବା ପରେ ସଂଘ ଆନ୍ଦୋଳନରୁ ଓହରି ଯାଇଥିବା ସଭାପତି ଦେବୀପ୍ରସାଦ ଦାଶ ସୂଚନା ଦେଇଛନ୍ତି। ତେବେ ଆସନ୍ତାକାଲିଠୁ ପ୍ଲଟ୍ ବୁକିଂ ଆରମ୍ଭ ହେବ ଏବଂ ୧୫ ତାରିଖ ଯାଏଁ ପୁରୁଣା ବ୍ୟବସାୟୀଙ୍କୁ ପ୍ଲଟ୍‌ ଆବଣ୍ଟନ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ନଭେମ୍ବର ୨୩ରୁ ବାଲିଯାତ୍ରା ଶୁଭାରମ୍ଭ ହୋଇ ଦଶ ଦିନ ଚାଲିବ। ଏଥିପାଇଁ ଉଭୟ ତଳ ଓ ଉପର ପଡ଼ିଆରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ପ୍ଲଟ୍‌ ଫି’ ମୂଲ୍ୟ ବୃଦ୍ଧିକୁ ବାଲିଯାତ୍ରା ବ୍ୟବସାୟୀ ସଂଘ ବିରୋଧ କରିବାରୁ ପ୍ଲଟ୍ ଆବଣ୍ଟନ ହୋଇପାରୁନଥିଲା। ତହସିଲ ପକ୍ଷରୁ ଚଳିତବର୍ଷ ପ୍ଲଟ୍ ଆବଣ୍ଟନ ପୂର୍ବ ନିୟମ ଅନୁଯାୟୀ, ୫୨୫ ବର୍ଗପୁଟ୍‌ରୁ କମ୍‌ ପ୍ଲଟ୍ ନେଲେ ବର୍ଗଫୁଟ୍‌ ପିଛା ଗତବର୍ଷର ମୂଲ୍ୟ ୨୭ ଟଙ୍କା ଏବଂ ଏହାଠୁ ଅଧିକ ନେଲେ ବ୍ୟବସାୟୀଙ୍କୁ ୨୯ ଟଙ୍କା ଦେବାକୁ ପଡ଼ିବ ବୋଲି ତହସିଲଦାର ଘୋଷଣା କରିଥିଲେ। କିନ୍ତୁ ଏହାକୁ ବିରୋଧ କରି ବ୍ୟବସାୟୀ ସଂଘ ଧାରଣା ଦେବା ସହ ବର୍ଧିତ ମୂଲ୍ୟ ପ୍ରତ୍ୟାହାର ଦାବି କରିଥିଲା।

ସମ୍ବନ୍ଧିତ ଖବର