କଟକ: ଐତିହାସିକ କଟକ ବାଲିଯାତ୍ରା ଆଜି ଶେଷ ହୋଇଛି। କିନ୍ତୁ ଚଳିତ ବର୍ଷ ବାଲିଯାତ୍ରାରେ ବ୍ୟବସାୟ ପୂର୍ବର ସବୁ ରେକର୍ଡକୁ ଟପିଯାଇଛି। ଲୋକ ବିଭିନ୍ନ ଷ୍ଟଲରୁ ଛୋଟବଡ଼ ସାମଗ୍ରୀ ଏକପ୍ରକାର ବୋହି ନେଇଛନ୍ତି। ଆଜି ବାଲିଯାତ୍ରାରେ ଅନେକ ଷ୍ଟଲର ସବୁ ସାମଗ୍ରୀ ସରି ଯାଇଥିବା ବେଳେ ବ୍ୟବସାୟୀ ଦିନ ୧୨ଟା ବେଳକୁ ପଡ଼ିଆ ଛାଡ଼ି ଚାଲି ଯାଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ବାଲିଯାତ୍ରା ୯ ଦିନ ଧରି ଆୟୋଜିତ ହୋଇଥିବା ବେଳେ ଏହି ୯ ଦିନର ବ୍ୟବସାୟ ୧୦୦ କୋଟି ଟଙ୍କା ଟପି ଯାଇଥିବା ଆକଳନ କରାଯାଉଛି। ଚଳିତ ବର୍ଷ ବାଲିଯାତ୍ରା ପଡ଼ିଆରେ ବିଭିନ୍ନ ସରକାରୀ ସଂସ୍ଥା ଜରିଆରେ ଖୋଲିଥିବା ଷ୍ଟଲରୁ ୪୦ କୋଟି ଟଙ୍କାରୁ ଅଧିକ ବେପାର ହେବା ଘଟଣା କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି।

Advertisment

କଟକ ବାଲିଯାତ୍ରା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖରେ ଶେଷ ହେବାକୁ ଥିବା ବେଳେ ପ୍ରବଳ ଭିଡ଼ ଓ ଲୋକଙ୍କ ଉତ୍ସାହକୁ ନଜରରେ ରଖି ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି ରାଯାଇଥିଲା। ଡିସେମ୍ବର ୫ ତାରିଖ ମଙ୍ଗଳବାର ଦିନ ବାଲିଯାତ୍ରା ଶେଷ ହୋଇଥିବା ବେଳେ ଚଳିତ ବର୍ଷ ସବୁଠୁ ଅଧିକ ବେପାର ହୋଇଛି ଓରମାସ୍‌ ଷ୍ଟଲ୍‌ରେ। ବାଲିଯାତ୍ରା ତଳ ପଡ଼ିଆରେ ଓରମାସ ପରିସରରେ ଚଳିତ ବର୍ଷ ମୋଟ ୪୫୦ ଷ୍ଟଲ୍ ପଡିଥିଲା। ୯ ଦିନରେ ସେହି ଷ୍ଟଲ ଗୁଡିକରେ ୩୫ କୋଟି ୫୮ ଲକ୍ଷ ଟଙ୍କାର କାରବାର ହୋଇଛି। ଗତବର୍ଷ ଓରମାସ ପରିସରରେ ୨୪ କୋଟି ୫୬ ଲକ୍ଷ ଟଙ୍କାର କାରବାର ହୋଇଥିବା ବେଳେ ଚଳିତ ବର୍ଷ ବ୍ୟବସାୟରେ ୫୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ସେହିଭଳି ବାଲିଯାତ୍ରା ତଳ ପଡ଼ିଆର ମିସନ ଶକ୍ତି ଏସି କଂପ୍ଲେକ୍ସ ପରିସରରେ ୫୮ଟି ଷ୍ଟଲ ଖୋଲିଥିବା ବେଳେ ସେଠାରେ ୨ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି।, ଭିନ୍ନକ୍ଷମ ଓ କିନ୍ନର ସଶକ୍ତୀକରଣ ଷ୍ଟଲରୁ ୨୩ ଲକ୍ଷ ୪୨ ହଜାର ଟଙ୍କାର କାରବାର ହୋଇଛି। କଟକ ପୌର ନିଗମ ପକ୍ଷରୁ ପ୍ରସ୍ତୁତ ସ୍ବତନ୍ତ୍ର ପାଭଲିଅନରେ ୩ କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି।

ଏଭଳି ବିଭିନ୍ନ ସରକାରୀ ବିଭାଗ ଦ୍ବାରା ଆୟୋଜିତ ଷ୍ଟଲରୁ ୪୦ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ବେଳେ ବିଭିନ୍ନ ବେସରକାରୀ ଷ୍ଟଲରୁ ୬୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି। ଘରୋଇ ଷ୍ଟଲ୍ ମାନଙ୍କ ମଧ୍ୟରେ ସବୁଠୁ ଅଧିକ କାରବାର ପ୍ରମୁଖ ମସଲା କଂପାନିଙ୍କ ଷ୍ଟଲରେ ହୋଇଛି। ‌ଗୋଟିଏ ଗୋଟିଏ କଂପାନି ଚଳିତ ବର୍ଷ ୩ରୁ ୪ କୋଟି ଟଙ୍କାର କାରବାର କରିଥିବା ସୂଚନା ମିଳିଛି। ଅନ୍ୟପଟେ ଦୋଳି, ଫିସ୍ ଟନେଲ୍ ଭଳି ବ୍ୟାବସାୟିକ ସଂସ୍ଥା ଚଳିତ ବର୍ଷ ରେକର୍ଡ ପରିମାଣର ବ୍ୟବସାୟ କରିଛନ୍ତି। କିନ୍ତୁ ଚଳିତ ବର୍ଷ ବିଭିନ୍ନ ସାମଗ୍ରୀର ବିକ୍ରି କ୍ଷେତ୍ରରେ ବାଲିଯାତ୍ରା ନୂଆ ରେକର୍ଡ କରିଥିବା ବେଳେ ଖାଦ୍ୟ ଷ୍ଟଲ୍ ଗୁଡିକର ବିକ୍ରି କିନ୍ତୁ ସଂପୂର୍ଣ୍ଣ ମାନ୍ଦା ରହିଛି।

ଠୁଙ୍କାପୁରୀ, ଚାର୍ଟ, ଫାଷ୍ଟଫୁଡ୍ ଷ୍ଟଲ୍ ଖୋଲିଥିବା ବ୍ୟବସାୟୀ ଆଶାନୁରୂପ ବ୍ୟବସାୟ କରି ପାରି ନାହାନ୍ତି। କିନ୍ତୁ ରୁଚିର ଫ୍ରୋଜିଟ୍ ସଂସ୍ଥା ଦ୍ବାରା ଖୋଲିଥିବା ଷ୍ଟଲ ଖାଦ୍ୟ ବିକ୍ରି କ୍ଷେତ୍ରରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ବାଲିଯାତ୍ରାର ୯ ଦିନ ଭିତରେ ସବୁଠୁ ଅଧିକ ଭିଡ଼ ଗଲା ରବିବାର ଦିନ ହୋଇଥିବା ବେଳେ ସବୁଠୁ ଅଧିକ ବ୍ୟବସାୟ କିନ୍ତୁ ଶନିବାର ଦିନ ହୋଇଥିଲା। ଶନିବାର ଦିନ ବାଲିଯାତ୍ରାକୁ ବଲିଉଡ୍ ସେନ୍ସେସନ୍ ସଚ୍ଚିନ-ଜିଗର ଆସିଥିବା ବେଳେ ରବିବାର ଦିନ ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକ ଆସିଥିଲେ। ବାଲିଯାତ୍ରା ଆଜି ବିଧିବଦ୍ଧ ଭାବେ ଶେଷ ହୋଇଥିଲେ ବି ଆସନ୍ତାକାଲି ଦିନରେ ସବୁ ବଳକା ସାମଗ୍ରୀ ପୋଛି ହୋଇ ଯିବାର ପରଂପରା ରହି ଆସିଛି। ଆସନ୍ତାକାଲିର ବ୍ୟବସାୟ ରେକର୍ଡଭୁ୍କ୍ତ ହେଉ ନଥିଲେ ବି ଚଳିତ ବର୍ଷ ବାଲିଯାତ୍ରାରେ ୧୦୦ କୋଟିରୁ ଅଧିକ ଟଙ୍କାର କାରବାର ଶିଳ୍ପଦ୍ୟୋଗୀ ତଥା ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି।