ଟାର୍ଗେଟ୍‌ରେ ଚୀନ୍‌: ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି-୫ ସଫଳ

ଚାନ୍ଦବାଲି : ଅଗ୍ନି-୫ କ୍ଷେପଣାସ୍ତ୍ରର ପଞ୍ଚମ ପରୀକ୍ଷା ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଆଜିି ଧାମରାସ୍ଥିତ ଅବ୍‌ଦୁଲ କଲାମ ଦ୍ୱୀପର ୪ ନମ୍ବର ଲଂଚ୍‌ପ୍ୟାଡରୁ ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷା କରିଥିଲା। ସକାଳ ୯.୫୩ରେ ଏହି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇଥିଲା। ପରୀକ୍ଷଣ ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭିକେ ସାରସ୍ୱତଙ୍କ ସହ ବହୁ ବରିଷ୍ଠ ବୈଜ୍ଞାନିକ ଓ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ। ଏହି ପରୀକ୍ଷା ପୁଣିଥରେ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ଶ୍ରୀ ସାରସ୍ୱତ ଘୋଷଣା କରିଛନ୍ତି। ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷା ବେଳେ ସମୁଦ୍ର ଭିତରେ କୋଷ୍ଟଗାର୍ଡର ପାଟ୍ରୋଲିଂ ଜାରି ରହିିଥିଲା। ନାଭିଗେସନ ସିଷ୍ଟମ ଓ ଗ୍ଲୋବାଲ ପୋଜିସନିଂ ସିଷ୍ଟମରେ ଦେଶର ୩ଟି ରାଡାର ଦ୍ୱାରା ଏହାର ଗତିବିଧି ଉପରେ ନଜର ରଖାଯାଇଥିଲା। ଏହି ରାଡାରଗୁଡ଼ିକ ଚାନ୍ଦିପୁର, ପାରାଦ୍ୱୀପ ଓ ପୋର୍ଟବ୍ଲେୟାରରେ ସ୍ଥାପିତ ହୋଇଥିଲା।

ଅଗ୍ନି-୫ର ସଫଳତା ଏହି ପ୍ରକଳ୍ପ ସହ ଜଡ଼ିତ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଛି। ଏହି କ୍ଷେପଣାସ୍ତ୍ର ଚୀନ୍‌ର ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫(କ)କୁ ଟକ୍କର ଦେଇ ପାରିବ ବୋଲି କୁହାଯାଉଛି। ପରମାଣୁ କ୍ଷମତା ସଂପନ୍ନ ଏହି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଅଗ୍ନି-୫ର ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ଓ ଓଜନ ୫୦ ଟନ୍‌। ଏହି କ୍ଷେପଣାସ୍ତ୍ରରେ ୧.୫ ଟନ୍‌ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ତିନି ଷ୍ଟେଜ୍‌ ବିଶିଷ୍ଟ କଠିନ ଇନ୍ଧନ ଆବଶ୍ୟକ କରୁଥିବା ଅଗ୍ନି-୫ର ମାରକ କ୍ଷମତା ୫୦୦୦ ରୁ ୮୦୦୦ କିମି। ପୂର୍ବରୁ ୨୦୧୨, ୨୦୧୩, ୨୦୧୫ ଓ ୨୦୧୬ରେ ଅଗ୍ନି-୫ର ପରୀକ୍ଷା ସଫଳ ହୋଇଥିଲା। ୨୦୧୦ ଡିିସେମ୍ବର ୧୦ରେ ଅଗ୍ନି ସିରିଜର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା। ୨୦୧୧ ନଭେମ୍ବର ୧୫ରେ ଅଗ୍ନି-୨, ୨୦୧୨ ସେପ୍ଟେମ୍ବର ୧୯ରେ ଅଗ୍ନି-୩, ୨୦୧୪ ଜାନୁଆରି ୨୦ରେ ଅଗ୍ନି-୪ର ପରୀକ୍ଷା ସଫଳ ହୋଇଥିଲା। ଶେଷ ଥର ପାଇଁ ଡିସେମ୍ବର ୨୬, ୨୦୧୬ରେ ଅଗ୍ନି ୫ର ସଫଳ ପରୀକ୍ଷଣ ହୋଇଥିଲା।

ସମ୍ବନ୍ଧିତ ଖବର