ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣିରେ ଚାଲିଥିବା ଲୋକ ମହୋତ୍ସବ ପଡ଼ିଆରେ ଆଜି ସଂଧ୍ୟାରେ ଏକ ଅଘଟଣ ଘଟିଛି। ବେଲୁନ୍ରେ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ଏକ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ୩ ଜଣ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଦ୍ବିତୀୟ ସନ୍ଧ୍ୟାର ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ରଂଗିନ ବେଲୁନର ବ୍ୟବସ୍ଥା କରାଯାଇଥିଲା। ତେବେ ବେଲୁନ ଫୁଲାଇବାକୁ ଅଣାଯାଇଥିବା ଗ୍ୟାସ୍ ଟାଙ୍କି ଫାଟିଯିବାରୁ ସେଠାରେ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ବାଉଁଶୁଣି ଥାନା ବାଉରିଖାରକଟାର ସୁନୀଲ ଖଟୁଆ (୨୫ବର୍ଷ) ଓ ମନମୁଣ୍ଡା ଥାନା କନ୍ଧରିଆପଡ଼ାର ମାନସ ଭୋଇ (୨୧ବର୍ଷ) ଗୁରୁତର ଆହତ ହୋଇଥିବାବେଳେ ଜମଘାଟି ଗାଁର ମକରଧ୍ବଜ ସାମାନ୍ୟ ଆହତ ହୋଇଛନ୍ତି। ୩ଜଣଙ୍କୁ ପ୍ରଥମେ ବାଉଁଶୁଣି ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ପରେ ସୁନୀଲ ଓ ମାନସଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ସୋନପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ଡାକ୍ତରଖାନାରେ ଆହତଙ୍କୁ ଭେଟିବା ସହ ସେମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିବା ଆମ ସୁବର୍ଣ୍ଣପୁର ପ୍ରତିନିଧିଙ୍କଠାରୁ ଜଣାପଡ଼ିଛି।