ଦଳଭର୍ତ୍ତି ଗାଡ଼ିଆରେ ଭାସୁଛି ଭୋଟ ବାକ୍ସ: ୮ ବୁଥ୍‌ରେ ହେବ ସାନି ମତଦାନ

ବିଂଝାରପୁର: ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ପାଇଁ ଅପବାଦ ମୁଣ୍ଡାଇଛି ବିଂଝାରପୁର। ପୁଲିସ ଉପସ୍ଥିତିରେ ଭୋଟବାକ୍ସ ଉଠାଇନେବା, ଭୋଟ ବାକ୍ସକୁ ଦଳଭର୍ତ୍ତି ଗାଡ଼ିଆରେ ଫିଙ୍ଗିଦେବା, ସାମ୍ବାଦିକଙ୍କୁ ମାଡ଼ ମାରିବା, ପୁଲିସକୁ ପିଟିବା ଭଳି ଘଟଣା ଘଟିବାରୁ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରଭାବିତ ହୋଇଛି। ଫଳସ୍ବରୂପ ଏହି ବ୍ଲକର ୮ଟି ବୁଥ୍‌ରେ ଭୋଟ ବାତିଲ କରାଯାଇଛି ଏବଂ ସାନି ମତଦାନ କରିବାକୁ ଜିଲ୍ଲା ପ୍ରଶାସନ ସୁପାରିସ କରିଛି।

ବାଛୋଳ ପଞ୍ଚାୟତରେ ସର୍ବାଧିକ ୫ଟି ବୁଥ୍‌ (୨, ୪, ୬, ୭ ଓ ୮ ନମ୍ବର)ରେ ସାନି ମତଦାନ ହେବ। ସେହିପରି ଜରି ପଞ୍ଚାୟତର ୧୪ ନମ୍ବର ବୁଥ୍‌, ବିତନାରେ ୬ ନମ୍ବର ବୁଥ୍‌, ଉତ୍ତଙ୍ଗରାରେ ୩ ନମ୍ବର ବୁଥ୍‌ରେ ଆଜିର ଭୋଟକୁ ବାତିଲ କରାଯାଇ ସାନି ମତଦାନ ପାଇଁ ସୁପାରିସ କରାଯାଇଛି।

ବାଚ୍ଛୋଳ ପଞ୍ଚାୟତର ବିଭିନ୍ନ ବୁଥରେ ଭୋଟ ଗ୍ରହଣ ଚାଲିଥିବାବେଳେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଜବରଦଖଲ କରିଥିଲେ। ଏହାକୁ ବିରୋଧକରି ପ୍ରତିପକ୍ଷ ପ୍ରାର୍ଥୀଙ୍କ ସମର୍ଥକମାନେ ୪, ୬ ଓ ୯ ନଂ ବୁଥକୁ ଜବରଦଖଲ କରିବାକୁ ଚାହିଁଥିଲେ। ଏହି ସମୟରେ ପୁଲିସ ପହଞ୍ଚିଯିବାରୁ ଉତ୍ତ୍ୟକ୍ତ ଲୋକମାନେ ଭୋଟବାକ୍ସ ଲୁଟିନେଇ ପୋଖରୀରେ ଫିଙ୍ଗି ଦେଇଥିଲେ। ଏହି ଘଟଣାର ଭିଡିଓ ରେକର୍ଡିଂ କରିବାକୁ ଯାଇ ସାମ୍ଵାଦିକ ଗୁଲସାହାନଓ୍ଵାଜ ଖାନ, ଦେବାଶିଷ ସାହୁ ଓ ବିଜୟ କୁମାର ସାହୁ, ହିମାଂଶୁ ‌ଶେଖର ପାଢ଼ୀ ଆକ୍ରମଣର ଶିକାର ହୋଇଥିଲେ।

ସେହିପରି ଅଳକୁଣ୍ଡ ପଞ୍ଚାୟତର ୧୨ ନଂ ବୁଥ୍‌ରେ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁ, ତାଙ୍କ ଭାଇ କାର୍ତ୍ତିକ ସାହୁ ଓ ସମର୍ଥକମାନେ ବୁଥ୍ ଭିତରେ ପଶି ଭୋଟ ବାକ୍ସ ନେଇଯାଇଥିଲେ। ନିକଟରେ ଉପସ୍ଥିତ ଥିବା ଯୁବକମାନେ ସେମାନଙ୍କୁ କାବୁ କରିଥିଲେ। ପୁଲିସ ଭୋଟବାକ୍ସକୁ ଉଦ୍ଧାର କରିଥିଲା। ସେତେବେଳକୁ ଭୋଟ ସରିବାକୁ ଥିବାରୁ ଓ ବାକ୍ସ ସୁରକ୍ଷିତ ଉଦ୍ଧାର ହେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସେହିପରି ଜରି ପଞ୍ଚାୟତର ୧୩ ଓ ୧୪ ନଂ ବୁଥରେ ପୁଲିସ ପହଞ୍ଚି ଜଣେ ଯୁବକଙ୍କୁ ପିଟିବାରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ଉପସ୍ଥିତ ଥିବା ଲୋକମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ଦୁର୍ବୃତ୍ତମାନେ ବୁଥ୍ ଜବରଦଖଲ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ପହଞ୍ଚିବାରୁ ଘଟଣାକୁ ଏଡ଼ାଯାଇ ପାରିଥିଲା।

ସମ୍ବନ୍ଧିତ ଖବର