ପାର୍ବଣରେ ୪ ଫୁଟ ମୂର୍ତ୍ତି ଉଚ୍ଚତା ବିବାଦ: ବାଲୁବଜାର ପୂଜା କମିଟି ମାମଲା ଖାରଜ

ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

କଟକ : ପାର୍ବଣରେ ପାରଂପରିକ ଭାବେ ୮ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ ଲୋଡି ହାଇକୋର୍ଟରେ ମାମଲା ଦାୟର କରିଥିବା ବାଲୁବଜାର ପୂଜା କମିଟିର ଆବେଦନକୁ ହାଇକୋର୍ଟ ଆଜି ଖାରଜ କରି ଦେଇଛନ୍ତି। ମୂର୍ତ୍ତି ଉଚ୍ଚତା ୪ ଫୁଟରେ ସୀମିତ ରଖିବା ସଂପର୍କିତ ୨୦୨୧, ଅଗଷ୍ଟ ୯ର ସରକାରଙ୍କ ବିଜ୍ଞପ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଦିନ ଏ ସଂପର୍କିତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଦିନ ୨ଟାରେ ରାୟ ପ୍ରକାଶ ପାଇଥିଲା।

ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି ଯେ ଗତ ବ‌ର୍ଷ ମୂର୍ତ୍ତି ଉଚ୍ଚତା ସୀମିତ ରଖିବା ସଂପର୍କିତ ବିଜ୍ଞପ୍ତି ୨୦୨୦, ସେପ୍ଟେମ୍ବର ୧୦ରେ ପ୍ରକାଶ ପାଇଥିବା ବେଳେ ସେତେବେଳେକୁ କେତେକ ପୂଜା ମଣ୍ଡପ ପରମ୍ପରା ଅନୁସାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ଆରମ୍ଭ କରି ସାରିଥିଲେ। ଏଭଳି ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ନିର୍ଦ୍ଦିଷ୍ଟ ୯ଟି ମଣ୍ଡପକୁ ୪ ଫୁଟରୁ ଅଧିକ ମୂର୍ତ୍ତି ନିର୍ମାଣ ପାଇଁ ଥରକ ପାଇଁ ଅନୁମତି ଦେଇଥିଲେ। ଏଥର କିନ୍ତୁ ଯଥେଷ୍ଟ ଆଗରୁ ଅଗଷ୍ଟ ୯ରେ ସରକାର ପୂଜା ପାଇଁ କଟକଣା ଜାରି କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ସବୁ ପୂଜାର ଆୟୋଜକଙ୍କୁ ଯଥେଷ୍ଟ ଆଗରୁ ନୋଟିସ୍ ଦିଆଯାଇଛି। ୨୦୨୦ର ଏହି ମାସ ଗୁଡିକରେ ଯେପରି ସ୍ଥିତି ଥିଲା ସେଭଳି ସମାନ ଅବସ୍ଥା ଏବେ ନାହିଁ। କିନ୍ତୁ ସାରା ଦେଶ ତଥ‌ା‌ ଓଡ଼ିଶା ସଂପୂର୍ଣ୍ଣ ଭାବେ କରୋନାରୁ ମୁକ୍ତ ହୋଇ ନାହିଁ। ବୃହତ ଜନସମାବେଶ ସୁପର ସ୍ପ୍ରେଡର ଘଟଣା ହୋଇ ପାରେ‌ ବୋଲି ରହିଥିବା ଆଶଙ୍କା ସତ, କାଳ୍ପନିକ ନୁହେଁ। ଗୋଟିଏ ଦୁର୍ଗାପୂଜା କମିଟି ପାଇଁ କଟକଣା କୋହଳ ହେଲେ ସମାନ ଦାବି ସବୁ ଆଡେ ଉଠିବ। ଫଳରେ ଏବେ ବି କରୋନା ମହାମାରୀ କବଳରେ ଥିବା ସାରା ରାଜ୍ୟରେ କଟକଣା କଡାକଡ଼ି କାର୍ଯ୍ୟକାରୀ କରିବା ସରକାରଙ୍କ ପାଇଁ କଷ୍ଟକର ହେବ।

ଆବେଦନକାରୀଙ୍କୁ ଛାଡି ଅନ୍ୟ ‌କୌଣସି ଦୁର୍ଗାପୂଜା କମିଟି ମୂର୍ତ୍ତି ଉଚ୍ଚତା କଟକଣାକୁ ଜନସାଧାରଣଙ୍କ ଭା‌ବବେଗକୁ ଆଘାତ ‌ବା ଉତ୍ସବ ଆୟୋଜନରେ ହସ୍ତକ୍ଷେପ ବୋଲି କହୁ ନାହାନ୍ତି। ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୨୦୨୧କୁ ବିଚାରକୁ ନେଇ ଅଗଷ୍ଟ ୯ର କଟକଣା ସଂପର୍କିତ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଉତ୍ସବ ମଧ୍ୟରେ ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳିପୂଜା ଓ କାର୍ତ୍ତିକେଶ୍ବର ପୂଜା ଅନ୍ତର୍ଭୁକ୍ତ। ଦୁର୍ଗାପୂଜା ପର୍ବ ବିଭିନ୍ନ ଉତ୍ସବର ସମାବେଶ ହୋଇଥିବା ବେଳେ ମୂର୍ତ୍ତି ଏହାର ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ବିଭିନ୍ନ ପ୍ରସଂଗ ସମେତ ମୂର୍ତ୍ତି ଉଚ୍ଚତା ଓ ଆକାର ଉପରେ କିଛି ପରିମାଣର କଟକଣା ଜାରି କରାଯାଇଛି। ଯଦି ମୂର୍ତ୍ତିର ଉଚ୍ଚତା ୪ ଫୁଟରେ ସୀମିତ ରଖାଯାଏ ତେବେ ଏହି ଅବସରର ପବିତ୍ରତା, ଉତ୍ସବ ସହିତ ଜଡିତ ଧର୍ମୀୟ ଭାବନା କିଭଳି ଭାବେ ପ୍ରଭାବିତ ହେଉଛି ତାହା ସ୍ପଷ୍ଟ ହେଉ ନାହିଁ। ଏଭଳି ନିଷ୍ପତ୍ତି ନେବା ସରକାରଙ୍କ ପକ୍ଷରେ ସହଜ ସାଧ୍ୟ ନୁହେଁ। ଠୋସ୍ ଆଇନଗତ ପୃଷ୍ଠଭୂମି ନଥିଲେ ସାଧାରଣ ଭାବେ ଅଦାଲତ ଏହି ପ୍ରସଂଗରେ ହସ୍ତକ୍ଷେପ କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଅଗଷ୍ଟ ୯ର ବିଜ୍ଞପ୍ତିରେ ରହିଥିବା ସର୍ତ୍ତାବଳୀରେ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ରିଟ ପିଟିସନକୁ ଖାରଜ କରିଛନ୍ତି।

ସମ୍ବନ୍ଧିତ ଖବର