ବାଲୁଗାଁ : ବାଲୁଗାଁ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାଇପାସ୍‌ ରାସ୍ତା ଯାତ୍ରୀଙ୍କ ପାଇଁ ଏବେ ପାଲଟିଛି ଅଭିଶାପ। ବାରମ୍ବାର ଦୁର୍ଘଟଣା ସହ ଏହି ରାସ୍ତାରେ ଏବେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ଯାତ୍ରୀଙ୍କ ଚିନ୍ତା ବଢ଼ାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ଏହି ରାସ୍ତାରେ ୧୦ଟିରୁ ଅଧିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଲୁଟ୍‌ତରାଜ ବଢ଼ୁଥିବାରୁ ଏହି ରାସ୍ତା ଦେଇ ସାଧାରଣ ଲୋକେ ଦିନରେ ବି ଯିବା ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀଠାରୁ ନାଭାଲ ପର୍ଯ୍ୟନ୍ତ ଦୀର୍ଘ ୧୮ କିଲୋମିଟର ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀଙ୍କର ଏହା ହେଉଛି ମୁଖ୍ୟ ସମସ୍ୟା। ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ଯୋଗୁଁ ଦୁର୍ଘଟଣା ଘଟୁଛି। ବାଇକ୍‌ କିମ୍ବା କାର୍‌ ଚାଳକ ରାସ୍ତାରେ ଥିବା ଖାଲଖମାରେ ଅସୁବିଧାରେ ପଡ଼ୁଛନ୍ତି। ଅନ୍ୟପକ୍ଷରେ ଖାଲଖମା ଯୋଗୁଁ ରାସ୍ତାରେ ଚାଳକମାନେ ଯାନଗୁଡ଼ିକୁ ଧୀରେ ଚଳାଉଥିବାବେଳେ ଅପରାଧୀମାନେ ସହଜରେ ସେମାନଙ୍କୁ ଆକ୍ରମଣ କରିବା ସହ ଲୁଟ୍‌ କରିପାରୁଛନ୍ତି। ଏହି ବାଇପାସ୍‌ ରାସ୍ତା ବାଲୁଗାଁ-ବାଣପୁର ଥାନା ଅଧୀନରେ ଥିବାବେଳେ ଏପର୍ଯ୍ୟନ୍ତ ସଠିକ୍‌ ଭାବେ ଉଭୟ ଥାନାର ସୀମା ନିରୂପଣ ନ ହେବା ଦ୍ବାରା ଉପଯୁକ୍ତ ଭାବେ ପାଟ୍ରୋଲି˚ ମଧ୍ୟ ହୋଇ ପାରୁ ନାହିଁ। ଲୁଟେରାମାନେ ଜାତୀୟ ରାଜପଥରେ ଟ୍ରକ୍‌ଗୁଡ଼ିକରୁ ଜିନିଷପତ୍ର ଲୁଟିବା, ଚାଳକମାନଙ୍କୁ ମାଡ଼ପିଟ୍‌ କରି ଜବରଦସ୍ତ ଟଙ୍କା ଲୁଟି ଛଡ଼ାଇନେବା, ମୋଟର ସାଇକେଲ୍‌ ଆରୋହୀମାନଙ୍କଠାରୁ ଜିନିଷପତ୍ର, ଟଙ୍କା ପଇସା ଏପରିକି ଗାଡ଼ି ଛଡ଼ାଇ ନେଉଛଥିବା ବାରମ୍ବାର ଅଭିଯୋଗ ହେଉଛି।