ଘଞ୍ଚ ବାଲୁଖଣ୍ଡ ପାଲଟିଛି ମରୁଭୂମି : ଫନି ଉପାଡ଼ିଥ‌ିଲା, ମାଫିଆ ବୋହିନେଲେ, ଉପୁଡ଼ିଥିବା ୨୨ ଲକ୍ଷ ଗଛର ହିସାବ ନାହିଁ

ବନ ବିଭାଗ, ମାଫିଆ‌ ସଲାସୁତରା!

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ର କରାଳ ଗ୍ରାସରେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ ଓ ବେଳାଭୂମି ମଧ୍ୟରେ ଥିବା‌ ବିସ୍ତୀର୍ଣ୍ଣ ବାଲୁଖଣ୍ଡ ଅଭୟାରଣ୍ୟ ଏବେ ମରୁଭୂମି ପାଲଟିଛି। ଫନିରେ ଉପୁଡ଼ି ପଡ଼ିଥିବା ୨୨ ଲକ୍ଷ ଗଛର ଗଣ୍ଡି ଏବେ କେଉଁଠି ତା’ର ହିସାବ ନାହିଁ।

ସରକାର ଏହି କାଠକୁ ଶ୍ରୀମନ୍ଦିର ରୋଷଘର ଓ ସ୍ବର୍ଗଦ୍ବାର ପାଇଁ ଦେବାକୁ ଘୋଷଣା କରିଥିଲେ ବି ସୀମିତ ସମ୍ବଳ ଭିତରେ ଏ କାଠ ବାଲୁଖଣ୍ଡ ଅଭୟାରଣ୍ୟ ଭିତରୁ ଫନି ବାତ୍ୟାର ବର୍ଷକ ପରେ ମଧ୍ୟ ଅପସାରଣ ହୋଇ ପ‌ାରିନ‌ାହିଁ। ବର୍ଷକ ତଳୁ ପଡ଼ିଥିବା ବିଶାଳକାୟ କାଠଗଣ୍ଡି ମଧ୍ୟ ବେଶୀ ସଂଖ୍ୟାରେ ଦେଖିବାକୁ ମିଳୁନାହିଁ। କାଠ ମାଫିଆମ‌ାନେ ରାତିଦିନ ଏକାକାର କରି କାଠ ବୋହି ନେଉଛନ୍ତି। ତେବେ ଲକ୍‌ଡାଉନ୍‌ ଅବଧି ସମୟରେ ମଧ୍ୟ ବିଭିନ୍ନ ଉପାୟରେ ମାଫିଆମାନେ କାଠ ଲୁଟ୍‌ କରୁଥିବା ଅଭିଯୋଗ ହୋଇଛି। ଜଙ୍ଗଲ ବିଭାଗ, ପୁଲିସ ସହ‌ଯୋଗରେ ମାଫିଆମାନେ ବାଲୁଖଣ୍ଡରୁ ଶୁଖିଲା କାଠ ଲୁଟି ନେଉଥିବ‌ା ସ୍ଥାନୀୟ ଲୋକେ କହିଛନ୍ତି। ଗତ ବର୍ଷକ ତଳୁ ଏଭଳି ଲୁଟ୍ ପ୍ରକ୍ରିୟା ଜାରି ରହିଛି। ତଥାପି ଏବେ ମଧ୍ୟ ଲକ୍ଷାଧିକ ଗଛ ପଡ଼ି ରହିଛି। ଅନ୍ୟ ପକ୍ଷରେ ବାଲୁଖଣ୍ଡରେ ଆବଶ୍ୟକ ବନୀକରଣ କରାଯାଇପାରିନାହିଁ।

ପୁରୀରେ ଫନି ପରର ଯନ୍ତ୍ରଣା ବୁଝିବାକୁ ପ୍ରଶାସନ ପାଖରେ ଆଉ ସମୟ ନ‌ାହିଁ। ଲୋକ ଯେଉଁ କଲବଲ ‌ହେଉଥିଲେ ସେ ଯନ୍ତ୍ରଣା ବି ବଢ଼ିଛି। ଉପୁଡ଼ି ପଡ଼ିଥିବା ଗଛ ବଦଳରେ ଗଛ ଲଗାଯାଇ ପାରିନାହିଁ। ଏବେ ବି ଲୋକ ସେମାନଙ୍କ ଗଛ ଭଙ୍ଗା ସହାୟତା ପାଇନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା, ଫନି ବାତ୍ୟା ସ୍ଥଳଭାଗ ଛୁଇଁଥିବା ବାଲୁଖଣ୍ଡର ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଲକ୍ଷ ଲକ୍ଷ ଭଙ୍ଗା ଗଛ ବାଲିରେ ଲୋଟିଛି, ତାହାର ସଫା ହୋଇପାରୁନାହିଁ। ନୂଆ ଗଛ ମଧ୍ୟ ଲାଗିପାରୁନାହିଁ। ଏଠାରେ ବିଚରଣ କରୁଥିବା ଶହ ଶହ ହରିଣ ଆଉ ଆଗ ଭଳି ଦେଖିବାକୁ ମିଳୁନାହାନ୍ତି। ସବୁଜିମା ଗଛ ବିନା ବାଲୁଖଣ୍ଡ ଅଭୟାରଣ୍ୟ ଏକ ପ୍ରକାର ମରୁଭୂମି ପାଲଟିଛି।

ମ‌ାତ୍ର ପୁରୀ ଜିଲ୍ଲା ବନ ବିଭାଗ ଓ ପ୍ରଶାସନ ଏଥି ପାଇଁ ବିବ୍ରତ ହେବ‌ା ବଦଳରେ ଏହାକୁ ହାଲୁକା‌ରେ ନେଇଛି। ଏହି ସୁଯୋଗରେ ମାଫିଆ ସକ୍ରିୟ ରହିଛନ୍ତି। ସୂଚନା ମୁତାବକ ଫନିର ୪ ଘଣ୍ଟାର ତାଣ୍ଡବରେ ବାଲୁଖଣ୍ଡର ୮୭ ବର୍ଗ କିମି ଜଙ୍ଗଲ, ଅଭୟାରଣ୍ୟ ଛାରଖାର ହୋଇଯାଇଥିଲା। ଫନି ପ୍ରଳୟରେ ପ୍ରାୟ ୨୨ ଲକ୍ଷ ଗଛ ଭାଙ୍ଗିଥିବା ନେଇ ଆକଳନ କରାଯାଇଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ବର୍ତ୍ତମାନ ବାଲୁଖଣ୍ଡରେ ମାତ୍ର ୧ ଲକ୍ଷ ଗଛ ଲଗାଯାଇଛି। ମୋଟ ୫୦୦ ହେକ୍ଟର୍‌ ଜଙ୍ଗଲ ମଧ୍ୟରୁ ୨୦୦ ହେକ୍ଟର୍‌ ଜଙ୍ଗଲ ସଫା କରିବ‌ା ସମ୍ଭବ ହୋଇପାରିଛି। ଲକ୍ଷ ଲକ୍ଷ ସଂଖ୍ୟାର କାଠ ଗଣ୍ଡି ବାଲିରେ ପଡ଼ିରହିଛି। ପ୍ରଶାସନର ଏ ପ୍ରକାର ମନ୍ଥର ଗତି ଯୋଗୁଁ କାଠ ମାଫିଆମାନେ ଏହାର ସୁଯୋଗ ନେଉଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ଯେମିତି ଚାଲିଥିଲା ଲକ୍‌ଡାଉନ୍‌ ସମୟରେ ମଧ୍ୟ ସେହି ଭଳି କାଠ ଲୁଟ୍‌ ହେଉଥିବ‌ା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର