ବାଲୁଖଣ୍ଡ ଅଭୟାରଣ୍ୟ: ଚାଲିଛି ହରିଲୁଟ୍, ଭାଙ୍ଗିଥିବା ଗଛ ସଫାରେ ଖର୍ଚ୍ଚ ୬.୨୫ କୋଟି
୨୨ଲକ୍ଷ ଗଛ ଭାଙ୍ଗିଥିଲା, ଏବେ ବି ଉଠିନି ଭଙ୍ଗା ଗଛ
ପୁରୀ : ଦୁଇବର୍ଷ ତଳେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପ୍ରହାରରେ ହରିଣ ଅଭୟାରଣ୍ୟ ବାଲୁଖଣ୍ଡ ସଂପୂର୍ଣ୍ଣ ଛାରଖାର ହୋଇଯାଇଥିଲା। ଏହା କେବଳ ବାଲୁଖଣ୍ଡର ସବୁଜିମାଙ୍କୁ ନଷ୍ଟଭ୍ରଷ୍ଟ କରି ଦେଇ ନଥିଲା, ଅନେକ ହରିଣ, ବାର୍ହା, ଓଧ, କୋକିଶିଆଳି ଭଳି ବନ୍ୟଜନ୍ତୁଙ୍କ ପ୍ରାଣ ନେଇଥିଲା। ଲକ୍ଷ ଲକ୍ଷ ଗଛ ମାଟିରେ ଲୋଟିଥିଲା। ଏ ଭିତରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ତିନି ବର୍ଷ ପୂରିବାକୁ ବସିଥିବାବେଳେ ବାଲୁଖଣ୍ଡର କୌଣସି ଭାଗ୍ୟ ପରିବର୍ତ୍ତନ ହୋଇନି। ପୂର୍ବଭଳି ଲକ୍ଷ ଲକ୍ଷ ଭଙ୍ଗା ଗଛ ବାଲୁଖଣ୍ଡ ଜଙ୍ଗଲ ଭିତରେ ପଡ଼ି ରହିଥିବାବେଳେ ବନ୍ୟଜନ୍ତୁଙ୍କ ପାଇଁ ଏହା ଘାତକ ସାଜିଛି। କିନ୍ତୁ ଓଡ଼ିଶା ବନ ନିଗମ ବାଲୁଖଣ୍ଡରୁ ଭଙ୍ଗା ଗଛ କଟା ନାଁରେ ପ୍ରାୟ ୬.୨୫ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ନେଇ ସାରିଛି।
ସୂଚନା ଅଧିକାର ବଳରେ ମିଳିଥିବା ଏହି ତଥ୍ୟ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାଲୁଖଣ୍ଡ ନାଁରେ ଏଭଳି ହରିଲୁଟ୍କୁ ସହଜରେ ହଜମ କରି ପାରୁନାହାନ୍ତି ଜଙ୍ଗଲପ୍ରେମୀ। ବଙ୍ଗୋପସାଗର କୂଳରେ ୮୭ ବର୍ଗ କିଲୋମିଟର ବ୍ୟାପ୍ତ ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ପୂର୍ବ ଏସିଆର ଏକ ବିରଳ ଅଭୟାରଣ୍ୟ। ପ୍ରତି ବର୍ଷ ଏହାର ବିରଳ ଦୃଶ୍ୟକୁ ଉପଭୋଗ ପାଇଁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ ଫନି ପ୍ରହାର ପରେ ଏହି ଅଭୟାରଣ୍ୟ ପୂର୍ବ ଗାରିମା ହରାଇବାକୁ ବସିଲାଣି।
ପ୍ରଳୟଙ୍କରୀ ବାତ୍ୟା ପରେ ରାଜ୍ୟ ସରକାର ବି ବାଲୁଖଣ୍ଡର ଅବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଅନୁଧ୍ୟାନ କରି ଫେରିବା ପରେ ବାଲୁଖଣ୍ଡର ପୁନରୁଦ୍ଧାର ପ୍ରସଙ୍ଗ ଉଠାଇଥିଲେ। ଜଙ୍ଗଲ ମନ୍ତ୍ରୀ ବି ବାଲୁଖଣ୍ଡରୁ ତତ୍କାଳ ଭଙ୍ଗାଗଛ କାଟି ବାହାର କରାଯିବା ସହ ସବୁଜିମା ଫେରାଇ ଆଣିବାକୁ ବନୀକରଣ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ଘୋଷଣା କରିଥିଲେ। ସେ ସମୟରେ ବାଲୁଖଣ୍ଡ ଅଭୟାରଣ୍ୟରୁ ବିଭିନ୍ନ ପ୍ରଜାତିର ପ୍ରାୟ ୨୨ ଲକ୍ଷ ଗଛ ଭାଙ୍ଗିଥିବା ପ୍ରାଥମିକ ଆକଳନ କରାଯାଇଥିଲା। ଏଣୁ ଏହାର ଦୁଇଗୁଣା ଗଛ ଲଗାଇବାକୁ ଘୋଷଣା କରିଥିଲେ ସରକାର।
ଏ ଭିତରେ ଦୁଇ ବର୍ଷ ବିତିଥିଲେ ବି ବାଲୁଖଣ୍ଡର ଚିତ୍ର ବଦଳିନି। ସେହିଭଳି ଭଙ୍ଗାଗଛ ସବୁ ଏଣେତେଣେ ବିଛାଡ଼ି ହୋଇପଡ଼ିଛି। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ମୁତାବକ, ବାଲୁଖଣ୍ଡ ଅଭୟାରଣ୍ୟରୁ ଭଙ୍ଗା ଗଛ ସବୁ କାଟିବା ପାଇଁ ଓଡ଼ିଶା ବନ ନିଗମକୁ ୬ କୋଟି ୨୫ ଲକ୍ଷ ୨୦ହଜାର ୬୨୪ ଟଙ୍କା ଦିଆଯାଇଛି। ଓଡ଼ିଶା ବନ ନିଗମ ଭୁବନେଶ୍ବର କଟିଂ ଡିଭିଜନ୍କୁ ଏହି ଟଙ୍କା ଦିଆଯାଇଛି। ଆଉ ଏହି ଟଙ୍କା ଭୁବନେଶ୍ବର କଟିଂ ଡିଭିଜନ୍ର ଡିଭିଜନାଲ୍ ମ୍ୟାନେଜର ରୁଦ୍ରମଣି ସାହୁଙ୍କ କାର୍ଯ୍ୟକାଳ ଭିତରେ ପ୍ରଦାନ କରାଯାଇଛି। ଅନ୍ୟ କେହି ନୁହେଁ, ସୂଚନା ଅଧିକାର ବଳରେ ଓଡ଼ିଶା ବନ ନିଗମ ଏହି ତଥ୍ୟ ଦେଇଛି। ବାଲୁଖଣ୍ଡ ଅଭୟାରଣ୍ୟ ନାଁରେ ଚାଲିଥିବା ହରିଲୁଟ୍କୁ ଏହି ସୂଚନା ଅଧିକାର ତଥ୍ୟ ଧରା ପକାଇ ଦେଇଥିବାବେଳେ ଏହା ବିଧିବଦ୍ଧ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ।