ଦେବଗଡ଼: ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ବାମଣ୍ଡା କ୍ରିକେଟ୍ କ୍ଲବ ପକ୍ଷରୁ ଆୟୋଜିତ ୩୨ତମ ବାମଣ୍ଡା କପ୍ କ୍ରିକେଟ ପ୍ରତିଯୋଗିତାର ଶନିବାର ରାଉରକେଲାର ୟୁଥ୍ କ୍ଲବ ଓ କେନ୍ଦୁଝର ଏକାଦଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଦଳ ଟସ ଜିତି ରାଉରକେଲାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ରାଉରକେଲା ଦଳ ୨୦ ଓଭରରେ ୯ଟି ୱିକେଟ ହରାଇ ୧୧୪ ରନ କରିଥିଲେ। ଦଳ ପକ୍ଷରୁ ସତୀଶ ସିଂହ ୨୫ ଓ ନିତେଶ ସାହୁ ୨୦ ରନ କରିଥିବା ବେଳେ କେନ୍ଦୁଝର ଦଳର ସାଇ ସୁବ୍ରତ ଜେନା, ପ୍ରଶାନ୍ତ ଚୌହାନ, ରତିକାନ୍ତ ମହାନ୍ତ ଓ ଇମ୍ରାନ ଖାଁ ୨ଟି ଲେଖଏ ୱିକେଟ ନେଇଥିଲେ। ଜବାବରେ କେନ୍ଦୁଝର ଦଳ ୧୮.୧ ଓଭରରେ ୭ ୱିକେଟ ହରାଇ ୧୧୮ ରନ କରି ବିଜୟୀ ହୋଇଥିଲା।
ଦଳ ପକ୍ଷରୁ ଗୌରୀଶ ପାତ୍ର ୩୧, ସୌରଭ ସ୍ୱୟଂ ପ୍ରକାଶ ୨୦ ରନ କରିଥିବା ବେଳେ ରାଉରକେଲା ଦଳର ମହମ୍ମଦ ଆକ୍ରମ ଓ ରବି ଗୋପ ୨ଟି ଲେଖାଏଁ ୱିକେଟ ନେଇଥିଲେ। କ୍ଲବ ଉପସଭାପତି ଅଶୋକ ନନ୍ଦଙ୍କ ଅଧକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରିଆମାଳ ପଞ୍ଚାୟତ ସମିତି ଅଧକ୍ଷ ମଧୁସୂଦନ ପ୍ରଧାନ, ଜିଲ୍ଲା ସରପଞ୍ଚ ସଂଘ ସମ୍ପାଦକ ପ୍ରକାଶ ଆଚାର୍ଯ୍ୟ ଯୋଗଦେଇ କେନ୍ଦୁଝରର ଗୌରୀଶ ପାତ୍ରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍, ପ୍ରଶାନ୍ତ ଚୌହାନଙ୍କୁ ଶ୍ରେଷ୍ଠ ବୋଲର୍ ଓ ସୌରଭ ସ୍ବୟଂପ୍ରକାଶଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ପୁରସ୍କାର ଦେଇଥିଲେ। କ୍ଲବ ସମ୍ପାଦକ ସୁଜିତ ପ୍ରଧାନ ସ୍ୱାଗତ ଭାଷଣ ଓ ଉପସଭାପତି ସତ୍ୟ ନାରାୟଣ ପାଣି ଅତିଥି ପରିଚୟ ଦେଇଥିବା ବେଳେ ସନ୍ତୋଷ ଦେବତା ଧନ୍ୟବାଦ ଦେଇଥିଲେ। ମ୍ୟାଚକୁ ସତ୍ୟ ପ୍ରସାଦ ରଥ, ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ରୋମି ନାୟକ, ରୀତିକ ଦେହୁରୀ ସ୍କୋରର ଥିଲେ। ରମାକାନ୍ତ ପ୍ରଧାନ ଧାରାବିବରଣୀ ଦେଇଥିଲେ। କ୍ଲବର ସଦସ୍ୟ ପ୍ରଭାତ ପ୍ରଧାନ, ବସନ୍ତ ବେହେରା, ବେଣୁଧର ଗଡ଼ନାଏକ, ମୋତିଲାଲ ଶର୍ମା, ସୁଶୀଳ ନାୟକ, ପ୍ରଦ୍ୟୁମ୍ନ ଭୁକ୍ତା, ଭୋଳାନାଥ ଦାସ, ଅଜିତ ମୋଦୀ, ହରେକୃଷ୍ଣ ସାହୁ, ଅଶୋକ ନାୟକ, ଅଶୋକ ଅଗ୍ରୱାଲ, ଅଭୟ ନନ୍ଦ, ଜୟନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ।